ଚାକିରି ନାଁରେ ୨୭ ଲକ୍ଷ ଠକେଇ, ବନ୍ଧା ହେଲେ ୱେବ୍ ସାମ୍ବାଦିକ 

Advertisment

୨ ଜାହାଜର ମାଲିକ କହି ୯୦ ଜଣଙ୍କୁ ଠକିଥିଲେ, ଗାଡ଼ି କିଣା, ଭୋଜିଭାତ ଆସରରେ ଅର୍ଥ ଉଡ଼ାଇଥିଲେ

୨ ଜାହାଜର ମାଲିକ କହି ୯୦ ଜଣଙ୍କୁ ଠକିଥିଲେ, ଗାଡ଼ି କିଣା, ଭୋଜିଭାତ ଆସରରେ ଅର୍ଥ ଉଡ଼ାଇଥିଲେ

ଚାକିରି ନାଁରେ ୨୭ ଲକ୍ଷ ଠକେଇ, ବନ୍ଧା ହେଲେ ୱେବ୍ ସାମ୍ବାଦିକ 

ଜଗନ୍ନାଥପ୍ରସାଦ:  ପୋର୍ଟରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ୨୭ ଲକ୍ଷ ଟଙ୍କା ଠକିଥିବା ମାମଲାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ପୁଲିସ ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ଜଗନ୍ନାଥପ୍ରସାଦ ଥାନା ଗଣ୍ଡାଧର ପଞ୍ଚାୟତ ଅଧୀନ ସରକୁମ୍ପା ଗ୍ରାମର ବଂଶୀଧର ପଟ୍ଟନାୟକ। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଏମ.ନାନୀବାବୁ ନାମକ ଜଣେ ବ୍ୟକ୍ତିଙ୍କ ଏତଲା କ୍ରମେ କେସ୍ ନମ୍ବର ୨୯୮ରେ ଦଫା ୪୧୯, ୪୨୦, ୪୬୦, ୪୭୧ ଅନୁସାରେ ମାମଲା ରୁଜୁ ହୋଇଥିଲା। ଆଜି ବଂଶୀଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ତାଙ୍କଠାରୁ ୪୮ହଜାର ଟଙ୍କା ସମେତ ଚାକିରି ଆଶାୟୀଙ୍କ ଟଙ୍କାରେ କିଣିଥିବା ସ୍କୁଟିକୁ ଜବତ କରାଯାଇଛି। ୨୭ ଲକ୍ଷ ଟଙ୍କାକୁ ବଂଶୀଧର କେଉଁ କେଉଁ ବାଟରେ ଅୟସ କରି ଖର୍ଚ୍ଚ କରିଛନ୍ତି ଏ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲାରେ ଟାଟା ମୋଟର୍ସ ଓ ମହିନ୍ଦ୍ରା ଟେକ୍‌ ଭଳି କମ୍ପାନିରେ ଚାକିରି ନାଁରେ ଠକେଇ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଏଭଳି ଏକ ସମ୍ବେଦନଶୀଳ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନାନୁସାରେ, ବଂଶୀଧର ୨୦୧୮ ମସିହା ଡିସେମ୍ବରରେ ବିଶାଖାପାଟଣା ପୋର୍ଟ ଅଞ୍ଚଳରେ ରହୁଥିଲେ। ସେଠାରେ ରହୁଥିବା କିଛି ଶ୍ରମିକଙ୍କ ସଂସ୍ପର୍ଶରେ ଆସି ସେ ନିଜକୁ ଗୋପାଳପୁର ପୋର୍ଟର ସୁପରଭାଇଜର୍ ବୋଲି ପରିଚୟ ଦେଇ ବିଶ୍ବାସ ଜନ୍ମାଇଥିଲେ। ଧୀରେ ଧୀରେ ସେଠାକାର ଏମ୍‌.ନାନୀ ବାବୁ ନାମକ ଜଣେ ଶ୍ରମିକ ନେତାଙ୍କ ବିଶ୍ବାସଭାଜନ ହୋଇ ଅଧିକ ଦରମାରେ ଶ୍ରମିକଙ୍କୁ ଗୋପାଳପୁର ପୋର୍ଟରେ ଚାକିରି କରାଇ ଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ। ଉଭୟଙ୍କ ମଧ୍ୟରେ ସଂପର୍କ ବେଶ୍‌ ଘନିଷ୍ଠ ହୋଇ ଚାଲିଥିଲା। ଖାଲି ଏତିକି ନୁହେଁ, ତାଙ୍କର ନିଜର 'ବ୍ଲାକ୍ ଡାଇମଣ୍ଡ୍' ଓ 'ବ୍ଲାକ୍ ରୋଜ୍' ନାମକ ଦୁଇଟି ଜାହାଜ ଥିବା ବଂଶୀଧର କହିବା ସହ ଓଡ଼ିଆ ଶ୍ରମିକଙ୍କ ଉପରେ ବିଶ୍ବାସ ନଥିବାରୁ ଅଣଓଡ଼ିଆ ଶ୍ରମିକଙ୍କୁ ନେଇ ନିୟୋଜିତ କରିବେ ବୋଲି କହିବା ସହ ନାନୀଙ୍କୁ ସୁପରଭାଇଜର୍ ପଦବି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଭଳି ଭାବେ ଗତବର୍ଷ ଅଗଷ୍ଟ ମାସ ଭିତିରେ ବଂଶୀଧର ମୋଟ ୯୦ ଜଣ ଶ୍ରମିକଙ୍କ ଠାରୁ ୩୦ ହଜାର ଟଙ୍କା ଲେଖାଏଁ ମୋଟ ୨୭ଲକ୍ଷ ଟଙ୍କା ଆଦାୟ କରି ନେଇଥିଲେ। ଏଥିରେ ନାନୀ ତାଙ୍କୁ ସହଯୋଗ କରିଥିଲେ। ବିଭିନ୍ନ ସମୟରେ ବଂଶୀଧର ବିଶାଖାପାଟଣା ଯା'ଆସ କରି ଟଙ୍କା ସଂଗ୍ରହ କରୁଥିଲେ। ଏହାସହ କିଛି ଶ୍ରମିକଙ୍କୁ ମିଥ୍ୟା ନିଯୁକ୍ତି ଓ ପରିଚୟ ପତ୍ର ଯୋଗାଇ ଦେଇଥିଲେ। ଯେଉଁଥିରେ ଗତ ଅଗଷ୍ଟ ମାସରେ ଜଏନିଂ କରିବା ଲାଗି ଉ‌ଲ୍ଲେଖ କରା ଯାଇଥିଲା।

publive-image

ତେବେ ଅଗଷ୍ଟ ମାସରୁ ନାନୀ ଓ ଅନ୍ୟ ଆଶାୟୀ ଶ୍ରମିକ ମାନେ ବାରମ୍ବାର ବଂଶୀଧରଙ୍କ ମୋବାଇଲ୍‌ ଫୋନ୍‌ରେ ଯୋଗାଯୋଗ କରିଥିଲେ ବି ସେ କଲ୍ ରିସିଭ୍ କରୁ ନଥିଲେ। ବଂଶୀଧର ତାଙ୍କ ସିମ୍ ବାହାର କରି ଦେଇଥିବା ସହ ନିଜ ଠିକଣା ବି ଭୁଲ୍ ଦେଇଥିଲେ। ନାନୀ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରି ନିରାଶ ହୋଇଥିଲେ। ଏହା ମଧ୍ୟରେ ବଂଶୀଧର ଜଗନ୍ନାଥପ୍ରସାଦରେ ଏକ ୱେବ୍ ମିଡ଼ିଆର ସାମ୍ବାଦିକ ଭାବେ କାମ ଆରମ୍ଭ କରିବା ସହ ସଂଗ୍ରହ କରିଥିବା ଟଙ୍କାକୁ ହୋଟେଲ୍‌ରେ ଅୟସ କରି ସାଙ୍ଗମାନଙ୍କ ସହ ଭୋଜିଭାତ କରି ଉଡ଼ାଇଥିବା ଏବଂ ବିଭିନ୍ନ ବାଟରେ ଖର୍ଚ୍ଚ କରିଥିବା ପୁଲିସ ସୂଚନା ପାଇଛି।

ବଂଶୀଧରଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପରେ ନାନୀ ଓ ତାଙ୍କର ୪ଜଣ ସହଯୋଗୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗାରେ ‌ତାଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲେ। ଗତକାଲି ସେ ଜଗନ୍ନାଥପ୍ରସାଦ ବଜାରରେ ଚକ୍କର୍ କାଟୁଥିବା ଦେଖିବାକୁ ପାଇଥିଲେ। ବଂଶୀଧର ଏକ ଢାବାରୁ ବାହାରି ନିଜ ସ୍କୁଟିରେ ପଳାଇଥିଲା। ଗାଡ଼ି ନମ୍ବର ସହ ନାନୀ ଓ ତାଙ୍କ ସହଯୋଗୀ ମାନେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିବା ପରେ ଗତକାଲି ରାତିରେ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ସଦଳବଳ ସରକୁମ୍ପା ଗ୍ରାମରେ ଚଢ଼ଉ କରି ବଂଶୀଧରଙ୍କୁ କାବୁ କରି ନେଇଥିଲେ। ଏହାସହ ନକଲି କାଗଜପତ୍ର ଆଦି ଜବତ କରିଥିଲେ। ପଚରାଉଚରା ପରେ ସେ ସମସ୍ତ ସତ ଉଗାଳିଥିଲେ। ତାଙ୍କ ଘରୁ ୪୮ହଜାର ଟଙ୍କା ଜବତ ହୋଇଥିଲା। ଆଣିଥିବା ଟଙ୍କାରେ ସ୍କୁଟି କିଣିଥିବା ସହ ‌ଭୋଜିଭାତ କରିଥିବା ବଂଶୀଧର ଜେରା ବେଳେ ସ୍ବୀକାର କରିଛନ୍ତି। ତାଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe