୧୦ ପଞ୍ଚାୟତର ଚାଷୀଙ୍କ ୫୦ ବର୍ଷ ପୁରୁଣା ସ୍ବପ୍ନ ପୂରା ହେବ କେବେ?

Advertisment

ଡେଡଲାଇନ ଅବଧିକୁ ୩ ବର୍ଷ ପୂରିଲା, ସରୁନି ପ୍ରାଣଦେଇପୁର ବ୍ୟାରେଜ୍ ନିର୍ମାଣ କାମ

ଡେଡଲାଇନ ଅବଧିକୁ ୩ ବର୍ଷ ପୂରିଲା, ସରୁନି ପ୍ରାଣଦେଇପୁର ବ୍ୟାରେଜ୍ ନିର୍ମାଣ କାମ

୧୦ ପଞ୍ଚାୟତର ଚାଷୀଙ୍କ ୫୦ ବର୍ଷ ପୁରୁଣା ସ୍ବପ୍ନ ପୂରା ହେବ କେବେ?

Sambad

ପୋଲସରା: ଡେଡଲାଇନ ଅବଧିକୁ ୩ ବର୍ଷ ପୂରିସାରିଲାଣି। ତଥାପି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ହାତୀଓଟ ପଞ୍ଚାୟତ ଅଧୀନ ବାଘୁଆ ନଦୀ ଉପରେ ପ୍ରାଣଦେଇପୁର ବ୍ୟାରେଜ ନିର୍ମାଣ କାମ ସରିପାରୁନି। ଏହା କେବଳ ଅନୁଧ୍ୟାନ ଓ ସମୀକ୍ଷାରେ ସୀମିତ ରହିଥିବା ବେଳେ ୧୦ଟି ପଞ୍ଚାୟତର ଚାଷୀଙ୍କ ସ୍ବପ୍ନ କେବେ ପୂରଣ ହେବ, ଏନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ସୂଚନାନୁସାରେ, ହାତୀଓଟ, ବାଲିଛାଇ, କନିଆରି, ଘୋଡ଼ାପଲାଣ, କଳମ୍ବ, ସୁବଳୟା, ତେନ୍ତୁଳିଆ, ସାମନ୍ତରାପଲ୍ଲୀ, ଘଟକୁରି, ଖାରିଆ ଓ ପଞ୍ଚାୟତର ୫୬୦ ହେକ୍ଟର ଜମିକୁ ପାଣି ସୁବିଧା ଲାଗି ଏହି ବ୍ୟାରେଜ ନିର୍ମାଣର ପରିକଳ୍ପନା ହୋଇଥିଲା। ଯାହାଦ୍ବାରା ଧାନ ଓ ପନିପରିବା ଚାଷୀ ଉପକୃତ ହୋଇପାରିବେ। ଏହାକୁ ନଜର‌ରେ ରଖି ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ କ୍ଷୁଦ୍ର ଜଳସେଚନ ବିଭାଗ ଡିଭିଜନ-୨ ପକ୍ଷରୁ ୨୦୧୬ ମସିହା ଡିସେମ୍ବର ୧୮ ତାରିଖରେ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଓ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ଅବସରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଶୁଭ ଦେଇଥିଲେ। ଯାହାଦ୍ବାରା ୧୦ ପଞ୍ଚାୟତର ଚାଷୀଙ୍କ ୫୦ ବର୍ଷ ପୁରୁଣା ସମସ୍ୟାର ସମାଧାନ ହୋଇପାରିବ ‌ବୋଲି ସରକାର କହିଥିଲେ। କିନ୍ତୁ ବ୍ୟାରେଜ ନିର୍ମାଣ କାମ ଆରମ୍ଭରେ ବିଳମ୍ବ ହେଲା। ତେବେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରଚେଷ୍ଟାରେ ରାଜ୍ୟ ଓ ଜିଲ୍ଲାର ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଅଧିକାରୀମାନେ ଆସି ପ୍ରକଳ୍ପ ନିର୍ମାଣ ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ କରିବା ସହ ଅନୁଧ୍ୟାନ କରିଥିଲେ। ଶେଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ କୋଟି ୨୩ ଲକ୍ଷ ୩୦ହଜାର ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ହେବା ସହ ନିର୍ମାଣ କାମ ଆରମ୍ଭ ହୋଇଥିଲା।

୨୦୧୯ ମସିହା ମାର୍ଚ୍ଚ ୨୪ ତାରିଖରେ ଏହି ବ୍ୟ‌ାରେଜ ନିର୍ମାଣ କାମ ଶେଷ କରିବାକୁ ଡେଡଲାଇନ ମଧ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ଦୁଃଖର କଥା ହେଲା, ଡେଡଲାଇନ ଅତିବାହିତ ହୋଇ ଏହାମଧ୍ୟରେ ତିନିବର୍ଷରୁ ଅଧିକ ସମୟ ପୁରିସାରିଲାଣି। ତଥାପି କାମ ସରିପାରୁନି। ୧୦ଟି ସଟର ମଧ୍ୟରୁ ୬ଟି ସଟର ଗେଟର କାମ ଶେଷ ହୋଇଛି। କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଗୁଣନିଧି ପରିଗାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବାକି ୪ଟି ସଟରର କାମ ସରିଲେ ପାଣି ଯୋଗାଇ ଦିଆଯାଇପାରିବ। ଖୁବଶୀଘ୍ର କାମ ଶେଷ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ସେହିପରି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପଲେଇ ବି ସମାନ କଥା ଦୋହରାଇଛନ୍ତି। ତେବେ ସେ ଯାହା ହେଉନା କାହିଁକି, ୧୦ ପଞ୍ଚାୟତର ଶତାଧିକ ଚାଷୀ ସେମାନଙ୍କ ଜମିକୁ କେବେ ପାଣି ପାଇବେ ଏହା ସମୟ କହିବ। କାରଣ ବର୍ଷା ଅଭାବ ଦେଖାଦେଲେ ସେମାନଙ୍କ ଚାଷ କାମରେ ବାଧା ଉପୁଜୁଛି। ଏଦିଗରେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe