Sambad
ବନ୍ଧୁଗାଁ: ନଳକୂପ ଅଛି, ପାଣି ଆସୁନି। ବର୍ଷକ ବାରମାସ ଯାକ ଚୂଆ ପାଣି ଉପରେ ନିର୍ଭର କରୁଛନ୍ତି ଗାଁ ଲୋକେ। ନିର୍ବାଚନ ପରେ ନିର୍ବାଚନ ଆସୁଛି ଆଉ ଯାଉଛି। ପ୍ରତିଶ୍ରୁତିର ପାହାଡରେ ନେତାଏ ପୋତି ଦେଉଛନ୍ତି ସିନା ପାଣି ମୁନ୍ଦାଏ ମଳୁନି। ଏପରି ଗୁରୁତର ସମସ୍ୟା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାରେ ରହୁଥିବା ବନ୍ଧୁଗାଁ ବ୍ଲକର ପେଡାଲଡା ଗ୍ରାମ ପଞ୍ଚାୟତର କିନ୍ତଳଭଦ୍ର ଗାଁରେ। ଏହି ଗାଁରେ ୧୯୬୨ ମସିହାରୁ ରହି ଆସୁଛନ୍ତି ୪୫ ରୁ ଅଧିକ ଆଦିବାସୀ, ପରଜା ଓ ଅନ୍ୟ ପଛୁଆବର୍ଗର ପରିବାର।
ଏହି ଗାଁରେ ୩୫୦ରୁ ଅଧିକ ପରିବାର ରହୁଥିବାବେଳେ ଗାଁକୁ ପାଣି ଯୋଗାଣ ହୋଇ ପାରୁନାହିଁ। ରାଜ୍ୟ ସରକାର ଗାଁର ବିକାଶ କଥା କହୁଥିବାବେଳେ ଏବେ ଯାଏ ଗାଁକୁ ପାଣି ନ ମିଳିବା ବିକାଶ ଗାଥା ବଖାଣୁଛି। ବର୍ଷ ତମାମ୍ ନଦୀ ଓ ଚୁଆ ପାଣିରେ ପାନୀୟ ଜଳ ଚଳିଯାଉଥିବାବେଳେ ଖରାଦିନ ଆସୁ ଆସୁ ନଦୀ ଶୁଖିଲା ପଡେ। ଫଳରେ ପାନୀ ପାଇଁ ନାହିଁ ନ ଥିବା ହଇରାଣ ହୁଅନ୍ତି ଏହି ଗାଁର ଲୋକେ। ଗାଁଠୁ ଦେଢ କିଲୋମିଟର ଦୂରରେ ରହିଥିବା ଏକ ନଳକୂପରୁ ପାଣି ଆଣି ବ୍ୟବହାର କରୁଥିଲେ।
Sambadସେଥିରୁ ମଧ୍ୟ ମାଟିମିଶା ପାଣି ବାହାରୁଥିବାରୁ ବ୍ୟବହାରରେ ହୋଇପାରୁନାହିଁ। ୱାର୍ଡ ମେମ୍ବର କାର୍ଡରକା ଶିତେ କହିଛନ୍ତି ଯେ ପାଣି ମୁନ୍ଦାଏ ପାଇଁ ୨୦୧୯ ରୁ ଅଭିଯୋଗ କରି କରି ଥକି ଗଲୁଣି। ସବୁବେଳେ ନେତାଙ୍କ ପରି ପ୍ରଶାସନ ପ୍ରତିଶ୍ରୁତି ଦେଇ ଠକି ଦେଉଛି। ଏତର ଯଦି ପାଣି ନ ମିଳେ ତେବେ ଭୋଟ ବର୍ଜନ କରିବୁ ବୋଲି ସେ କହିଛନ୍ତି। କାର୍ଡରକା ଲାଚୁମା କହିଛନ୍ତି ଯେ ବର୍ଷାଦିନେ ଯେମିତି ସେମତି ନଦୀ ପାଣି ପିଇ ପରିବାର ଚଳିଯାଉଛି। ଖରାଦିନ ଆସୁ ଆସୁ ଏହିଠାରେ ପାଣି ଶୁଖିଯାଇଥାଏ। ଫଳରେ ନିକଟରେ ରହିଥିବା ସ୍କୁଲରୁ ପାଣି ଆଣି ବ୍ୟବହାର କରିଥାଉ।
ଏବେ ସେଠାରୁ ମଧ୍ୟ ପାଣି ଖରାପ ପଡୁଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛୁ। ପ୍ରଶାସନ ଆମକୁ ପାଣି ତୁରନ୍ତ ଯୋଗାନ୍ତୁ ବୋଲି ସେ କହିଛନ୍ତି। କାର୍ଡରକା ଆପନା କହିଛନ୍ତି ଯେ ଅଭିଯୋଗ ଦେଇ ଦେଇ ଥକିଲୁଣି। ହେଲେ ଆମ କଥା ନା ସ୍ଥାନୀୟ ପ୍ରଶାସନ ନା ସ୍ଥାନୀୟ ପ୍ରତିନିଧି କେହିବି ଶୁଣିଲେ ନାହିଁ। ଆସନ୍ତା ନିର୍ବାଚନରେ ଗାଁକୁ ସେମାନଙ୍କୁ ପଶେଇ ଦେବୁ ନାହିଁ ବୋଲି ସେ କହିଛନ୍ତି। ଏନେଇ ସରପଞ୍ଚ ରତ୍ନା ହାରେକା କହିଛନ୍ତି ଯେ ନଳକୂପ ଖନନ ପାଇଁ ପ୍ରଶାସନକୁ କୁହାଯାଇଛି। ଆସନ୍ତା ଦିନରେ ନଳକୂପ ବସାଯିବ। ଏନେଇ ପିଇଓ ଓ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ ଦେଇଛି ବୋଲି ସେ କହିଛନ୍ତି।
Follow Us