କାର୍ବନ୍‌ କମ୍ପାନିକୁ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦେଲା କିଏ?

Advertisment

ନିରାପତ୍ତା ସାମଗ୍ରୀ ବିନା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

ନିରାପତ୍ତା ସାମଗ୍ରୀ ବିନା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

କାର୍ବନ୍‌ କମ୍ପାନିକୁ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦେଲା କିଏ?

Sambad

ଜଗତସିଂହପୁର: ପାରାଦୀପ ଉପକଣ୍ଠ ଉଦୟବଟରେ ଥିବା ଘନଗଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନେଇ ଏକ ବିବାଦ ମୁଣ୍ଡ ଟେକିଛି। ଏହି ସ୍କୁଲର ୫୦ରୁ ଅଧିକ ଛାତ୍ରଛାତ୍ରୀ ନିକଟରେ ଥିବା ଏକ କାର୍ବନ୍‌ ଉତ୍ପାଦନ କମ୍ପାନି ମଧ୍ୟରେ ଆୟୋଜିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଶ୍ଚର୍ଯ୍ୟର କଥା ଜଣେ ହେଲେ ବି ଛାତ୍ରଛାତ୍ରୀ ନିରାପତ୍ତା ସାମଗ୍ରୀ ପରିଧାନ କରିନଥିଲେ। ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥାନକୁ ଛୋଟ ପିଲାଙ୍କୁ ପ୍ରବେଶ ପାଇଁ ଅନୁମତି କିଏ ଦେଲା, ଏହାକୁ ନେଇ କେହି ବି ମୁହଁ ଖୋଲୁ ନାହାନ୍ତି। ପାରାଦୀପରେ ଏକାଧିକ ଶିଳ୍ପ ସଂସ୍ଥା ରହିଛି। ସେଥିମଧ୍ୟରେ ଗୋଆ କାର୍ବନ୍‌ ନାମକ ଏକ ସଂସ୍ଥା ରହିଛି। ଏହି କମ୍ପାନି କୋଇଲାଗୁ ଗୁଣ୍ଡ କରି ସେଥିରୁ କାର୍ବନ୍‌ ଉତ୍ପାଦନ କରେ। ଏଣୁ କମ୍ପାନି ପରିସରରେ ସଦା ସର୍ବଦା ଅତି ଭୟଙ୍କର ଭାବେ କୋଇଲା ଗୁଣ୍ଡ ପଡ଼ିବା ସହ ଉଡ଼ୁଥିବା ଦେଖିବାକୁ ମିଳେ। ଏପରି ଏକ କମ୍ପାନି ମଧ୍ୟକୁ ଯିବା ପାଇଁ ହେଲେ ସମସ୍ତଙ୍କୁ ଆବଶ୍ୟକୀୟ ନିରାପତ୍ତା ସାମଗ୍ରୀ ପରିଧାନ କରି ଯିବାକୁ ହୁଏ। ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବାରୁ ଏଠାକୁ ସାଧାରଣ ଲୋକମାନଙ୍କୁ ଯିବା ପାଇଁ ଅନୁମତି ମିଳେନାହିଁ। ମାତ୍ର ଘନଗଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି କମ୍ପାନି ମଧ୍ୟରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେଠାରେ ପହଞ୍ଚି ଥିଲେ। ସେମାନଙ୍କ ସହ ସ୍କୁଲ୍‌ ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ। କମ୍ପାନି ମଧ୍ୟରୁ କାର୍ଯ୍ୟକ୍ରମ ଶେଷ କରି ଛାତ୍ରଛାତ୍ରୀମାନେ ବାହାରକୁ ବାହାରିବା ସମୟରେ ସେମାନଙ୍କୁ ଦେଖିଥିବା ସ୍ଥାନୀୟ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

କାର୍ବନ୍‌ କମ୍ପାନିର ପରିସର ସର୍ବଦା ବିପଦପୂର୍ଣ୍ଣ। ଏହା ମଧ୍ୟରେ ଯଦି କୌଣସି ପ୍ରକାର ଅଘଟଣ ଘଟିଥା’ନ୍ତା, ତେବେ ସେଥିପାଇଁ ଦାୟୀ କିଏ ରହିଥା’ନ୍ତା। କମ୍ପାନି ପକ୍ଷରୁ ଏହି ଅଭିଯୋଗକୁ ସେତେଟା ଗୁରୁତ୍ବ ପ୍ରଦାନ କରାଯାଇ ନାହିଁ। ‌କମ୍ପାନି କହିବା ମୁତାବକ, ଏହି ସ୍କୁଲକୁ ବିଭିନ୍ନ ସମୟରେ ଅନୁଦାନ ପ୍ରଦାନ କରାଯାଉଛି। ସ୍କୁଲ୍‌ ସହ କମ୍ପାନିର ଭଲ ସମ୍ପର୍କ ରହିଛି। ପ୍ରତ୍ୟେକ ବର୍ଷ ସେମାନେ ସ୍ବାଧୀନତା ଓ ସାଧାରଣତନ୍ତ୍ର ଦିବସ ପାଳନ କରିବା ପାଇଁ ଆସନ୍ତି। ଏହି ପ୍ରସଙ୍ଗକୁ ନେଇ ଏତେ ବିବାଦ କରିବା ଉଚିତ୍ ନୁହେଁ। ମାତ୍ର ସ୍କୁଲ୍‌ ପକ୍ଷରୁ ଏ ନେଇ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରାଯାଇଛି। ଏ ନେଇ ଅଭିଯୋଗ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିଆର୍‌ସିସି ସୁକାନ୍ତ ସ୍ବାଇଁ ଘନଗଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏମିତି ଏକ ଜାଗା ଛାତ୍ରଛାତ୍ରୀମାନଙ୍କୁ ପଠାଇବା ଆଦୌ ଠିକ୍ ହୋଇନାହିଁ ବୋଲି ସେ ମଧ୍ୟ ସ୍ବୀକାର କରିଛନ୍ତି। ସେ ଏନେଇ ବିଇଓଙ୍କୁ ଅବଗତ କରିଛନ୍ତି, ଏହାପରେ ଜିଲ୍ଲା ଶିକ୍ଷା ବିଭାଗ ଯାହା କିଛି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe