ଆନ୍ଦୋଳନରୁ ଓହରିଲେ ବିଜେଡି, ବିଜେପି

Advertisment

ବୋରିଗୁମ୍ମା ଏନଏସି ମାନ୍ୟତା ପ୍ରସଙ୍ଗ

ବୋରିଗୁମ୍ମା ଏନଏସି ମାନ୍ୟତା ପ୍ରସଙ୍ଗ

ଆନ୍ଦୋଳନରୁ ଓହରିଲେ ବିଜେଡି, ବିଜେପି

ଜୟପୁର/ ବୋରିଗୁମ୍ମା: କୋରାପୁଟ ଜିଲ୍ଲାର ବୃହତ୍ତମ ବ୍ଲକ ଭାବେ ପରିଚିତ ବୋରିଗୁମ୍ମାକୁ ଏନଏସି ମାନ୍ୟତା ପ୍ରଦାନ କରିବା ଦାବି ନେଇ ଗତ ତିନି ଦିନ ଧରି ଚାଲିଥିବା ଆନ୍ଦୋଳନକୁ ନେଇ ରାଜନୀତି ଜୋର୍‌ ଧରିଛି। ଗତ ତିନି ଦିନ ଧରି ଶାସକ ବିଜୁ ଜନତା ଦଳ ଧାରଣା ଦେଇଥିବା ବେଳେ ବିଜେପି ବି ଅନୁରୁପ ଢ଼ଙ୍ଗରେ ଧାରଣା ଆରମ୍ଭ କରିଥିଲା। ଏନ୍‌ଏସି ମାନ୍ୟତା ପ୍ରଦାନ କରିବା ଦାବି ନେଇ ଉଭୟ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳ ଧାରଣାର ଆଶ୍ରୟ ନେଇଥିବା ବେଳେ ଆଜି ସଂଧ୍ୟାରେ ଉଭୟ ଦଳ ଧାରଣାରୁ ଓହରି ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ସକରାତ୍ମକ ସୂଚନା ମିଳିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ବିଜେଡି ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ଭେଟିବେ ବୋଲି ସେ ସୂଚନା ଦେବା ସହ ଜିଲ୍ଲାପାଳ ବି ଏଥିନେଇ ସକରାତ୍ମକ ରିପୋର୍ଟ ପଠାଇଥିବା ସେ ସୂଚନା ଦେଇଛନ୍ତି। ଏହାକୁ ଭିତ୍ତିକରି ଦଳ ପକ୍ଷରୁ ଆରମ୍ଭ କରାଯାଇଥିବା ଧାରଣାକୁ ସ୍ଥଗିତ ରଖାଯାଇଥିବା ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ବୋରିଗୁମ୍ମାକୁ ଏନ୍‌ଏସି ଘୋଷଣା ଦାବିକୁ ନେଇ ବିଜେଡି ପକ୍ଷରୁ ଆୟୋଜିତ ଧାରଣାରେ ଜିଲ୍ଲା ସଭାପତି ତଥା କୋରାପୁଟ ସାଂସଦ ଝିନ୍ନ ହିକକା, ପଟାଙ୍ଗି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗିଙ୍କ ସମେତ ବରଷ୍ଠେ ନେତାମାନେ ଅଂଶ ଗ୍ରହଣ କରିଥିଲେ।

ଅପରପକ୍ଷରେ ବିଜେପି ପକ୍ଷରୁ ଗତ ଦୁଇ ଦିନ ଧରି ଏହି ଦାବିକୁ ନେଇ ଧାରଣା ଆରମ୍ଭ ହୋଇଥିବା ବେଳେ ବିଜେଡି ଧାରଣା ଦେଇ ଲୋକଙ୍କୁ ଭୂଆଁ ବୁଲାଇବା ସହ ଡ୍ରାମା ଚଲାଇଛି ବୋଲି ବିଜେପି ନେତା ଜୟରାମ ପାଙ୍ଗୀ ଅଭିଯୋଗ କରିଛନ୍ତି। ଆଜି ବୋରିଗୁମ୍ମା ଧାରଣାରେ ଅଂଶ ଗ୍ରହଣ କରିବା ପରେ ଶାସକ ଦଳର ଧାରଣାକୁ ତୀବ୍ର ସମାଲୋଚନା କରିବା ସହ ସରକାରୀ ଦଳ ଦାବି ପୂରଣ କରିବା ପାଇଁ ଧାରଣା ଦେବା ହାସ୍ୟାସ୍ପଦ ବୋଲି ସମାଲୋଚନା କରିଛନ୍ତି। ସରକାର ବିଜେପୁରକୁ ଏନ୍‌ଏସି ଘୋଷଣା କରିବା ଘଟଣାକୁ ସମାଲୋଚନା କରିବା ସହ ଆଗକୁ ଉପନିର୍ବାଚନ ଥିବା ଯୋଗୁଁ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ଘୋଷଣା କରିଛନ୍ତି। ରାଜ୍ୟ ସରକାର ରାଜ୍ୟର ଯେଉଁସବୁ ଅଂଚଳ ଏନ୍‌ଏସି ପାଇଁ ପ୍ରଯୁଜ୍ୟ ସେଗୁଡିକ ଏକାଥରେ ଘୋଷଣା ନକରି ବିଜେପୁର ପାଇଁ ଘୋଷଣା କରିବା ପଛରେ ରହସ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି। ସେଭଳି ଜୟପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଯେଭଳି ପଂଚାୟତ କାର୍ଯ୍ୟାଳୟ ଘେରାଉ କରାଯାଉଛି ତାହା କେବଳ ଧର୍ମକୁ ଆଖି ଠାର ବୋଲି ଅଭିଯୋଗ କରିଛନ୍ତି। ସରକାରରେ ରହି ଘେରାଉ ଓ ଧାରଣା ଦେବା କେବଳ ଡ୍ରାମା ବୋଲି ସେ ଅଭିଯୋଗ କରିଛନ୍ତି। ଆଜି ସଂଧ୍ୟାରେ ବିଡିଓ ଯୋଗେନ୍ଦ୍ର ମାଝୀ ବିଜେପିର ଧାରଣାସ୍ଥଳକୁ ଯାଇ ଦାବିପତ୍ର ଗ୍ରହଣ କରିଥିଲେ। କିଛି ସମୟ ଆଲୋଚନା ପରେ ଦଳ ଆନ୍ଦୋଳନରୁ ଓହରି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe