ଆଜି ବିଶ୍ବ ବନ ଦିବସ: ସରକାରୀ ତଥ୍ୟରେ ବଢ଼ୁଛି, ବାସ୍ତବରେ କମୁଛି ପ୍ରାକୃତିକ ଜଙ୍ଗଲ

Advertisment

ପ୍ରାକୃତିକ ଓ ମନୁଷ୍ୟକୃତ ବିପତ୍ତି ସାଜୁଛି କାରଣ

ପ୍ରାକୃତିକ ଓ ମନୁଷ୍ୟକୃତ ବିପତ୍ତି ସାଜୁଛି କାରଣ

ଆଜି ବିଶ୍ବ ବନ ଦିବସ: ସରକାରୀ ତଥ୍ୟରେ ବଢ଼ୁଛି, ବାସ୍ତବରେ କମୁଛି ପ୍ରାକୃତିକ ଜଙ୍ଗଲ

ବାରିପଦା : ଘଞ୍ଚ ଜଙ୍ଗଲ, ସବୁଜିମା ଭରା ପ୍ରାକୃତିକ ପରିବେଷ୍ଟିନୀକୁ ନେଇ ସମୃଦ୍ଧ ମୟୂରଭଞ୍ଜ। ବିଶ୍ବବିଖ୍ୟାତ ଶିମିଳିପାଳ ସାଜିଛି ଏହାର ମୁକୁଟ। ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତରୁ ଊର୍ଧ୍ବ ଜଙ୍ଗଲ ସମ୍ପଦ ରହିଛି। ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ(ଆଇଏସଏଫ)-୨୦୧୯ ଅନୁସାରେ ମୟୂରଭଞ୍ଜରେ ୪୦୯୪.୧୭ ବର୍ଗ କିଲୋମିଟର ଜଙ୍ଗଲ ରହିଛି। ୨୦୧୭ରେ ଏହା ୪୦୮୦ ବର୍ଗ କିଲୋମିଟର ଥିଲା। ଅର୍ଥାତ ୨୦୧୭ ତୁଳନାରେ ଜିଲ୍ଲାରେ ଜଙ୍ଗଲ ପ୍ରାୟ ୧୪ ବର୍ଗ କିମି ବଢ଼ିଛି। ସରକାରୀ ରିପୋର୍ଟରେ ଜଙ୍ଗଲ ବଢ଼ୁଥିବା ଉଲ୍ଲେଖ ରହିଛି। ମାତ୍ର ବାସ୍ତବ ସ୍ଥିତିରେ କିନ୍ତୁ ଚିତ୍ର ଭିନ୍ନ ରହିଥିବା ସମସ୍ତେ ଅନୁଭବ କରୁଛନ୍ତି। ମୟୂରଭଞ୍ଜରେ ପ୍ରାକୃତିକ ଜଙ୍ଗଲ କମୁଥିବା ସମସ୍ତଙ୍କର ଅନୁଭବ ରହିଛି। ପ୍ରାକୃତିକ ବିପତ୍ତି କାରଣରୁ ହେଉ ଅବା ମନୁଷ୍ୟକୃତ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ମୟୂରଭଞ୍ଜରେ ଜଙ୍ଗଲ ସମ୍ପତ୍ତି କମୁଥିବା ବେଶ୍‌ ସ୍ପଷ୍ଟ। ବନୀକରଣ ନାମରେ ଅଧିକାଂଶ କ୍ଷେତ୍ରରେ ଏଠାରେ ପ୍ରହସନ ଚାଲିଥିବା ଅଭିଯୋଗ କରନ୍ତି ଏକାଧିକ ପରିବେଶବିତ୍‌। ସରକାରୀ ତଥ୍ୟକୁ ବି ମାନିନେଲେ ୨୦୧୭ ତୁଳନାରେ ୨୦୧୯ରେ ମାତ୍ର ୧୪ ବର୍ଗ କିମିରୁ ସାମାନ୍ୟ ଅଧିକ ଜଙ୍ଗଲ ବଢ଼ିଛି। ମାତ୍ର ଏହି ତୁଳନାରେ ଜିଲ୍ଲାରେ ହେଉଥିବା ଖର୍ଚ୍ଚର ପରିମାଣ କିନ୍ତୁ କୋଟିରୁ ଊର୍ଧ୍ବ। ବନୀକରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ମନମୁଖୀ କାରବାର ହେଉ ଅବା ଜଙ୍ଗଲ ଲୁଟ୍‌, ପ୍ରାକୃତିକ ଜଙ୍ଗଲ କମିବାର ପ୍ରଧାନ କାରଣ ସାଜିଛି। ଆସନ୍ତାକାଲି ବିଶ୍ବ ପାଳନ କରିବ ବନ ଦିବସ। ଏହି ଦିନ ଜଙ୍ଗଲ ସୁରକ୍ଷା ଭଳି ଏକାଧିକ ପ୍ରସଙ୍ଗରେ ଆଲୋଚନା ‌ହୁଏ। ମାତ୍ର ଏହାପରେ ସମସ୍ତେ ନିଜ ନିଜ ବାଟରେ ଯାଆନ୍ତି। ଆଜି ମଧ୍ୟ ଶିମିଳିପାଳରୁ ଚାଲିଛି ବେଧଡ଼କ ଗଛ କଟା। କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ଏପର୍ଯ୍ୟନ୍ତ ସୁରକ୍ଷିତ ନୁହେଁ ସୁନ୍ଦରୀ ଶିମିଳିପାଳ। ପ୍ରାକୃତିକ ଜଙ୍ଗଲ କ୍ଷୟ ହେବାର ଉଦାହରଣ ହେଉଛି ବନ୍ୟପ୍ରାଣୀମାନେ ଜନବସତି ମୁହାଁ ହେବା। ନିଜର ପ୍ରାକୃତିକ ପରିବେଶ କ୍ରମଶଃ କମୁଥିବାରୁ ଖାଦ୍ୟ ଅନ୍ବେଷଣରେ ସେମାନେ ଜନବସତିମୁହାଁ ହେଉଛନ୍ତି। ସେହିପରି ଏକାଧିକ ପ୍ରଜାତିର ଉଦ୍ଭିଦ ଏବଂ ବନ୍ୟପ୍ରାଣୀ ମଧ୍ୟ ଆଜି ବିଲୁପ୍ତ ପ୍ରାୟ। ଆଉ ଏହାର ପ୍ରମୁଖ କାରଣ ସାଜିଛି ଜଙ୍ଗଲ କ୍ଷୟ। ବିଭିନ୍ନ ସରକାରୀ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ଜିଲ୍ଲାରେ ବନୀକରଣ ହେଉଥିବା ସରକାରୀ ତଥ୍ୟ କହୁଛି। ମାତ୍ର ଏହାର ଉପଯୋଗିତା କିନ୍ତୁ ବାସ୍ତବ କ୍ଷେତ୍ରରେ ଫେଲ୍‌ ମାରୁଥିବା ଜିଲ୍ଲାବାସୀଠାରୁ ସ୍ପଷ୍ଟ ହୋଇଛି। ନିକଟରେ ପ୍ରାୟ ୧୫ ଦିନରୁ ଊର୍ଧ୍ବ ଧରି ହୋଇଥିବା ଭୟଙ୍କର ଜଙ୍ଗଲ ନିଆଁ ମଧ୍ୟ ଜଙ୍ଗଲ ନଷ୍ଟର ଏକ ପ୍ରମୁଖ କାରଣ। ଏହି ନିଆଁରେ ବଡ଼ ବଡ଼ ଗଛ ପ୍ରଭାବିତ ହୋଇନଥିବା ସରକାରୀ ଅଧିକାରୀମାନେ କହୁଥିଲେ ମଧ୍ୟ ଛୋଟ ଛୋଟ ଗଛ ଯେ ଏହି ନିଆଁର କରାଳ ଆଁ’ରେ ଆସିଛନ୍ତି ତାହା ବେଶ୍‌ ଦୃଶ୍ୟମାନ। ଶିମିଳିପାଳ ଜିଲ୍ଲାର ସୁରକ୍ଷା କବଚ ଭଳି କାମ କରିଥାଏ। ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଭଳି ନଦୀକୁ ଜଳପୂର୍ଣ୍ଣ କରି ରଖିବ‌ାରେ ଶିମିଳିପାଳର ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଠିକ୍‌ ସମୟରେ ବର୍ଷା କରିବାରେ ମଧ୍ୟ ଶିମିଳିପାଳର ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ଜଙ୍ଗଲ ସମ୍ପତ୍ତି କମୁଥିବାରୁ ବର୍ଷାରେ ଅନିୟମିତତା ଭଳି ବିଭିନ୍ନ ପ୍ରାକୃତିକ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ବର୍ତ୍ତମାନ ସମୟରେ ଶିମିଳିପାଳର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି। ନଚେତ ବିଶ୍ବ ବନଦିବସ ପାଳନ କେବଳ କାଗଜପତ୍ରରେ ହିଁ ସିମୀତ ରହିଯିବ। ପ୍ରାକୃତିକ ଜଙ୍ଗଲ ଏବଂ ସବୁଜିମା ନିମନ୍ତେ ପରିଚିତ ମୟୂରଭଞ୍ଜ କଂକ୍ରିଟ୍‌ ଜଙ୍ଗଲରେ ପରିଣତ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe