ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ଗ୍ରାମର ଭଗବାନ ବେହେରା ଓରଫ୍‌ ମିଟୁ ପୁଲିସ ମାଡ଼ରେ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଭାରତୀୟ ବିକାଶ ପରିଷଦ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।

ବେଆଇନ ମଦ କାରବାର ଅଭିଯୋଗରେ ଗତ ୧ ତାରିଖରେ ଗୋଳନ୍ଥରା ଥାନା ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ମିଟୁ ମଧ୍ୟ ଥିଲେ। ମିଟୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ଗତ ୩ ତାରିଖରେ ମିଟୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଓ କିଛି ମଦମାଫିଆ ମାଡ଼ ମାରିବାରୁ ମିଟୁଙ୍କ ମୃତ୍ୟୁ ଘଟିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହି ଘଟଣାରେ ମିଟୁଙ୍କ ପତ୍ନୀ ଥାନାରେ ୩ଜଣଙ୍କ ବିରୋଧରେ ଏତଲା ଦେଇଥିଲେ। ସେହିପରି ଅନ୍ୟ ଦୁଇଜଣ ଅଭିଯୁକ୍ତ ମୋହନ ବେହେରା ଓ କ୍ରିଷ୍ଣା ରେଡ୍ଡୀଙ୍କୁ ଲୁହାଶିକୁଳିରେ ବାନ୍ଧି ମେଡିକାଲରେ ଚିକିତ୍ସା କରାଇବା ମାନବ ଅଧିକାରର ଉଲ୍ଲଂଘନ ହୋଇଥିବା ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି।

ଅନ୍ୟପଟେ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବାରୁ ଗତ ୫ତାରିଖରେ ମିଟୁଙ୍କ ପତ୍ନୀ ତାଙ୍କର ଏତଲା ପ୍ରତ୍ୟାହାର କରି ନେଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ମାଫିଆ ଓ ପୁଲିସର ମିଳିତ ଷଡ଼ଯନ୍ତ୍ରରେ ଏହି କାରବାର ହୋଇଛି। ମିଟୁଙ୍କ ମୃତ୍ୟୁ ପାଇଁ ପୁଲିସ ଓ ମଦ ମାଫିଆମାନେ ହିଁ ଦାୟୀ। ଏଣୁ ଏହି ଘଟଣାର ସତ୍ୟତା ବାହାର କରିବା ପାଇଁ ସିବିଆଇ ଦ୍ବାରା ତଦନ୍ତ କରିବାକୁ ଶ୍ରୀ ପାଣିଗ୍ରାହୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ସହିତ ମୃତ ମିଟୁଙ୍କ ପରିବାରବର୍ଗଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଭାରତୀୟ ବିକାଶ ପରିଷଦ ଅନୁରୋଧ କରିଛି। ପରିଷଦ ତରଫରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe