ଟିକାକେନ୍ଦ୍ରରେ ଦଳାଚକଟା, ମହିଳାଙ୍କ ପିଞ୍ଜରା ହାଡ଼ ଭାଙ୍ଗିଲା

Advertisment
ଟିକାକେନ୍ଦ୍ରରେ ଦଳାଚକଟା, ମହିଳାଙ୍କ ପିଞ୍ଜରା ହାଡ଼ ଭାଙ୍ଗିଲା

ପୋଲସରା: ଟିକାକେନ୍ଦ୍ରରେ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ କରି ଆସିଥିବା ଏବଂ ସ୍ପଟ୍‌ ରେଜିଷ୍ଟ୍ରେସନ୍‌ କରିବାକୁ ଆସିଥିବା ଲୋକଙ୍କ ଅସମ୍ଭବ ଭିଡ଼ ଲାଗିଥିଲା। ଶେଷରେ ଠେଲାପେଲାରୁ ଦଳାଚକଟା ମଧ୍ୟ ହେଲା। ଟିକା ନେବାକୁ ଆସିଥିବା ଜଣେ ମହିଳା ଏତିକିବେଳେ ତଳେ ପଡ଼ିଯାଇ ଦଳାଚକଟାରେ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଛି। ମହିଳାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପୋଲସରା ପରେ ଗୁରୁତର ଭାବେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଏନ୍ଏସି କାର୍ଯ୍ୟାଳୟ ନିକଟ କଲ୍ୟାଣମଣ୍ଡପ ଟିକା କେନ୍ଦ୍ରରେ।

ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆଜି ଉକ୍ତ କଲ୍ୟାଣମଣ୍ଡପରେ ଦିନ ୯ରୁ କରୋନା ଟିକାକରଣ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ସେଥିପାଇଁ ବ୍ଲକ୍ ଓ ଏନ୍ଏସି ଅଞ୍ଚଳରୁ ଶହ ଶହ ଲୋକ ଟିକା ନେବା ପାଇଁ ଭିଡ଼ ଲଗାଇଥିଲେ। ୯ଟାରେ କଲ୍ୟାଣମଣ୍ଡପ ଫାଟକ ଖୋଲାଯିବା ବେଳେ ଉପସ୍ଥିତ ଲୋକେ ଠେଲାପେଲା ହୋଇ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। କେତେକ ଲୋକ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ଦଳଚକଟା ହୋଇଥିଲା। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଲକ୍ଷ୍ମଣପଲ୍ଲୀ ଗ୍ରାମର ଭାନୁମତି ସାହୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରା ଯାଇଥିଲା।

ତେବେ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିବାରୁ ଡାକ୍ତରମାନେ ତୁରନ୍ତ ଅସ୍ତ୍ରୋପଚାର ପାଇଁ କହିଛନ୍ତି। ଏଥିପାଇଁ ଲକ୍ଷାଧିକ ଟଙ୍କା ଦରକାର ହେଉଥିବା ବେଳେ ଭାନୁମତିିଙ୍କ ପୁଅ ବୁଲୁଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ଅସମ୍ଭବ, ଟଙ୍କା ଯୋଗାଡ଼ କରି ନପାରି ମେଡିକାଲରୁ ମା'ଙ୍କୁ ଘରକୁ ଫେରାଇ ଆଣିଛନ୍ତି। ବୁଲୁ ଗରିବ ଶ୍ରେଣୀର ଓ ପରିବା ବିକ୍ରି କରି ପରିବାର ଚଳାନ୍ତି। ମା' ଏବେ ଘରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅନ୍ୟପକ୍ଷେ ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିଛି। ତୁରନ୍ତ ଚିକିତ୍ସା ପାଇଁ ପ୍ରଶାସନ ସହାୟତା କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe