ତାଳଦଣ୍ତା କେନାଲ ଶୁଖିଲା, ୮ହଜାର ୫ ଶହ ହେକ୍ଟର ଜମିରେ ଚାଷ ଠପ୍‌

Advertisment
ତାଳଦଣ୍ତା କେନାଲ ଶୁଖିଲା, ୮ହଜାର ୫ ଶହ ହେକ୍ଟର ଜମିରେ ଚାଷ ଠପ୍‌

Sambad

କୁଜଙ୍ଗ: ଜଳସମ୍ପଦ ବିଭାଗର ପ୍ରତି ବର୍ଷ ଭଳି ଚଳିତ ବର୍ଷ କେନାଲରେ ପାଣି ଛାଡ଼ିବା ବିଳମ୍ବ କରିଛି। ଫଳରେ ଜିଲ୍ଲା ପ୍ରମୁଖ ତାଳଦଣ୍ଡା କେନାଲ ଶୁଖିଲା ପଡ଼ିଛି। ଏଣେ ଆବଶ୍ୟକ ପରିମାଣର ବର୍ଷା ନଥିବାରୁ ଏହି ବ୍ଲକ୍‌ର ୮ ହଜାର ୫ଶହ ହେକ୍ଟର ଜମିରେ ଧାନ ଚାଷ କାମ ଠପ୍ ହୋଇ ଯାଇଛି। ତାଳଦଣ୍ତା କେନାଲ ଉପରେ ନିର୍ଭର କରି ପ୍ରତି ବର୍ଷ ତଳି ପକାଇଥାନ୍ତି। ଖାସ୍‌ କେନାଲ ପାଣି ନଥିବାରୁ ୫ଶହ ହେକ୍ଟର ଜମିରେ ତଳି ପକା ଆରମ୍ଭ ହୋଇନଥିବା କୃଷି ବିଭାଗ ତଥ୍ୟରୁ ଜଣାପଡ଼ିଛି। ମୌସୁମୀ ବର୍ଷାର ଅନିୟମିତତା ସହିତ ଜଳସମ୍ପଦ ବିଭାଗର ଅବହେଳ ପାଇଁ ଏବେ ଚାଷକାର୍ଯ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଛି ବୋଲି ଚାଷୀ ମହଲରୁ ଅଭିଯୋଗ ହୋଇଛି। କୁଜଙ୍ଗ ବ୍ଳକରେ ମୋଟ ୧୫ ହଜାର ୪ ଶହ ୭୮ ହେକ୍ଟର ଚାଷ ଜମି ରହିଥିବାବେଳେ ସେଥିରୁ ଚଳିତ ବର୍ଷ ୧୩ ହଜାର ୫ ଶହ ୭୦ ହେକ୍ଟର ଜମିରେ ଖରିଫ ଚାଷ କରାଯାଉଛି। ତେବେ ଜୁନ୍‌ ମାସ ୧୫ ତାରିଖ ମଧ୍ୟରେ ତାଳଦଣ୍ତା କେନାଲରେ ଜଳ ପ୍ରବାହ ହେବା କଥା। ମାତ୍ର ଏକମାସ ବିଳମ୍ବ ହୋଇ ଗଲାଣି, ପାଣି ଆସୁନାହିଁ।

ଗତବ‌ର୍ଷ କେନାଲରେ ମରାମତି କାମ ଯୋଗୁଁ ଏପରି ପାଣି ଆସିବା ବିଳମ୍ବ ଯୋଗୁଁ ଚାଷୀ ଅସନ୍ତୋଷ ତୀବ୍ର ହୋଇଥିଲା। ଏବର୍ଷ ମଧ୍ୟ ଅନୁରୂପ ଭାବେ ଚ‌ାଷୀ ଅସନ୍ତୋଷ ଆରମ୍ଭ ହେଲାଣି। ୫ ହଜାର ୪ ଶହ ୮୦ ହେକ୍ଟର ଖାଲ ଜମିରୁ ସ୍ବଳ୍ପ ପରିମାଣର ପାଣିରେ ପ୍ରାୟ ୪ ହଜାର ୫ ଶହ ୮୦ ହେକ୍ଟର ଜମିରେ ରୁଆ ବେଉଷଣ କାର୍ଯ୍ୟ ହୋଇଛି। ଫଳରେ ଚଳିତ ବର୍ଷ ଖରିଫ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି। ତେବେ ଲଗାତାର ଭାବେ ଠିକ୍‌ ଖରିଫ୍ ଚାଷ ପୂର୍ବରୁ ଏପରି ପାଣି ବନ୍ଦ ରଖାଯିବା ଦ୍ବାରା ଚାଷୀମାନଙ୍କ ଭାଗ୍ୟ ଭବିଷ୍ୟତ ସଂଗଟ ଭିତରକୁ ଠେଲି ‌େହାଇ ଯାଉଛି। କୁଜଙ୍ଗର ଅତିରିକ୍ତ କୃଷି ଅଧିକାରୀ ପ୍ରଦୋଷ କୁମାର ବେହେରା ମଧ୍ୟ କେନାଲ ପାଣି ନଆସିବାରୁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଥିବା ସ୍ବୀକାର କରିଛନ୍ତି। ତେବେ ଜଳସମ୍ପଦ ବିଭାଗର ଏସଡ଼ିଓ ପ୍ରମୋଦ ସାହୁ ଖୁବଶିଘ୍ର କେନାଲରେ ପାଣିଛଡ଼ାଯିବ ଓ ସମସ୍ୟା ଦୂର ହେବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe