ମନେରେଗା କାମକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ, ଶ୍ରମିକ ବଦଳରେ ମେସିନ ଲାଗିଛି କାମରେ

Advertisment
ମନେରେଗା କାମକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ, ଶ୍ରମିକ ବଦଳରେ ମେସିନ ଲାଗିଛି କାମରେ

Sambad

ବୈପାରିଗୁଡା: ମନୋରେଗା ଯୋଜନାରେ ଚାଲିଥିବା ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। କାରଣ ଶ୍ରମିକ ବଦଳରେ ମେସିନ ଲଗାଇ କାମ ଚାଲିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ସଦର ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପାଇଁ ଚାଲିଥିବା ରାସ୍ତା କାମରେ। ଘଟଣା ଅନୁଯାୟୀ, ଲକ୍ଷ୍ମୀପୁର ଗ୍ରାମର ଛକ ଠାରୁ ଗାଆଁ ଶ୍ମଶାନ ଯାଏ ରାସ୍ତା କାମ ଆରମ୍ଭ ହୋଇଛି। ବିନା ଅଟକଳ ମୂଲ୍ୟ ନାମ ଫଳକରେ କରାଯାଇଛି କାମ ଆରମ୍ଭ। ତେବେ ଏହି ରାସ୍ତା କାମ ପାଇଁ ଶ୍ରମିକ ମାନଙ୍କୁ ନିୟୋଜିତ କରାଯିବା ବଦଳରେ ମେସିନର ବ୍ୟବହାର କରାଯାଇଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି।

ପ୍ରକାଶ ଥାଉ କି, ମନେରୋଗା ଯୋଜନା ମାଧ୍ୟମରେ ଲୋକଙ୍କୁ ଶହେ ଦିନର କାମ ଯୋଗାଇ ଦେବା ପାଇଁ କଡାକଡି ନିୟମ ରହିଛି। ତେବେ ଏଠାରେ ରାସ୍ତା କାମରେ ଏହି ନିୟମକୁ ବେଖାତିର କରି ମେସିନର ବ୍ୟବହାର କରାଯାଇଛି। ଗୋଟିଏ ଦିଗରେ ସରକାର ଦାଦନ ଖଟିବା ପାଇଁ ଯାଉଥିବା ଶ୍ରମିକମାନଙ୍କୁ ଏଥିରୁ ବିରତି କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଲକ୍ଷ୍ମୀପୁର ରାସ୍ତା କାମ ପାଇଁ ଏହି ନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରାଯାଇଛି।

ଏବିଷୟରେ ବିଭାଗୀୟ ଯନ୍ତ୍ରୀ ଓ ଜିଆରଏସଙ୍କୁ ପଚାରିବାରୁ ସେ ଏହି ରାସ୍ତା କାମ ବିଷୟରେ ଅବଗତ ନଥିବା କହିଥିଲେ। ତେବେ କାହା ନିର୍ଦ୍ଦେଶରେ ଏହି ରାସ୍ତା କାମ ଆରମ୍ଭ ହୋଇଛି ତାହା ସନ୍ଦେହ ସୃଷ୍ଟି କରିଛି। ବ୍ଲକ ପ୍ରଶାସନ ଏହି କାମକୁ ଶୀଘ୍ର ବନ୍ଦ କରିବା ପାଇଁ ଦାବି ହେଉଛି। ପ୍ରଶାସନ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିରୀହ ଶ୍ରମିକ ବଳି ପଡୁଛନ୍ତି। ସୂଚନାଯୋଗ୍ୟ ଯେ, ବ୍ଲକରେ କାମଧନ୍ଦା ନପାଇ ବହୁ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ରାସ୍ତାକାମ ପାଇଁ ମେସିନ ବ୍ୟବହାର କାହା ସ୍ବାର୍ଥରେ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe