ରାଉରକେଲା: ଆସନ୍ତାକାଲି (ବୁଧବାର) ଠାରୁ ୧୫ ଦିନିଆ ଲକ୍ଡାଉନ। ଏଥିପାଇଁ ଆଜି ସହରର ଖୋଲିଥିବା ତିନିଟି ବିଦେଶୀ ମଦ ଦୋକାନରେ ଜମିଥିଲା ବେଶ୍ ଗହଳି। ମଦ ନେବାକୁ ଚାଲିଥିବା ଲୋକଙ୍କ ମଧ୍ୟରେ ଠେଲାପେଲା। କିଛି ଅସାଧୁ ବେପାରୀ ବୋହି ନେଇଥିଲେ ପେଟି ପେଟି ମଦ। କିଛି ବେପାରୀ ପୁଲିସକୁ ଚକ୍ମା ଦେଖାଇ ଖସି ଯିବାରେ ସକ୍ଷମ ହୋଇଥିଲେ। କିଛି ବେପାରୀକୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା। ପ୍ଲାଣ୍ଟସାଇଟ୍ ପୁଲିସ ପାୱାର ହାଉସ୍ ରୋଡ ଓ ଟ୍ରାଫିକ୍ ଗେଟରେ ପେଟ୍ରୋଲିଂ ବେଳେ ୩ ମଦ ବେପାରୀକୁ ଗିରଫ କରିଥିଲା। ଗିରଫ ବେପାରୀମାନେ ହେଲେ ଡିଏଭି ଲେନରେ ସୁମନ ପ୍ରଧାନ ଓ ତାଙ୍କ ଭାଇ ରାଜେଶ ପ୍ରଧାନ। ଟ୍ରାଫିକ୍ ମାର୍କେଟର ପିଣ୍ଟୁ ପଲାଇ। ଏମାନଙ୍କ ନିକଟରୁ ମୋଟ ୯ ପେଟି ବିଦେଶୀ ମଦ ସହ ଦୁଇଟି ମୋଟରବାଇକ୍ ଓ ଗୋଟିଏ ସ୍କୁଟି ଜବତ ହୋଇଛି। ସୁମନ ଓ ରାଜେଶ ଦୁଇଟି ପଲ୍ସର ମୋଟରବାଇକ୍ (ଓଡି୧୪ଟି-୫୦୩୧, ଓଡି୧୪ଏକ୍ସ-୨୪୮୦)ରେ ୬୦ ବୋତଲ ବିଦେଶୀ ମଦ ନେଇ ଯାଉଥିଲାବେଳେ ପୁଲିସ ଧରିଥିଲା। ସେହିପରି ଟ୍ରାଫିକ୍ମାର୍କେଟର ପିଣ୍ଟୁ ସ୍କୁଟି (ଓଡି୧୪ଇ-୯୫୨୧) ୪୮ ବୋତଲ ମଦ ନେଇ ଯାଉଥିବା ପ୍ଲାଣ୍ଟସାଇଟ୍ ପୁଲିସ ହାବୁଡରେ ପଡିଥିଲା। ଗିରଫ ତିନି ବେପାରୀକୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ଡେଲିମାର୍କେଟ ଅଞ୍ଚଳରୁ ପ୍ଲାଣ୍ଟସାଇଟ୍ ପୁଲିସ ଦୁଇଜଣ ଯୁବକ ଧରିଥିଲା। ଏମାନଙ୍କ ନିକଟରୁ ୪ ପେଟି ଅଥାତ୍ ୪୮ ବୋତଲ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ସହ ସ୍କୁଟି ଜବତ କରିଥିଲା।
୯ ପେଟି ବିଦେଶୀ ମଦ ଜବତ, ୩ ଗିରଫ
Advertisment
Follow Us