ଅପରାଜିତାଙ୍କ କାର୍ଯ୍ୟକ୍ରମରୁ ବିଜେପିକୁ କେତେ ଫାଇଦା‌?

Advertisment
ଅପରାଜିତାଙ୍କ ପୁରୀ ଗସ୍ତ ପରେ ବିବାଦ ବଢ଼ୁଛି, ଅପରାଜିତା ସୋ’ବାଜି କରୁଛନ୍ତି: ପ୍ରମିଳା ମଲ୍ଲିକ

ଜଗତସିଂହପୁର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମରେ ପରେ ପାରାଦୀପରେ ଏବେ ରାଜନୀତି ସରଗରମ ହୋଇଉଠିଛି। କେବଳ ବିଜେପି ରାଜନୀତି ନୁହେଁ, ପରୋକ୍ଷରେ ଅପରାଜିତା ଶାସକ ଦଳକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସରକାର ବଦଳର ବିଗୁଲ ପାରାଦୀପରୁ ବାଜିଲା ବୋଲି ଅପରାଜିତା କହି ପରୋକ୍ଷରେ ଶାସକ ଦଳକୁ ଚ୍ୟାଲେଞ୍ଜ୍‌ କରିଛନ୍ତି। ମାତ୍ର ପ୍ରକୃତରେ ଅପରାଜିତାଙ୍କ ଏହି କାର୍ଯ୍ୟକ୍ରମ ପାରାଦୀପରେ ବିଜେପିକୁ ସୁଦୃଢ଼ କଲା ନା’ ଦୁଇ ପାଦ ପଛକୁ ଟାଣି ନେଲା, ସେନେଇ ତର୍ଜମା ଆରମ୍ଭ ହୋଇଯାଇଛି।
ଗୋଟିଏ ସପ୍ତାହ ମଧ୍ୟରେ ବିଜେପିର ପାରାଦୀପରେ ଦୁଇ ଦୁଇଟି ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ପାରାଦୀପରେ ଆୟୋଜିତ ହେଲା। ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସ୍ଥାନୀୟ ନେତୃବୃନ୍ଦଙ୍କୁ ମନ୍ତ୍ରଣା ଦେଇଥିଲେ। ଏହାର ଦିନ କେଇଟା ପରେ ଦଳର ଲୋକପ୍ରିୟ ସାଂସଦ କୁହାଯାଉଥିବା ଅପରାଜିତା ଷଡ଼ଙ୍ଗୀ ପାରାଦୀପରେ ପହଞ୍ଚି ଆଉ ଏକ ବଡ଼ କାର୍ଯ୍ୟକ୍ରମରେ ଯୋଗ‌ଦେଲେ। ଯଦିଓ ସିଧାସଳଖ ଏହାକୁ ଦଳୀୟ କାର୍ଯ୍ୟକ୍ରମ କୁହାଯାଇପାରିବ ନାହିଁ, ତଥାପି ପରୋକ୍ଷରେ ଏହା ବିଜେପିର କାର୍ଯ୍ୟକ୍ରମ ହିଁ ଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଶୋଭାଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅପରାଜିତାଙ୍କୁ କଟକ-ପାରାଦୀପ ରାସ୍ତାରେ ଯେପରି ସମ୍ବର୍ଦ୍ଧନା ଦିଆଗଲା ଓ ପାରାଦୀପ ସଭାରେ ସମାଗମ ପ୍ରତିଦ୍ବନ୍ଦ୍ବୀମାନଙ୍କ ପାଇଁ କିଛି ଭିନ୍ନ ବାର୍ତା ଦେବା ଭଳି ପ୍ରତୀୟମାନ ହେଉଛି। ଏହି କାର୍ଯ୍ୟକ୍ରମ ‌ପରେ ଏବେ ଅନେକ ରାଜନୈତିକ ପ୍ରଶ୍ନ ଉଠିଛି। ଗୁରୁତ୍ବପୂର୍ଣ୍ଣ ହେଲା ଗତକାଲି ଅପରାଜିତାଙ୍କ ଶୋଭାଯାତ୍ରାରେ ବିରୋଧୀ କଂଗ୍ରେସ ଓ ବିଜେଡିର କିଛି କର୍ମୀଙ୍କୁ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଅପରାଜିତାଙ୍କ ଏହି କାର୍ଯ୍ୟକ୍ରମକୁ ଏହି ଦୁଇ ଦଳରୁ କର୍ମୀମାନେ ଆସିଥିବା ନେଇ ଚର୍ଚ୍ଚା ଚାଲିଥିଲା। ଯଦିଓ ବିଜେପିର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଓ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କ ସମେତ କୌଣସି ନେତୃବୃନ୍ଦ ଏହି ସଭାକୁ ଆସିନଥିଲେ ତଥାପି ଦଳର ବହୁ କର୍ମୀ ଉପସ୍ଥିତ ଥିଲେ। ଏଣୁ ଯଦି ସମସ୍ତ ନେତୃବୃନ୍ଦ ଓ ସେମାନଙ୍କ କର୍ମୀ ଉପସ୍ଥିତ ଥିଲେ, ନିଶ୍ଚିତ ଭାବେ ଏହି କାର୍ଯ୍ୟକ୍ରମ ଭିନ୍ନ ଏକ ରୂପ ନେଇଥାନ୍ତା।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଦୁଇଟି କାର୍ଯ୍ୟକ୍ରମ ସମ୍ପର୍କରେ ଦଳର ହାଇକମାଣ୍ଡଙ୍କ ପାଖରେ ଖବର ଥିଲା। ଏଣୁ ଏହି ବିବାଦର ସମାଧାନ ପାଇଁ ରାଜ୍ୟ ସଭାପତି କିମ୍ବା ଅନ୍ୟ ବରିଷ୍ଠ ନେତୃବୃନ୍ଦ ପଦକ୍ଷେପ ନେଲେ ନାହିଁ। ଫଳସ୍ବରୁପ ଦଳର ଦୁଇ ଦୁଇଟି କାର୍ଯ୍ୟକ୍ରମ ପାରାଦୀପରେ ଆୟୋଜନ କରାଗଲା। ଦଳ ଭିତରେ ବିଭେଦ ଥିବା ମଧ୍ୟ ସ୍ପଷ୍ଟ ପ୍ରମାଣ ହୋଇଗଲା। ଆଗକୁ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ। ଏଣୁ ଏମିତି କାର୍ଯ୍ୟକ୍ରମ କରି ଦଳ କି ବାର୍ତ୍ତା ଦେବାକୁ ଚାହୁଁଛି, ତାହା ଠିକ୍ ଭାବେ ବୁଝି ହେଉ ନାହିଁ। ଏମିତିକି କିଛି କହୁଛନ୍ତି ଏବେ ବିଜେପିର ଯୁବ ନେତା ସମ୍ପଦ ସବୁ ଦଳର ଟାର୍ଗେଟରେ। ବିରୋଧୀ କଂଗ୍ରେସ ଓ ବିଜେଡି ତ ସ୍ବାଭାବିକ ଭାବେ ତାଙ୍କୁ ବିରୋଧ କରୁଛି। ମାତ୍ର ଦଳ ମଧ୍ୟରେ ରହି ବିରୋଧ କରୁଥିବା ନେତାମାନେ ମଧ୍ୟ ତାଙ୍କୁ ପରୋକ୍ଷରେ ଉଭୟ ମାନସିକ ଓ ସାଂଗଠନିକ ଦକ୍ଷତା ବୃଦ୍ଧି କରାଇବାରେ ସହାୟକ ହେଉଥିବା ଏବେ ଚର୍ଚ୍ଚା ହେଉଛି। ଅପରାଜିତା ସାମ୍ବାଦିକ ସମ୍ମିଳନୀରେ ଉଠାଇଥିବା ଜିଲ୍ଲାର ପ୍ରମୁଖ କେତୋଟି ପ୍ରସଙ୍ଗ ‌‌ଯେମିତିକି ପାରାଦୀପରେ ଶିଳ୍ପ ଥିଲେ ମଧ୍ୟ ସ୍ଥାନୀୟ‌ ଲୋକଙ୍କୁ ନିଯୁକ୍ତି ମିଳୁ ନାହିଁ, କଟକ-ପାରାଦୀପ ରାଜରାସ୍ତାକୁ ୪ ଲେନ୍ ପାଇଁ କେନ୍ଦ୍ର ସରକାରଙ୍କୁ ଏ ପର୍ଯ୍ୟନ୍ତ ପ୍ରସ୍ତାବ ଦିଆଯାଉ ନାହିଁ, ରାହାମା ଓ ତିର୍ତ୍ତୋଲରେ ଥିବା ଦୁଇଟି ସୂତାକଳର ପୁନଃଉଦ୍ଧାର ହୋଇନପାରିବା ଓ ରଘୁନାଥପୁରରେ ଡ୍ୟାମ୍ କିମ୍ବା ପୋଲର ଆବଶ୍ୟକତା ଥିଲେ ବି ଏ ପର୍ଯ୍ୟନ୍ତ ହୋଇନପାରିବା ଆଦି ପ୍ରସଙ୍ଗ ଉଠାଇଛନ୍ତି। ଏସବୁ ପ୍ରସଙ୍ଗ କେବଳ ଶାସକ ଦଳର ନେତାଙ୍କ ପାଇଁ ଆହ୍ବାନ ନୁହଁ ବରଂ ଆଗାମୀ ଦିନରେ ଭୋଟରଙ୍କୁ ସାମ୍ନା କରୁଥିବା ସବୁ ରାଜନୈତିକ ଦଳର ନେତାଙ୍କ ପାଇଁ ଏହା କୋଟିଏର ପ୍ରଶ୍ନ ଭାବେ ଠିଆ କରାଇଦେଇଛି। ତେବେ ଜିଲ୍ଲା ବିଜେପି ଏକଜୁଟ୍ ହୋଇ ଏହି ପ୍ରସଙ୍ଗକୁ ନେଇ ଲଢ଼େଇ ନ କରିପାରିଲେ, ଫାଇଦା ନେବା ମୁସ୍କିଲ ହେବ। ବିଜେପିର ଲାଭ ଅପେକ୍ଷା କ୍ଷତି ଅଧିକ ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe