ସୁନ୍ଦରଗଡ଼: କିଛି ଦିନ ହେଲା ସୁନ୍ଦରଗଡ଼ ଶଙ୍କରା ପୁଲିସ ବାରାକ ପଡ଼ିଆ କଡ଼ ଏକ ଗଛ ମୂଳେ ଭୋକ-ଉପାସରେ ମୁମୂର୍ଷୁ ହୋଇ ପଡ଼ି ରହିଥିଲେ ଜଣେ ମାନସିକ ବିକୃତ ମହିଳା। ସେ ରାସ୍ତା ଦେଇ ସମସ୍ତେ ଯାଉଥିଲେ, ଏପରିକି ପୁଲିସ ବାବୁମାନଙ୍କର ଯାତାୟତ ମଧ୍ୟ ଲାଗି ରହିଥିଲା। କିନ୍ତୁ ସମସ୍ତେ ଦେଖି ନଦେଖିଲା ପରି ବାଟ ଭାଙ୍ଗି ଚାଲି ଯାଉଥିଲେ। କଲବଲ ହୋଇ ଭୂଇଁରେ ଗଡ଼ୁଥିବା ମହିଳାଙ୍କ ପ୍ରତି କାହା ମନରେ ତିଳେ ମାତ୍ର ଦୟା ଆସୁ ନଥିଲା। ପାଗଳି କହି ଏଡ଼ାଇ ଯାଉଥିଲେ।
ତେବେ ମାନବିକତା ଦେଖାଇଛନ୍ତି ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ। ମହିଳାଙ୍କୁ ଉଦ୍ଧାର କରି ଥଇଥାନ କେନ୍ଦ୍ରରେ ପହଞ୍ଚାଇଛନ୍ତି। ଆଜି ପ୍ରାତଃ ଭ୍ରମଣରେ ଶ୍ରୀ ତାଣ୍ଡିଆ ପଡ଼ିଆକୁ ଯାଇଥିବା ବେଳେ ନଜରକୁ ଆସିଥିଲେ ମହିଳା। ଭୂଇଁରେ ମୁମୂର୍ଷୁ ହୋଇ ପଡ଼ିଥିବାରୁ ତାଙ୍କୁ ତୁରନ୍ତ ସେଠାରୁ ସହଯୋଗୀ ପଙ୍କଜ ଶ୍ରେଷ୍ଠଙ୍କ ସହ ଉଦ୍ଧାର କରି ଅଟୋରେ ଏନଟିପିସି କୋଭିଡ୍ କେନ୍ଦ୍ରକୁ ନେଇ କରୋନା ପରୀକ୍ଷା କରାଇଥିଲେ।
ରିପୋର୍ଟ ନେଗେଟିଭ୍ ଆସିବା ପରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ ମହିଳାଙ୍କ ସମ୍ପର୍କରେ ଅବଗତ କରାଇ ଥଇଥାନ ପାଇଁ ଅନୁରୋଧ କରିଥିଲେ। ତାଙ୍କ ପରାମର୍ଶକ୍ରମେ ମହିଳାଙ୍କୁ ଏକ ଅଟୋରେ ନେଇ କଲେଜ ନିକଟ ‘ଆସ୍ଥା’ ଗୃହ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇଥିଲେ। ମାନସିକ ବିକୃତ ମହିଳାଙ୍କ ଚିକିତ୍ସା ଓ ଥଇଥାନ ଦିଗରେ କାମ କରୁଥିବା ଏହି ସଂସ୍ଥାରେ ମହିଳା ଜଣକ ସୁସ୍ଥ ହୋଇଯିବେ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀ ତାଣ୍ଡିଆ।
Follow Us