ଘୁ.ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶ୍ରମ ଅଧିକାରୀ ତେଜ କୁମାର ବାଗେଙ୍କ ଅଧ୍ୟକ୍ଷତାରେ ଏକ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମୁଖ୍ୟତଃ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆୟୋଜିତ ହୋଇଥିଲା।
ଓଡ଼ିଶା ଗୃହ ଓ ପ୍ରକଳ୍ପ ନିର୍ମାଣ ଶ୍ରମିକ ୱେଲଫର ବୋର୍ଡ ତରଫରୁ ୩୦୬ ଜଣ ଶ୍ରମିକଙ୍କ ପୁଅ-ଝିଅମାନଙ୍କୁ ପାଠ ପଢ଼ିବା ପାଇଁ ୧୭ ଲକ୍ଷ ୬୮ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଶିକ୍ଷା ଗ୍ରହଣ ସହାୟତା ରାଶି, ବିବାହ ଜନିତ ସହାୟତା ୮୫ ଜଣ ଙ୍କୁ ୪୨ ଲକ୍ଷ, ଗର୍ଭବତୀ ମହିଳାଙ୍କ ପ୍ରସବ କାଳୀନ ସହାୟତା ୮ ଜଣଙ୍କୁ ୮୦ ହଜାର ଟଙ୍କା, ଶ୍ରମିକଙ୍କ ମୃତ୍ୟୁ ପରବର୍ତ୍ତୀ ସହାୟତା ୩୮ ଜଣଙ୍କୁ ୭୫ ଲକ୍ଷ ଟଙ୍କା, ଶବ ସତ୍କାର ଜନିତ ସହାୟତା ୩୩ ଜଣଙ୍କୁ ୧ ଲକ୍ଷ ୬୫ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯାଇଥିବା ବେଳେ ଅଣ ପଞ୍ଜିକୃତ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ମୃତ୍ୟୁ କାଳୀନ ସହାୟତା ୯ ଜଣଙ୍କୁ ୧୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, କାଉନସିଲର ମୋନାଲିସା ଦଳବେହେରା, ଭାରତୀ ବେହେରା, ଲକ୍ଷ୍ମୀପ୍ରିୟା ପରିଛା, ଲିପିକା ପ୍ରଧାନ, ନନ୍ଦିତା ପ୍ରଧାନ, ଦୀପକ କୁମାର ନାୟକ ଉପସ୍ଥିତ ରହିଥିବା ବେଳେ ବ୍ଲକ ଓ ଏନଏସିର ଶତାଧିକ ମହିଳା, ପୁରୁଷ ଶ୍ରମିକ ଉପସ୍ଥିତ ଥିଲେ। ଅମୀୟ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Follow Us