ଭୁବନେଶ୍ୱର: ନୀଳାଚଳ ସାରସ୍ୱତ ସଂଘର ବରିଷ୍ଠ ମୁଖ୍ୟ ସଂଗୀତସେବକ ଯୋଗେନ୍ଦ୍ର ପରିଡ଼ାଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଜି ସକାଳ ୮ଟା ୨୫ରେ ସେ ଶେଷ ନିଃଶ୍ବାସ ନେଇଥିଲେ। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଗତ କିଛିଦିନ ହେବ ସେ ହାଇଟେକ୍ ମେଡ଼ିକାଲ୍ରେ ଚିକିତ୍ସାଧୀନ ଥିଲେ। ତାଙ୍କର ପରଲୋକରେ ନୀଳାଚଳ ସାରସ୍ୱତ ସଂଘର ଲକ୍ଷାଧିକ ଭକ୍ତଙ୍କ ହୃଦୟରେ ଗଭୀର ଶୋକର ଛାୟା ଖେଳିଯାଇଛି । ୧୯୪୦ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟ ବ୍ରାହ୍ମଣସାହିରେ ଜନ୍ମିତ ଶ୍ରୀ ପରିଡ଼ା ନୀଳାଚଳ ସାରସ୍ୱତ ସଂଘର ପରିଚାଳକ ଦୁର୍ଗାଚରଣ ମହାନ୍ତିଙ୍କ ଆହ୍ୱାନକ୍ରମେ ଏହି ସଂଘରେ ଯୋଗ ଦେଇଥିଲେ।
ପ୍ରଥମେ ସେ ସଂଗୀତ ସେବକ ଚନ୍ଦ୍ରମଣି ଭାଇଙ୍କର ବାୟକ ଭାବରେ ସେବା କରୁଥିଲେ। ଚନ୍ଦ୍ରମଣି ଭାଇଙ୍କର ଆକସ୍ମିକ ବିୟୋଗ ପରେ ତାଙ୍କୁ ସଂଗୀତ ବୋଲିବାକୁ ସଂଘ ତରଫରୁ ନିର୍ଦ୍ଦେଶ ହେଲା। ସେହି ସମୟରେ ସଂଘ ତରଫରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓ ଈଶ୍ୱର ସାହୁଙ୍କ ରଚିତ ଶ୍ରୀଶ୍ରୀଠାକୁର ନିଗମାନନ୍ଦ ପରମହସଂଦେବଙ୍କ ଭାବଧାରା ସମ୍ବଳିତ ସଂଗୀତ ସବୁ ତ୍ରୈମାସିକ ମୁଖପତ୍ର ‘ସଂଘସେବକ’ରେ ପ୍ରକାଶ ପାଉଥିଲା। ସେ ନିୟମିତ ଭାବରେ କବିଚନ୍ଦ୍ରଙ୍କ ପାଖକୁ ସଂଗୀତ ଶିଖିବାକୁ ଗଲେ ଏବଂ ସଂଘରେ ପରିବେଷଣ କରୁଥିଲେ। ସେ ନିଜେ ମଧ୍ୟ କେତେକ ସଂଗୀତର ସ୍ୱର ସଂଯୋଜନା କରିଥିଲେ।
ଓଡ଼ିଶା ତଥା ଓଡ଼ିଶା ବାହାରେ ଅନୁଷ୍ଠିତ ସହସ୍ରାଧିକ ସଂଘ, ସମ୍ମିଳନୀ ତଥା ଉତ୍ସବଗୁଡ଼ିକରେ ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନିଗମ ସଂଗୀତ ପରିବେଷଣ କରି ସେ ଭକ୍ତମାନଙ୍କ ଗହଣରେ ଖୁବ୍ ଲୋକପ୍ରିୟ ହୋଇ ଯାଇଥିଲେ। ସଂସାର କରିଥିଲେ ବି ସଂସାର ତାଙ୍କୁ ବାନ୍ଧି ରଖିପାରି ନଥିଲା। ଏପରିକି ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁରେ ମଧ୍ୟ ସେ ଘରକୁ ନଯାଇ ସଂଘସେବାରେ ବ୍ରତୀ ରହିଥିଲେ। ତାଙ୍କପରି ଜଣେ ଏକନିଷ୍ଠ ସଂଗୀତ ଗୁରୁ ତଥା ସେବକଙ୍କ ବିୟୋଗରେ ନୀଳାଚଳ ସାରସ୍ୱତ ସଂଘର ସଭାପତି ଗଗନେନ୍ଦ୍ର ଭାଇ ଓ ସଂପାଦକ ବ୍ରହ୍ମାନନ୍ଦ ଭାଇଙ୍କ ସମେତ ପରିଚାଳନା କମିଟି ତଥା ଭକ୍ତମାନେ ଗଭୀର ଶୋକପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶ୍ରୀଶ୍ରୀଠାକୁରଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି।
Follow Us