ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ନଇରୀ ଦାଣ୍ଡ ସାହିରେ ଗତ ମାର୍ଚ୍ଚ ୭ ତାରିଖରେ ଘଟିଯାଇଥିବା ଅଗ୍ନିକାଣ୍ଡରେ ଗୁରୁତର ଆହତ ମହିଳାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ପରିବାର ପକ୍ଷରୁ କୁହାଯାଇଛି । ସୂଚନାରୁ ପ୍ରକାଶ , ଗତ ମାର୍ଚ୍ଚ ମାସ ୭ ତାରିଖ ସକାଳେ ଚିଲିକା ବ୍ଲକର ନଇରୀ ଦାଣ୍ଡ ସାହିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ସାହିର ସୁଦାମ ବେହେରାଙ୍କ ପତ୍ନୀ ଇନ୍ଦୁ ବେହେରା (୪୫ ବର୍ଷ) ନିଜ ରୋଷେଇ ଘରେ ରାନ୍ଧୁଥିବା ବେଳେ ଗ୍ୟାସ ଲିକ ହୋଇ ଚାଳରେ ନିଆଁ ଧରିବାରୁ ଏହା ଆଖପାଖ ଘର ଚାଳକୁ ବ୍ୟାପିଯାଇଥିଲା।
ଗଂଗାଧରପୁର ଦମକଳ ଆସି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷ ଉଦ୍ଧାର ହୋଇପାରିନଥିଲା। ଏଥିରେ ମୋଟ ୯ ଟି ପରିବାରର ସର୍ବସ୍ବ ଜଳିଯାଇଥିଲା। ଏଥିସହ ସୁଦାମ ବେହେରାଙ୍କ ପତ୍ନୀ ଇନ୍ଦୁ ବେହେରା (୪୫ ବର୍ଷ) ଙ୍କ ଶରୀରରେ ନିଆଁ ଲାଗି ଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ସରକାରୀ ମେଡିକାଲରେ ଭର୍ତି କରାଯାଇଥିଲା।
ସେହି ଦିନଠାରୁ ତାଙ୍କର ସେଠାରେ ଚିକିତ୍ସା ଚାଲିଥିବାବେଳେ ଅଚାନକ ତାଙ୍କ ଅବସ୍ଥାରେ ଅବନତି ଘଟିଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସାରା ନଇରୀ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି। ଆର୍ଥିକ ଅନଗ୍ରସର ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସ୍ତରରେ ତୁରନ୍ତ ଥଇଥାନ ପାଇଁ ଦାବି ହେଉଛି।
Follow Us