ପାଣିପାଗ: ପ୍ରଥମ ଦୁର୍ବଳ, ଦ୍ବିତୀୟ ଘୂର୍ଣ୍ଣିବଳୟ ବର୍ଷାଇବ

ଅଶାନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସଜୀବୀଙ୍କୁ ପରାମର୍ଶ

ପାଣିପାଗ: ପ୍ରଥମ ଦୁର୍ବଳ, ଦ୍ବିତୀୟ ଘୂର୍ଣ୍ଣିବଳୟ ବର୍ଷାଇବ

ବ୍ରହ୍ମପୁର: ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଯାଇଛି। ଏହାର ପ୍ରଭାବହୀନ ହୋଇ ପଡ଼ିବାରୁ ଆଜି ଗଞ୍ଜାମ ଜିଲ୍ଲାରେ ଆକାଶ ନିର୍ମଳ ଥିଲା ଓ ପ୍ରଚଣ୍ଡ ଖରା ହୋଇଥିଲା। କାଁ ଭାଁ ବର୍ଷା ହୋଇଛି। ବିଶେଷ କରି ପଶ୍ଚିମ ଗଞ୍ଜାମରେ ସାମାନ୍ୟ ବର୍ଷା ହୋଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୨.୧ କିମି ଏବ˚ ୫.୮ କିମି ଉଚ୍ଚତାରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତାକାଲି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିଲାଗି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୨୩ ତାରିଖ ପର୍ଯ୍ୟନ୍ତ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବ। ଏଥିସହ ସମୁଦ୍ର ମଧ୍ୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବ। ତେଣୁ ସମୁଦ୍ରକୁ ନ ଯିବାକୁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ୯ଟି ବ୍ଲକ୍‌ ଇଲକାରେ ସମୁଦାୟ ୮୪.୯ମିମି ବର୍ଷା ହୋଇଛି। ଜିଲ୍ଲାରେ ହାରାହାରି ୩.୮୬ମିମି ବର୍ଷା ରେକର୍ଡ଼ ହୋଇଛି। ଗଞ୍ଜାମ ବ୍ଲକ‌୍ ଇଲାକାରେ ସର୍ବାଧିକ ୨୫ମିମି ବର୍ଷା ହୋଇଛି। ଛତ୍ରପୁରରେ ୧୪.୬ ଓ ପୁରୁଷୋତ୍ତମପୁରରେ ୧୨ମିମି ବର୍ଷା ହୋଇଛି। ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି।

ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରଙ୍ଗେଇଲୁଣ୍ତା ଓ କୁକୁଡ଼ାଖଣ୍ତି ବ୍ଲକ୍‌ର ତଳି ଅଞ୍ଚଳ ବୁଲି ଦେଖିଛନ୍ତି। ଦୁଇଟି ଲେଖାଏଁ ବ୍ଲକ୍‌ ଦାୟିତ୍ବରେ ନିୟୋଜିତ ବରିଷ୍ଠ ଅଧିକାରୀ ମାନେ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ତଦାରଖ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ (୦୬୮୧୧-୨୬୩୯୭୮) ଓ ହେଲପ୍‌ଲାଇନ୍‌ ନମ୍ବର ୯୪୩୭୫୬୩୮୦୦ ଜାରି କରାଯାଇଛି। ସେହିପରି ଜଳସେଚନ ବିଭାଗ ପକ୍ଷରୁ ସମ୍ଭାବ୍ୟ ବନ୍ୟାର ମୁକବିଲା ଲାଗି ସଜାଗ ରହିଛି। ଜିଲ୍ଲାର ସମସ୍ତ ଜଳଭଣ୍ତାର ତଥା ଡ୍ୟାମ୍‌ର ଜଳସ୍ତରକୁ ୭୦ ପ୍ରତିଶତକୁ ହ୍ରାସ କରାଯାଇଛି। ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ୧୦ଟି ବସ୍‌କୁ ପ୍ରସ୍ତୁତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe