ଆଦିବାସୀ ମହିଳାଙ୍କ ଢିଙ୍କିକୁଟା ଚାଉଳ: ବଢୁଛି ଚାହିଦା, ଦେଉଛି ରୋଜଗାର

Advertisment
ଆଦିବାସୀ ମହିଳାଙ୍କ ଢିଙ୍କିକୁଟା ଚାଉଳ: ବଢୁଛି ଚାହିଦା, ଦେଉଛି ରୋଜଗାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ ପରିବାରର ମହିଳାମାନଙ୍କ ପାଇଁ ରୋଜଗାରର ବଡ଼ ମାଧ୍ୟମ ହୋଇପାରିଛି। ବଜାରରେ ଏହି ନାଲି ଚାଉଳ ବା ପୁଷ୍ଟିଯୁକ୍ତ ଚାଉଳର ଭଲ ଚାହିଦା ରହିଛି। ଏଥିରେ ପୋଷଣ ଗୁଣ ରହିଥିବାରୁ ସାଧାରଣ ଚାଉଳଠାରୁ ଏହା ଅଧିକ ଦାମରେ ବିକ୍ରି ହେଉଛି। ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲ୍ଲାର ୯ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକରେ ଆଇଟିଡିଏ ପକ୍ଷରୁ ମୋଟ ୧୮ଟି ‘ବନ ଧନ ବିକାଶ କେନ୍ଦ୍ର’ ବା ଭିଡିଭିକେ ୟୁନିଟ୍ ଗଠନ କରାଯାଇଛି। ଏହା ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନଙ୍କୁ ବିଭିନ୍ନ ଜୀବିକା ବିକାଶ ଲାଗି ଆର୍ଥିକ ପ୍ରୋତ୍ସାହନ ସହ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ପ୍ରତି ଭିଡିଭିକେ ୟୁନିଟରେ ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯାଇଛି। ଫଳରେ ପ୍ରତି ୟୁନିଟ ଅଧୀନରେ ୩୦୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି।

publive-image

ଢିଙ୍କିକୁଟା ଚାଉଳ ଉତ୍ପାଦନ ପାଇଁ ପ୍ରତି ଦୁଇ ଜଣ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଗୋଟିଏ କରି ପାରମ୍ପରିକ ଢିଙ୍କି ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୨୦୦ ମହିଳାଙ୍କ ପାଇଁ ୬୦୦ଟି ଢିଙ୍କି ଯୋଗାଇ ଦିଆଯାଇଛି। ଏହାସହ ସେମାନଙ୍କୁ ଓଜନ ମାପ ଓ ପ୍ୟାକେଜିଂ ମେସିନ ମଧ୍ୟ ଦିଆଯାଉଛି। ଭିଡିଭିକେ ସଦସ୍ୟାମାନେ ଢିଙ୍କି କୁଟି ଧାନରୁ ପୁଷ୍ଟିଯୁକ୍ତ ଚାଉଳ ବାହାର କରୁଛନ୍ତି। ତାକୁ ଓଜନ ମେସିନରେ ମାପି ପରେ ତା’ର ପ୍ୟାକେଜିଂ କରୁଛନ୍ତି। ବଜାରରେ ସାଧାରଣ ଚାଉଳ ଅପେକ୍ଷା ଏହି ଢିଙ୍କିକୁଟା ଚାଉଳ କିଲୋଗ୍ରାମ୍ ପିଛା ପ୍ରାୟ ୩ଗୁଣା ଅଧିକ ଦରରେ ବିକ୍ରି ହେଉଛି। ଏହି ଚାଉଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ରାଜ୍ୟରେ ବିଭିନ୍ନ ଆଦିବାସୀ କ୍ଷେତ୍ରରେ ‘ବନ ଧନ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ ସହ ଖଲିପତ୍ର ସିଲେଇ ଏବଂ ବିଭିନ୍ନ ବନଜାତ ଦ୍ରବ୍ୟରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହି ଜୀବିକା କାର୍ଯ୍ୟକ୍ରମ ଫଳରେ ସ୍ଥାୟୀ ରୋଜଗାର ବଢ଼ିବା ସହ ସେମାନଙ୍କ ଜୀବନଧାରଣ ମାନରେ ମଧ୍ୟ ବିଶେଷ ଉନ୍ନତି ଆସିପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe