ଯୁବତୀଙ୍କୁ ପ୍ରେମିକା କହିବା ମହଙ୍ଗା ପଡ଼ିଲା, ବୁଲା ବେପାରୀଙ୍କ ଉପରକୁ ଗରମ ପାଣି ଫିଙ୍ଗିଲେ ଯୁବତୀ

Advertisment
ଯୁବତୀଙ୍କୁ ପ୍ରେମିକା କହିବା ମହଙ୍ଗା ପଡ଼ିଲା, ବୁଲା ବେପାରୀଙ୍କ ଉପରକୁ ଗରମ ପାଣି ଫିଙ୍ଗିଲେ ଯୁବତୀ

ତୁମୁଡ଼ିବନ୍ଧ: ଯୁବତୀଙ୍କୁ ପ୍ରେମିକା କହିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଯୁବକର ବ୍ୟବହାର ସୀମା ଅତିକ୍ରମ କରିବାରୁ ଯୁବତୀ ଜଣକ ତାଙ୍କ ଉପରକୁ ଗରମ ପାଣି ଫିଙ୍ଗିଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲାର ବେଲଘର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାରେ ପଶ୍ଚିମବଙ୍ଗର ବୁଲା ବେପାରୀ ଦୀପକ ଭୋଇ ଆହତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲା ଅନ୍ତର୍ଗତ କୁଲଠା ଗାଁର ଯୁବକ ଦୀପକ ଭୋଇ କନ୍ଧମାଳ ଜିଲ୍ଲାର ବେଲଘର ଅଞ୍ଚଳରେ ଦୀର୍ଘ ଦିନ ହେବ ବୁଲା ବିକାଳି ଭାବେ ଗାଁ ଗାଁ ବୁଲି ଫ୍ୟାନସି ସାମଗ୍ରୀ ବିକୁଥିଲେ। ସେଥିପାଇଁ ଦୀପକଙ୍କୁ ଏହି ଅଞ୍ଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ମଧ୍ୟ ଜାଣିଥିଲେ। ଫ୍ୟାନସି ସାମଗ୍ରୀ ବିକ୍ରି ମାଧ୍ୟମରେ ସେ ବିଶେଷତଃ ମହିଳା ମହଲରେ ବିଶ୍ୱସ୍ତ ହୋଇଯାଇଥିଲେ।

ତେବେ ଦୀପକ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ନିଜର ପ୍ରେମିକା ବୋଲି ସବୁଆଡ଼େ କହୁଥିଲେ। ଏ ବାବଦରେ ସଂପୃକ୍ତ ଯୁବତୀ ଜଣକ ଜାଣିବା ପରେ ପାନେ ଦେବାକୁ ମନସ୍ଥ କରିଥିଲେ। ଦୀପକ ଗାଁକୁ ଫ୍ୟାନସି ସାମଗ୍ରୀ ବିକିବାକୁ ଆସିଥିବା ବେଳେ ପୂର୍ବରୁ ଯୋଜନା କରିଥିବା ଯୁବତୀ ଅଚାନକ ତାଙ୍କ ନିକଟରେ ପହଞ୍ଚି ଗରମ ପାଣି ଫିଙ୍ଗି ଦେଇ ଚାଲି ଯାଇଥିଲେ।

ଗରମ ପାଣି ଦେହରେ ପଡ଼ିଯିବା ପରେ ଦୀପକଙ୍କ ଶରୀର ଜଳିଯାଇ ଥିଲା। ସେ ଗୁରୁତର ହେବା ପରେ କିଛି ଗ୍ରାମବାସୀ ତାଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe