ସଶକ୍ତୀକରଣରେ ଆଉ ଏକ ମାଇଲ୍ ଖୁଣ୍ଟ : ୧୯ ଜଣ ମହିଳା ଚଳାଉଛନ୍ତି ଆବର୍ଜନା ଗାଡ଼ି

Advertisment
ସଶକ୍ତୀକରଣରେ ଆଉ ଏକ ମାଇଲ୍ ଖୁଣ୍ଟ : ୧୯ ଜଣ ମହିଳା ଚଳାଉଛନ୍ତି ଆବର୍ଜନା ଗାଡ଼ି

ଜୟପୁର: ପାଇଲ ସାହିର ସସ୍ମିତା ସାହୁ ଓ ଗୋପବନ୍ଧୁ ନଗରର ବିନ୍ଧିୟା ହିଆଲ ଅଣ୍ଟା ଭିଡ଼ିଛନ୍ତି କିଛି ରୋଜଗାର କରିବାକୁ। ପିଲାଛୁଆ ଓ ପରିବାର କାମ ବୁଝିବା ସହ ନିଜ ପରିବାରର ଆର୍ଥିକ ସମସ୍ୟାକୁ କମ୍ କରିବାକୁ ସେମାନେ ପଦାକୁ ଗୋଡ଼ କାଢ଼ିଛନ୍ତି। ସେମାନଙ୍କ ହାତରେ ଏବେ ସହରର ଆବର୍ଜନା ବୋହୁଥିବା ଗାଡ଼ିର ହ୍ୟାଣ୍ଡଲ। ସେମାନଙ୍କ ଭଳି ଅନ୍ୟ ୧୭ଜଣ ମହିଳା ବି ଏବେ ଜୟପୁର ସହରରେ ଆବର୍ଜନାବୁହା ଗାଡ଼ି ଚଳାଇ ସ୍ବାବଲମ୍ବୀ ହୋଇପାରିଛନ୍ତି। ପୂର୍ବରୁ କେବଳ ପୁରୁଷମାନେ ଏହି ଗାଡ଼ି ଚଳାଉଥିବା ବେଳେ ଏବେ ଏହି ମହିଳାମାନେ ଚଳାଇ ନିଜେ ସଶକ୍ତ ହୋଇ ଏକ ନୂଆ ମାଇଲ୍ ଖୁଣ୍ଟ ସ୍ଥାପନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସହରର ୧୯ଟି ମହିଳା ସ୍ବୟଂ ସହାୟକ ଦଳର ଜଣେ ଜଣେ ମହିଳାଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ିଚାଳନା କରିବାକୁ ତାଲିମ୍ ଦେଇଥିଲା ପୌରପାଳିକା। ମାସକ ତାଲିମ୍ ନେବା ପରେ ଏବେ ଏହି ଗାଡ଼ି ଚାଳନା କରିବାରେ ମହିଳାମାନେ ସିଦ୍ଧହସ୍ତ ହୋଇ ପାରିଥିଲେ। ତେଣୁ ପୌରପାଳିକା ପକ୍ଷରୁ ଆବର୍ଜନା ଗାଡ଼ି ଚଳାଇବାକୁ ସେମାନଙ୍କୁ ସୁଯୋଗ ଦିଆଯାଇଥିଲା। ଦୁଆର ଦୁଆର ବୁଲି ଆବର୍ଜନା ସଂଗ୍ରହ କରିବା ଓ ଗାଡ଼ିରେ ଲଦି ଡମ୍ପିଂୟାର୍ଡ ପର୍ଯ୍ୟନ୍ତ ନେବା କାମ କରିବାକୁ ସେମାନେ ରାଜି ହୋଇଥିଲେ। ମାସିକ ୧୦ ହଜାର ଟଙ୍କା ଦରମାରେ ସେମାନେ କାମ ଆରମ୍ଭ କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ କାମ ଜାରି ରଖିଛନ୍ତି। ପ୍ରତିଦିନ ସକାଳୁ ସକାଳୁ ସେମାନେ ଘରୁ ବାହାରି ଯାଆନ୍ତି ଓ ଗଳିକନ୍ଦି ବୁଲି ଆବର୍ଜନା ସଂଗ୍ରହ କରନ୍ତି। ନିଜ ହାତରେ ଅଳିଆ ଆବର୍ଜନା ଉଠାଇବା ସହ ଗାଡ଼ିରେ ଲଦି ଡମ୍ପିଂୟାର୍ଡକୁ ନେଇଯାଆନ୍ତି। ସକାଳୁ ୬ଟାରେ ଯାଇ ୧୧ଟାରେ ଫେରନ୍ତି ପୁଣି ଅପରାହ୍ନ ୨ଟାରେ ଯାଇ ସାଢ଼େ ୪ଟା ସୁଦ୍ଧା କାମ ସରିଯାଏ।

publive-image

ଏନେଇ ସସ୍ମିତା ସାହୁଙ୍କ କହିବା କଥା ଗାଡ଼ି ଚଳାଇବା ମହିଳାମାନଙ୍କ ପାଇଁ କଷ୍ଟକର ବୋଲି କୁହାଯାଉଥିଲା। କିନ୍ତୁ ଏହା ପୁରୁଣା କଥା। ଏବେ ମହିଳାମାନେ ଟ୍ରକ୍, ବସ୍ ଭଳି ଭାରୀଯାନ ଚଳାଇଲେଣି। ତେଣୁ ଆମେ ବି ଆଗକୁ ତାଲିମ୍ ନେଇ ବଡ଼ ଗାଡ଼ି ଚଳାଇବାକୁ ଲକ୍ଷ୍ୟ ରଖିଛୁ। ସସ୍ମିତାଙ୍କ ସ୍ବାମୀଙ୍କ ଅଚାନକ ମୃତ୍ୟୁ ପରେ ପୁଅ ଓ ଝିଅଙ୍କୁ ନେଇ ଚଳିବା ବହୁତ ମୁସ୍କିଲ ହେଉଥିଲା। ଭାଇମାନେ ସବୁ ସମୟରେ ସହଯୋଗ କରି ପ୍ରତିପୋଷଣ କରୁଥିଲେ। ସବୁବେଳେ ସେମାନଙ୍କ ଠାରୁ ସହଯୋଗ ନେବା ବଦଳରେ ନିଜେ କିଛି କରିବା ପାଇଁ ସେ ଗତ ଦୁଇ ବର୍ଷ ହେବ ଏହି କାମରେ ଯୋଗ ଦେଇ ପରିବାର ସହ ବହୁତ ଖୁସିରେ ଅଛନ୍ତି ବୋଲି କହିଛନ୍ତି। ବୟସର ଅପରାହ୍ନରେ ବାପା ଓ ମା ଓ ଆଇଙ୍କୁ ପ୍ରତିପୋଷଣ କରିବା ପାଇଁ ଗତ ୭ମାସ ହେବ ବିନ୍ଦିୟା ଏହି କାମ କରୁଥିବା କହିଛନ୍ତି। ଆବର୍ଜନା ଉଠାଇବା ପ୍ରସଙ୍ଗରେ ସସ୍ମିତା ଓ ବିନ୍ଦିୟାଙ୍କ କହିବା କଥା କୌଣସି କାମ ଛୋଟ ନୁହେଁ। ଏହି କାମକୁ କେହି ନା କେହି ତ କରିବେ। ତେଣୁ ଆମେ କଲେ, କ୍ଷତି କ’ଣ ବୋଲି ସେମାନେ ପାଲଟା ପ୍ରଶ୍ନ କରିଥିଲେ। ପରିଶ୍ରମ କରି ରୋଜଗାର କରିବା ବଡ଼ କଥା। କର୍ମ ହିଁ ଭଗବାନ। କାମକୁ ଘୃଣା କରିବା ଅର୍ଥ ରୋଜଗାରକୁ ପଦାଘାତ କରିବା। ଏମାନଙ୍କ ପରି ଅନ୍ୟ ୧୭ଜଣଙ୍କ ପାରିବାରିକ ସ୍ଥିତି ଓ ଅବସ୍ଥା ଭଲ ନଥିବାରୁ ଏହି ଗାଡ଼ି ଚଳାଇ ସଶକ୍ତ ହୋଇ ପାରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe