କୃଷି କାର୍ଯ୍ୟାଳୟରେ କର୍ମଚାରୀ ଅଭାବ, ପଞ୍ଚାୟତରେ କରାଯାଉ ନାହିଁ କୃଷି ସଚେତନତା

Advertisment
କୃଷି କାର୍ଯ୍ୟାଳୟରେ କର୍ମଚାରୀ ଅଭାବ, ପଞ୍ଚାୟତରେ କରାଯାଉ ନାହିଁ କୃଷି ସଚେତନତା

Sambad

ଏରସମା: ଏରସମା ବ୍ଳକ୍‌ରେ ଥିବା କୃଷି ସୂଚନା ଓ ମରାମର୍ଶ କେନ୍ଦ୍ରରେ ବିଭିନ୍ନ ସରକାରୀ ଯୋଜନାର ସଚେତନତା କାର୍ଯ୍ୟ ଠିକ ଭାବେ କରାଯାଉ ନାହିଁ। କର୍ମଚାରୀ ଅଭାବ କାରଣରୁ  ଏଭଳି ଘଟୁଥିବା କୁହାଯାଉଛି। ଏରସମା ବ୍ଲକ୍‌ରେ ୨୫ଟି ପଞ୍ଚାୟତର ଚାଷୀଙ୍କୁ କୃଷିକାର୍ଯ୍ୟ ସମ୍ପର୍କରେ ଯଥା ସମୟରେ ଉପଯୁକ୍ତ ମରାର୍ମଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ବ୍ଲକ ମୁଖ୍ୟାଳୟରେ ରହିଛି ଏହି କୃଷି ସୁଚନା ଓ ମରାମର୍ଶ କେନ୍ଦ୍ର। ଏଠାରେ ଜଣେ କୃଷି ଅଧିକାରୀଙ୍କ ସହ ଦୁଇ ଜଣ ଅତିରିକ୍ତ କୃଷି ଅଧିକାରୀ ପଦବି ରହିଛି। କିନ୍ତୁ ବହୁଦିନ ହେବ ଏହି ଦୁଇ ପଦବି ଖାଲି ରହିଛି। ପୁର୍ବରୁ ୨୫ଟି ପଞ୍ଚାୟତ ପାଇଁ ୨୫ଟି ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ) କାର୍ଯ୍ୟ କରୁଥିଲେ। କିନ୍ତୁ ଏବେ ଏହି ପଦବିକୁ ୧୦ମଧ୍ୟରେ ସୀମିତ ରଖାଯାଇଛି। ପୁଣି ସେଥିରୁ ୫ପଦବି ଏବେ ଖାଲି ରହିଛି। ଏଭଳି ପରିସ୍ଥିତିରେ ଜଣେ ଭିଏଡବ୍ଲ୍ୟୁଙ୍କୁ ୫ଟି ପଞ୍ଚାୟତ ଦାୟିତ୍ବ ଦିଆଯାଇଛି। ଜରେ ବ୍ୟକ୍ତି ସମସ୍ତ ୫ଟି ପଞ୍ଚାୟତକୁ ଯାଇ ସଚେତନତା କାର୍ଯ୍ୟ କରିବା ଅସମ୍ଭବ। କର୍ମଚାରୀ ଅଭାବ କାରଣରୁ ଏରସମା ବ୍ଲକ୍‌ରେ କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚଳିତବର୍ଷ ପର୍ଯ୍ୟନ୍ତ କେତେ ଅନ୍ତର୍ଭୁକ୍ତ ହେଲେଣି ସେ ସମ୍ପର୍କରେ କାର୍ଯ୍ୟାଳୟରୁ ତଥ୍ୟ ମଳି ପାରୁ ନାହିଁ। ଅନେକ ଚାଷୀ ଅଛନ୍ତି, ଯେଉଁମାନେ ଏହି ଯୋଜନା ପାଇବା ପାଇଁ ହକ୍‌ଦାର, କିନ୍ତୁ ସେମାନେ ଏହା ପାଇ ପାରି ନାହାନ୍ତି। କୃଷି କାର୍ଯ୍ୟାଳୟକୁ ବାରମ୍ବାର ଆସି ମଧ୍ୟ କିଛି ସୁଫଳ ମିଳି ପାରୁ ନାହାନ୍ତି। ବଳରାମ ଯୋଜନାରେ ୪ରୁ ୧୦ଜଣ ସମଭାବସମ୍ପନ୍ନ ଚାଷୀ ଜଏଣ୍ଟ ଲାଇବିଲିଟି ଗ୍ରୁପ୍‌ ଗଢି ଏହି ଯୋଜନାରେ ସାମିଲ ହୋଇ ପାରିବେ ଏବଂ ସେମାନଙ୍କୁ ପ୍ରତିବର୍ଷ ୫୦ହଜାର ଟଙ୍କା ବିନା ସୁଧରେ ଋଣ ମିଳି ପାରିବ ବୋଲି ସରକାରଙ୍କ ଯୋଜନା ରହିଛି। ଚଳିତବର୍ଷ ଏହି ବ୍ଲକ୍‌ରେୁ ୫୯ଟି ଗ୍ରୁପ୍‌କୁ ଏହି ବଳରାମ ଯୋଜନାରେ ଅନ୍ତଭୁକ୍ତ କରାଯାଇଅଛି। ଏଥି ସହିତ ଉପକୂଳବର୍ତ୍ତୀ ଅଞ୍ଚଳର ଉତ୍ପାଦନ ବୃଦ୍ଧି କରିବା ପାଇଁ ମୃତ୍ତିକାର ପୋଷକ ତତ୍ତ୍ବ ପରୀକ୍ଷା କରାଯିବାର ମଧ୍ୟ ଯୋଜନା ରହିଛି।

ଚଳିତବର୍ଷ ପାଇଁ ୧୨୫୦ଟି ମୃତିକାର ପରୀକ୍ଷା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ଟି ମୃତିକା ସଂଗ୍ରହ କରାଯାଇଅଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜିଲ୍ଲାସ୍ତରୀୟ ବିଭାଗୀୟ ବୈଠକରେ ଖରିଫ ଋତୁ ଆରମ୍ଭରେ ଖରାଟିଆ ଧାଡ଼ିବୁଣା ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଜୁଲାଇ ମାସ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏ ସଂପର୍କରେ କେନ୍ଦ୍ରର ବିଏଓ ସୌଭାଗ୍ୟ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, କର୍ମଚାରୀ ଅଭାବ ଯୋଗୁଁ ସଚେତନତା କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ। କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି ପୋଷ୍ଟର୍‌, ହୋର୍ଡିଂ ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମସ୍ତ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିଛୁ, କିନ୍ତୁ ଚାଷୀମାନେ ସଚେତନ ହୋଇପାରୁ ନାହାନ୍ତି। ହେଲେ, କାର୍ଯ୍ୟାଳୟ ସାମ୍ନରେ ଥିବା ହୋର୍ଡିଂ ଚିରି ଯାଇଥିଲେ ବି ତାହା ପୁନଶ୍ଚ ଲଗାଯାଇ ନାହିଁ। ୩୦୦ ମୃତ୍ତିକା​ ସଂଗ୍ରହ ହୋଇଥିବା ବେଳେ ଧାଡ଼ି ରୁଆ କାର୍ଯ୍ୟକାରୀ ହୋଇ ନାହିଁ ବୋଲି ବିଏଓ କହୁଛନ୍ତି। ଅବଶ୍ୟ, ଆଉ ମୃତ୍ତିକା ସଂଗ୍ରହ ହେବ ବୋଲି ସେ କହିଛନ୍ତି। ତେବେ, ଏଠାରେ ପ୍ରଶ୍ନ ଉଠୁଛି, ଏହି ସମସ୍ତ କାର୍ଯ୍ୟ ଅବହେଳା ପାଇଁ ଦାୟି କିଏ? ଯଦି ସରକାରଙ୍କ ଯୋଜନା ଲୋକଙ୍କ ଅଗୋଚରରେ ରହିଯିବ ତେବେ ଯୋଜନା କାହା ପାଇଁ କରାଯାଇଛି? ତୁରନ୍ତ କୃଷି କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ଏବଂ ପ୍ରତି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ସଫଳ ରୂପାୟନ କରିବା ପାଇଁ ଦାବି କରାଯାଇଛି।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe