DNA India
ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଖୋଲା ମୁହଁ କୋଇଲା ଖଣିର କୋଇଲା ଉତ୍ତୋଳନ ପାଇଁ ଖୋଲା ଯାଇଥିବା ଏକ ଖାତରେ ପଡ଼ି ଖଣି ନିକଟସ୍ଥ ଏକ ଗାଁର ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଲଖନପୁର ଥାନା ଅନ୍ତର୍ଗତ କୁଡ଼ାଲୋଇ ପଞ୍ଚାୟତ ସାହାଜବାହାଲର କୁଞ୍ଜ ଭୋଇଙ୍କ ପୁଅ ଅଶୋକ (୪୫)। ସୂଚନା ଅନୁଯାୟୀ ସୋମବାର ଅପରାହ୍ଣରେ ମୃତ ଅଶୋକ ଛେଳି ଚରାଇବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇଥିଲେ। ଛେଳି ସବୁ ସନ୍ଧ୍ୟାରେ ଘରକୁ ଫେରି ଆସିଥିଲେ ମଧ୍ୟ ଅଶୋକ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରଦିନ ସକାଳେ ପରିବାର ଲୋକେ ଅଶୋକକୁ ଖୋଜାଖୋଜି କରି ନପାଇବାରୁ ଲଖନପୁର ଥାନାରେ ସୂଚନା ଦେଇଥିଲେ।
ଲଖନପୁର ଥାନା କର୍ମଚାରୀ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଖୋଜାଖୋଜି କରି ଗାଁ ନିକଟ କୋଇଲା ଖଣିର ଏକ ଷାଠିଏ ଫୁଟ ଗଭୀର ଖାତରେ ଅଶୋକଙ୍କ ଶବକୁ ଉଦ୍ଧାର କରିଥିଲେ। ଥାନା ଆଇଆଇସି ଦୁଃଖୀନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ ଖଣି ପଟେ ଯାଉଥିବା କୌଣସି ଛେଳିକୁ ଅଟକାଇବାକୁ ଯାଇ ନିଜେ ଅଶୋକ ସେହି ଖାତରେ ପଡ଼ିଯାଇଥିବା ଏବଂ ଉପରୁ ପଡ଼ି ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବୁଧବାର ବ୍ୟବଚ୍ଛେଦ ପରେ ଅଶୋକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ।
Follow Us