Photo: Bignews English
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡୁମୁନିଗୁଡ଼ା ଗାଁରେ ପୋଖରୀରେ ବୁଡ଼ି ଆଜି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ପରିତ୍ୟକ୍ତା ମହିଳା ଜଣକ ହେଲେ ମିତୁଳା ସିଂ (୨୨)। ସେ ଆଜି ଅପରାହ୍ନରେ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବା ଯାଇଥିଲେ। ଗାଧୋଇବା ସମୟରେ ମିତୁଳାଙ୍କ ଗୋଡ଼ ଖସି ଯାଇଥିଲା।
ସୂଚନା ଅନୁସାରେ ସ୍ୱାମୀ ପରିତ୍ୟକ୍ତା ମିତୁଳା ସିଂ ନିଜ ବାପ ଘରେ ରହୁଥିଲେ। ସେ ଆଜି ଅପରାହ୍ନରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ପରିବାର ଲୋକେ ଅପରାହ୍ନ ୩ ଘଣ୍ଟା ସମୟରେ ଗାଁ ପୋଖରୀରେ ମିତୁଳା ପାଣିରେ ବୁଡ଼ିଯାଇଥିବା ଜାଣିବାକୁ ପାଇଥିଲେ।
ଏ ନେଇ ମିତୁଳା ସିଂଙ୍କ ଭାଇ ରାମଚନ୍ଦ୍ର ମାଝୀ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ପୋଖରୀରୁ ମୃତଦେହ ଉଦ୍ଧାର କରି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏ.ଏସ୍.ଆଇ ଗୌରଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ପରେ ରବିବାର ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।
Follow Us