ଆସୁଛି ଲଘୁଚାପ ବର୍ଷା, ୬ରୁ ଛେଚିବ: ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ, ଖୋଲିଲା ବଡନାଳ ଡ୍ୟାମ୍ ଗେଟ୍

Advertisment
ଆସୁଛି ଲଘୁଚାପ ବର୍ଷା, ୬ରୁ ଛେଚିବ: ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ, ଖୋଲିଲା ବଡନାଳ ଡ୍ୟାମ୍ ଗେଟ୍

ରାୟଗଡ଼ା: କିଛି ଦିନର ଅସହ୍ୟ ତାତି ପରେ ମିଳିବ ଆଶ୍ୱସ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ୬ ତାରିଖରୁ ପୁଣି ଆସୁଛି ବଡ଼ ବର୍ଷା। ୪,୫ ତାରିଖ ଦୁଇ ଦିନ ସାମାନ୍ୟ ବର୍ଷା ଲାଗି ରହିବା ସହ ୬ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଘୂର୍ଣ୍ଣିବଳୟ ଆସିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ବର୍ଷା ନେଇ ସତର୍କ ସୂଚନା ବି ଜାରି ହୋଇଛି । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ଏବଂ ନବରଙ୍ଗପୁର ଭଳି ୫ ଜିଲ୍ଲାକୁ ୬ ତାରିଖ ପାଇଁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ। ବର୍ଷା ପ୍ରଭାବରେ ଜିଲ୍ଲାର ନଦୀ, ନାଳ ଜଳସ୍ତର ବଢ଼ିବାର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳବାସୀ ସତର୍କ ରହିବା ପାଇଁ ପ୍ରଶାସନ ସୂଚନା ଦେଇଛି। ଶନିବାର ସଂଧ୍ୟାରେ ବଡ ନାଳଡ୍ୟାମ୍ ଗେଟ୍ ଖୋଲିବା ପରେ ବଂଶଧାରା ନଦୀ ଜଳସ୍ତର ବୃଦ୍ଧି ପାଇଛି। ବର୍ଷା ପରିମାଣ ବଢ଼ିଲେ ଜଳସ୍ତର ବଢ଼ିବା ସହ ଗୁଣପୁର, ପଦ୍ମପୁର, ଗୁଡାରି, ରାମନାଗୁଡା ବ୍ଲକ୍ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବଡ ନାଳ ଡ୍ୟାମର ଜଳଧାରଣ କ୍ଷମତା ୧୭୬ ମିଟର ଥିବା ବେଳେ ଏବେ ଜଳସ୍ତର ୧୭୫.୩୦ ମିଟରରେ ପହଞ୍ଚିଛି।

ଆଗକୁ ଲଘୁଚାପ ବର୍ଷା ଆସୁଥିବାରୁ ପୂର୍ବରୁ ଗେଟ୍ ଖୋଲି ଜଳ ନିଷ୍କାସନ ଜାରି ରଖିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ। ଘଣ୍ଟାକୁ ୫୦ କ୍ୟୁମେକ୍ ଜଳ ଡ୍ୟାମରୁ ନିଷ୍କାସନ ହେଉଛି। ବଡ ନାଳ କେନାଲର ଜଳ ଚାଷ ଜମିକୁ ମାଡ଼ୁଥିବା ବେଳେ ଗେଟ୍ ଦେଇ ପ୍ରବାହିତ ଜଳ ସାନ ନଦୀ ଦେଇ ବଂଶଧାରାରେ ମିଶୁଛି। ଫଳରେ ସ୍ଥିର ଥିବା ବଂଶଧାରା ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ୬ ତାରିଖ ବେଳକୁ ବର୍ଷା ବଢ଼ିଲେ ଜଳସ୍ତର ବଢ଼ିପାରେ। ଅଗଷ୍ଟ ମାସରେ ରାୟଗଡ଼ା ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିଲା। ୪୧୯.୧୧ ମିମି ହାରରେ ସାରା ଜିଲ୍ଲାରେ ୪୬୧୦.୨ ମିମି ବର୍ଷା ରେକର୍ଡ ହୋଇଛି। ଅଗଷ୍ଟ ମାସରେ ଜିଲ୍ଲାରେ ହୋଇଥିବା ବର୍ଷାରେ ଚାଷ ଜମି ଜଳମଗ୍ନ ହେବା ସହ ବହୁ ଅଞ୍ଚଳରେ ଘର ଭାଙ୍ଗିଥିଲା।

ନଦୀ, ନାଳ ଜଳ ଚାଷଜମିକୁ ମାଡ଼ିବା ପରେ ପଦ୍ମପୁର, ଗୁଡାରି, ଗୁଣପୁର, ରାମନାଗୁଡା ଅଞ୍ଚଳରେ ଚାଷ କାର୍ଯ୍ୟ ନଷ୍ଟ ହୋଇଥିଲା। ଅଗଷ୍ଟ ପହିଲାରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ପରେ ୨୬ ତାରିଖରୁ କମିଥିଲା। ବର୍ଷା ପରିମାଣ କମିବା ପରେ ବାୟୁ ମଣ୍ଡଳ ପରିବର୍ତ୍ତନ ହେବା ସହ ଗରମ ବଢ଼ିଥିଲା। ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଥିବାରୁ ଗରମ, ଗୁଳୁଗୁଳି ଅନୁଭବ ହୋଇଥିଲା। ଗତ ଦୁଇ ଦିନ ହେଲା ରାୟଗଡ଼ା ଜିଲ୍ଲାରେ ସାମାନ୍ୟ ବର୍ଷା ହେଉଛି। ଅପରାହଣ୍ ଓ ରାତିରେ କିଛି ସମୟ ପାଇଁ ବର୍ଷା ହେବା ପରେ ସକାଳେ ପାଗ ଶୁଖିଲା ରହିବା ସହ ଖରା ଯୋଗୁ ଗରମ ଅନୁଭବ ହେଉଛି। ସେପ୍ଟେମ୍ବର ପହିଲାରୁ ଆଜି ସୁଦ୍ଧା ଜିଲ୍ଲାରେ ୮.୮୫ ମିମି ହାରରେ ମୋଟ ୯୭.୩ ମିମି ବର୍ଷା ରେକର୍ଡ ହୋଇଛି। କୋଲନରା, ଗୁଣପୁର, ଗୁଡାରି, ଚନ୍ଦ୍ରପୁରରେ କିଛି ବର୍ଷା ହୋଇନଥିବା ବେଳେ କାଶୀପୁରରେ ସର୍ବାଧିକ ୪୪.୬୦ ମିମି ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe