ଫୁଲବାଣୀ ଓ ବାଲିଗୁଡାରୁ ୨୧୩ ଜଣ କରୋନା ଲକ୍ଷଣ ଥିବ‌ା ବ୍ୟକ୍ତି ଚିହ୍ନଟ: ଆଜିଠୁ ଗ୍ରାମାଞ୍ଚଳ ବୁଲି କରୋନା ଖୋଜିବେ କର୍ମଚାରୀ

Advertisment

କନ୍ଧମାଳରେ ୨ ଦିନ ସଟଡାଉନ ବୃଦ୍ଧି କଲେ ଜିଲ୍ଲାପାଳ 

କନ୍ଧମାଳରେ ୨ ଦିନ ସଟଡାଉନ ବୃଦ୍ଧି କଲେ ଜିଲ୍ଲାପାଳ 

ଫୁଲବାଣୀ ଓ ବାଲିଗୁଡାରୁ ୨୧୩ ଜଣ କରୋନା ଲକ୍ଷଣ ଥିବ‌ା ବ୍ୟକ୍ତି ଚିହ୍ନଟ: ଆଜିଠୁ ଗ୍ରାମାଞ୍ଚଳ ବୁଲି କରୋନା ଖୋଜିବେ କର୍ମଚାରୀ

ଫୁଲବାଣୀ: କନ୍ଧମାଳ‌ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବଢି ଚାଲିଛି। ଏହାକୁ ପ୍ରତିହତ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି। ଘରଘର ବୁଲି ସ୍ବାସ୍ଥ୍ୟ ସର୍ଭେ ସହ ସ୍କାନିଂ  କରାଯାଉଛି। ସାମାନ୍ୟ କରୋନା ଲକ୍ଷଣଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା ପାଇଁ ପଦ‌କ୍ଷେପ ଗ୍ରହଣ କରାଯାଉଛି। ପ୍ରଥମେ ଜିଲ୍ଲାର ଦୁଇ ବଡ ସହର ଫୁଲବାଣୀ ଓ ବାଲିଗୁଡାକୁ  ଗତ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ସଟ ଡାଉନ କରାଯାଇଥିଲା। ତାପରେ ପ୍ରତି ୱାର୍ଡ ବୁଲି କର୍ମଚାରୀମାନେ ସ୍ବାସ୍ଥ୍ୟ ସର୍ଭେ ସହ ସ୍କାନିଂ ଯାଞ୍ଚ କରିଥିଲେ। ୨ ସହରରେ ୨୧୩ ଜଣ ସାମାନ୍ୟ କରୋନା ଲକ୍ଷଣ ଥିବା ଲୋକଙ୍କୁ କର୍ମଚାରୀ ଚିହ୍ନଟ କରିଛନ୍ତି।

ଫୁଲବାଣୀରେ  ୪ ଦିନ ସଟ ଡାଉନ ସମୟରେ କର୍ମଚାରୀମାନେ ୧୦ହଜାର ୯୪୧ ଘର ବୁଲି ୪୧ହଜାର ୩୧୬ ଜଣ ସ୍କାନିଂ ଯାଞ୍ଚ କରିଛନ୍ତି। ସେଥି ମଧ୍ୟରୁ ସାମାନ୍ୟ କରୋନା ଲକ୍ଷଣ ଥିବା ୨୧୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି  ବାଲିଗୁଡାରେ ୫ହଜାର ୪୮୧ ଘର ବୁଲି ୨୦ ହଜାର ୭୩୨ ଜଣଙ୍କ ସ୍କାନିଂ ଯାଞ୍ଚ କରାଯାଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ୨ ଜଣ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ବି ସାମାନ୍ୟ କରୋନା ଲକ୍ଷଣ ବାହାରିବା ଆଶା କରାଯାଉଛି। ତେଣୁ  ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସର୍ଭେ ଓ ସ୍କାନିଂ ଯାଞ୍ଚ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥି ନିମନ୍ତେ ଜିଲ୍ଲାରେ ଆହୁରି ୨ ଦିନ ସଟ ଡାଉନକୁ ବୃଦ୍ଧି କରାଯାଇଛି। ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ସଟ ଡାଉନ ହେବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ସୋମବାର ଓ ମଙ୍ଗଳବାର ବି ସଟଡାଉନ ରହିବ ବୋଲି ଜିଲ୍ଲାପାଳ ଡା.ବୃନ୍ଦା ଡି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ୪ ଦିନ ସଟଡାଉନ ସମୟରେ ଫିରିଙ୍ଗିଆ, କେ.ନୂଆଗାଁ, ତୁମୁଡିବନ୍ଧ, ଦାରିଙ୍ଗବାଡି, ଚକାପାଦ ଓ ଖଜୁରୀପଡା ବ୍ଳକ ସହର ମହକୁମା ତାର ପାଶ୍ବବର୍ତ୍ତୀ ଗାଁ ଏବଂ ଶଙ୍କରାଖୋଲର ସବୁ ଗାଁରେ ସ୍ବାସ୍ଥ୍ୟ ସର୍ଭେ ସହ ସ୍କାନିଂ ଯାଞ୍ଚ ହେବ। ଏଥି ନିମନ୍ତେ କର୍ମଚାରୀଙ୍କ ସହ ବହୁ ସ୍ବେଛାସେବୀଙ୍କୁ ନିୟୋଜିତ କରାଯାଇଥିବା ଜଣା ପଡିଛି।

କନ୍ଧମାଳରେ ଆଜି ସୁଦ୍ଧା କରୋନା ସଂକ୍ରମିତ ସଂଖ୍ୟା ୨୯୭ରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇ ସାରିଛି। କନ୍ଧମାଳରେ ନିୟନ୍ତ୍ରଣରେ ଥିବା କରୋନା ଦିନକୁ ଦିନ ସଂଗୀନ ଆଡକୁ ଗତି କରୁଥିବା ବେଳେ ଏହାକୁ ପ୍ରତିହତ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe