ବର୍ଷା ଅଭାବ, ଜଙ୍ଗଲୀ ପଶୁଙ୍କ ଦାଉରେ ଭାଗଚାଷୀ କଲବଲ

ବର୍ଷା ଅଭାବ, ଜଙ୍ଗଲୀ ପଶୁଙ୍କ ଦାଉରେ ଭାଗଚାଷୀ କଲବଲ

ଧଳାପଥର: ବର୍ଷା ଅଭାବରୁ ଧଳାପଥର-କଳାପଥର ଅଞ୍ଚଳର ଅଧିକାଂଶ ଚାଷ ଜମିରେ ଫଳନ୍ତି ଧାନ ଅଗାଡ଼ି ହେବାକୁ ବସିଛି। ଯେଉଁ କିଛି ଜମିରେ ଧାନ କି ପରିବା ଫସଲ ହୋଇଛି ସେସବୁ ଜଙ୍ଗଲୀ ପଶୁଙ୍କ ଦାଉରେ ନଷ୍ଟ ହୋଇଯାଉଛି। ଏହି ଭଳି ସ୍ଥିତିରେ ଭାଗଚାଷୀଙ୍କ ପାଇଁ କ୍ଷତିପୂରଣର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାରୁ ସେମାନେ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି।

କିଆପଲ୍ଲି ପଞ୍ଚାୟତ ଡେଙ୍ଗାଆମ୍ବ ଗାଁର ଚାଷୀ ସୁବାସ ପ୍ରଧାନ ୩ ଏକର ଜମି ଭାଗକୁ ଆଣି ଧାନ ଓ ପରିବା ଫସଲ କରିଥିଲେ। ବର୍ଷା ଅଭାବରେ ଧାନ ଫସଲ ନଷ୍ଟ ହେବାକୁ ବସିଥିବା ବେଳେ ପରିବା ଫସଲକୁ ଦୁଇଦିନ ପୂର୍ବେ ବର୍‌ହା ନଷ୍ଟ କରିଦେଇଛି। ତେବେ ଭାଗ ଚାଷୀଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା ନଥିବା ଯୋଗୁଁ  ସୁବାସ ଏବେ ମୁଣ୍ଡରେ ହାତ ଦେଇବସିଛନ୍ତି। ଏନେଇ ବନ ବିଭାଗ କର୍ମଚାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସରକାରଙ୍କ ବ୍ୟବସ୍ଥା ଅନୁସାରେ, ନିର୍ଦ୍ଧାରିତ ଆପ୍‌ରେ ଜଙ୍ଗଲୀ ପଶୁଙ୍କ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା  ଜମିର ଜିଓଟ୍ୟାଗ୍‌ ଓ ଫୋଟ ସହ ଜମିର ଖାତା ନମ୍ବର ଆଦି ଦେବାକୁ ହୋଇଥାଏ। ଭାଗଚାଷୀ ଏହା ଦେବା ସମ୍ଭବ ନୁହେଁ। ଯଦି ଦେବେ ତେବେ ଭାଗ ଚାଷୀ କିଛି ପାଇବେ ନାହିଁ ବରଂ ସମ୍ପୃକ୍ତ ଜମିର ମାଲିକ ଏହା ପାଇବେ। ବାଙ୍କୀ କୃଷକ ପରିଷଦର ସମ୍ପାଦକ ତଥା ଓକିଲ ପ୍ରଦୀପ୍ତ କୁମାର ପଟ୍ଟନାୟକ କହିଛନ୍ତି କେବଳ ସୁବାସ ନୁହନ୍ତ ଏଭଳି ଅନେକ ଭାଗଚାଷୀ ଏଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଚଳିତ ସରକାରୀ ବ୍ୟବସ୍ଥାରେ  କ୍ଷତିପୂରଣ ଓସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଏନେଇ ତୁରନ୍ତ ନୂତନ ଆଇନ ଆଣିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe