ପରକୀୟା ପ୍ରୀତି: ଯୁବକଙ୍କୁ ଲଣ୍ଡା କରି ଜୋତାମାଳ ପିନ୍ଧାଇ ବୁଲାଇଲେ, ଲଜ୍ଜାରେ ମହିଳା ଜୀବନ ହାରିଲେ

Advertisment

ଲୋକ ଲଜ୍ଜାରୁ ମହିଳାଙ୍କ ଆତ୍ମହତ୍ୟା

ଲୋକ ଲଜ୍ଜାରୁ ମହିଳାଙ୍କ ଆତ୍ମହତ୍ୟା

ପରକୀୟା ପ୍ରୀତି: ଯୁବକଙ୍କୁ ଲଣ୍ଡା କରି ଜୋତାମାଳ ପିନ୍ଧାଇ ବୁଲାଇଲେ, ଲଜ୍ଜାରେ ମହିଳା ଜୀବନ ହାରିଲେ
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଇଲାକାରେ ଆଜି ଅତ୍ୟନ୍ତ ଲଜ୍ଜାଜନକ ଓ ଅଭାବନୀୟ ଘଟଣା ସବୁ ମହଲକୁ ସ୍ତବ୍ଧ କରିଦେଇଛି। ପରକୀୟା ପ୍ରୀତି ପ୍ରଘଟ ପରେ ଯୁବକଙ୍କୁ ଗାଁ ସଭାରେ ନିର୍ଯାତନା ଦେଇ ଲଣ୍ଡା କରି ବେକରେ ଜୋତାମାଳ ପିନ୍ଧାଇ ବୁଲାଇଛନ୍ତି। ଅନ୍ୟପଟେ ଲୋକଲଜ୍ଜା ଭୟରେ ଗାଁର ମହିଳା ଜଣକ ବିଷପିଇ ଜୀବନ ହାରି ଦେଇଛନ୍ତି। ଖଲ୍ଲିକୋଟ ଥାନା ପୁଲିସ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବ‌େଳେ ଗ୍ରାମବାସୀଙ୍କ କବଳରୁ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ପ୍ରକାଶ ଥାଉ କି ମହିଳାଙ୍କ ବାପାଘର ଖାରିବନ୍ଧ ଗ୍ରାମରେ ହୋଇଥିବା ବେଳେ ସେ ତେନ୍ତୁଳିଆପାଲ୍ଲୀ ଗ୍ରାମରେ ବାହା ହୋଇଥିଲେ। ତାଙ୍କର ସ୍ବାମୀ ଦୁବାଇରେ ଦାଦନ ଖଟୁଛନ୍ତି। ମହିଳାଙ୍କ ଦୁଇ ପୁଅ ଅଛନ୍ତି। ଏବେ ତାଙ୍କ ଦୁଇ ପୁଅ ମା’ ଛେଉଣ୍ଡ ହୋଇ ପଡ଼ିଛନ୍ତି।
ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପାଲ୍ଲୀ ଗ୍ରାମର ଜନୈକା ୩୨ ବର୍ଷୀୟା ବିବାହିତା ମହିଳାଙ୍କ ଘରକୁ ବିଳମ୍ବିତ ରାତିରେ ବାଗଲପୁର ଗ୍ରାମର ସୁଶାନ୍ତ ସ୍ବାଇଁ ନାମକ ଜଣେ ଯୁବକ ଆସିଥିବା ଗ୍ରାମବାସୀ ଖବର ପାଇଥିଲେ। ସମ୍ପୃକ୍ତ ମହିଳାଙ୍କ ସହିତ ସୁଶାନ୍ତଙ୍କ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ହୋଇ ଆସୁଥିଲା। ଏଣୁ ଗାଁର କିଛି ମହିଳା ଓ ପୁରୁଷ ଏହାକୁ ବିରୋଧ କରି ଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ସୁଶାନ୍ତ ସମ୍ପୃକ୍ତ ମହିଳାଙ୍କ ଘରକୁ ଆସିଥିବା ବେଳେ ମହିଳାମାନେ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କ ଘର ବାହାରୁ ତାଲା ପକାଇ ଦେଇଥିଲେ। ପରେ ଗ୍ରାମର ସମସ୍ତଙ୍କ ଉପସ୍ଥିତିରେ ତାଲା ଖୋଲା ଯାଇଥିଲା। ଯାଞ୍ଚ ପରେ ଘର ଭିତରେ ସୁଶାନ୍ତ ଥିବା ଜଣା ପଡ଼ିଥିଲା।
ଗ୍ରାମବାସୀ ସୁଶାନ୍ତଙ୍କୁ କାବୁ କରିଥିଲେ। ଆଜି ସକାଳେ ଗାଁରେ ପଞ୍ଚଙ୍କ ବୈଠକ ଡକା ଯାଇଥିଲା। ଗ୍ରାମବାସୀ ସୁଶାନ୍ତଙ୍କୁ ସେହି ସଭାରେ ନାନା ନିର୍ଯାତନା ଦେବା ସହିତ ଲଣ୍ଡା କରି ଦେଇଥିଲେ। ମୁହଁରେ କଳା ବୋଳି ଜୋତାମାଳ ପିନ୍ଧାଇ ଗାଁ ପରିକ୍ରମା କରାଇଥିଲେ। ସେପଟେ ମହିଳା ଜଣକ ଲଜ୍ଜା ଓ ଅପମାନ ସହିନପାରି ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପଡ଼ୋଶୀ ଲୋକ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ମେଡିକାଲରେ ପହଞ୍ଚି ମହିଳାଙ୍କ ଶବ ଜବତ କରିଥିଲା। କେସ୍ ନମ୍ବର ୧୪/୧୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ତେନ୍ତୁଳିଆପଲ୍ଲୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ। ପୁଲିସ ଏ ଦିଗରେ ତଦନ୍ତ ଜାରି ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe