ମଧୁବାବୁଙ୍କ ସମାଧିପୀଠର ପୁନରୁଦ୍ଧାର ଦାବି କଲା ମଧୁ ସ୍ମୃତି ସୁରକ୍ଷା ମଞ୍ଚ

ମଧୁବାବୁଙ୍କ ସମାଧିପୀଠର ପୁନରୁଦ୍ଧାର ଦାବି କଲା ମଧୁ ସ୍ମୃତି ସୁରକ୍ଷା ମଞ୍ଚ

କଟକ: କଟକ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧି ପୀଠର ସୌନ୍ଦର୍ଯ୍ୟକରଣ ତଥା ଏହାକୁ ଏକ ସ୍ବତନ୍ତ୍ର ନୂଆ ରୂପ ଦେବାକୁ ପୁଣି ଥରେ ଦାବି ଜୋର ଧରିଛି। କଟକ ସହରର ବିଭିନ୍ନ ସାମାଜିକ ସଂଗଠନ ତଥା ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏ ନେଇ ଆଜି ସିଏମସି ମେୟରଙ୍କଠାରୁ ନେଇ ଜିଲ୍ଲାପାଳ, ବିଧାୟକ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏପରିକି ଗୋରାକବର ଠାରେ ଥିବା ମଧୁବାବୁଙ୍କ ସମାଧିପୀଠର ପୁନରୁଦ୍ଧାର ପାଇଁ ଆବଶ୍ୟକ ସ୍ଥାୟୀ ନିର୍ମାଣ କାର୍ଯ୍ୟର ଅନୁମତି ଦେବାକୁ ମଞ୍ଚ ତରଫରୁ କଟକ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ କତ୍ତୃର୍ପକ୍ଷଙ୍କୁ ଦାବିପତ୍ର ଦିଆଯାଇଛି। ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧିସ୍ଥଳଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ସାଧାରଣ ମଶାଣି ଭିତରେ ଏହି ସମାଧିପୀଠଟି ରହୁଥିବାରୁ ଏହାର ରକ୍ଷଣାବେକ୍ଷଣ ସହ ସୌନ୍ଦର୍ଯ୍ୟକରଣ ହୋଇପାରୁନାହିଁ।

ଏନେଇ ଆଜି ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ୫ ଦଫା ଦାବି ସମ୍ବଳିତ ଦାବିପତ୍ର ସିଏମ୍ସି ମେୟର୍, ଜିଲ୍ଲାପାଳ, କଟକ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ, ବାରବାଟୀ–କଟକ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ (ଜିଲ୍ଲାପାଳଙ୍କ ଜରିଆରେ) ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ମଞ୍ଚ ପକ୍ଷରୁ ମଧୁବାବୁଙ୍କ ସମାଧିପୀଠକୁ ସାଧାରଣ ମଶାଣିରୁ ପୃଥକ କରି ଏହାକୁ ଏକ ଦର୍ଶନୀୟ ସ୍ଥାନ ରୂପେ ନିର୍ମାଣ, ସମାଧିପୀଠର ଚତୁପାର୍ଶ୍ବରେ ସୁଉଚ୍ଚ ପାଚେରି ନିର୍ମାଣ ସହ ଏହା ଭିତରକୁ ଯିବା ପାଇଁ ସ୍ବତନ୍ତ୍ର ପ୍ରବେଶଦ୍ବାର ନିର୍ମାଣ ସହ ନାମଫଳକ ସ୍ଥାପନ, ପୀଠକୁ ଏକ ମନୋରମ ଉଦ୍ୟାନ କରିବା ସହ ଘାସ ଗାଲିଚା, ପାଣି ଫୁଆରା(ୱାଟର୍ ଫାଉଣ୍ଟେନ୍) ସ୍ଥାପନ, ସମାଧିପୀଠରେ ଆଲୋକୀକରଣ ସହ ପାନୀୟଜଳ ବ୍ୟବସ୍ଥା ଓ ଏହାର ରକ୍ଷଣାବେକ୍ଷଣ ପାଇଁ ଜଣେ ଜଗୁଆଳି ନିଯୁକ୍ତ କରିବା ଆଦି ଦାବି କରାଯାଇଥିଲା।

ଖୁବଶୀଘ୍ର ମଧୁବାବୁଙ୍କ ସମାଧିପୀଠର ଉନ୍ନତିକରଣ ସହ ଏହାର ନବକଳେବର ହେବ ବୋଲି ସିଏମ୍ସି ମେୟର୍ ସୁବାସ ସିଂହ ମଞ୍ଚ କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଯୁବ ସେବକ ବାହିନୀ ପକ୍ଷରୁ ମଧ୍ୟ ଉପରୋକ୍ତ ବିଷୟ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜିର ଦାବିପତ୍ର ପ୍ରଦାନ ସମୟରେ ମଞ୍ଚ ପକ୍ଷରୁ ସୁଧାଂଶୁ ପାତ୍ର, ସନ୍ତୋଷ ମହାରଣା, ଆକାଶ ପଟ୍ଟନାୟକ, ମନୋଜ ପଣ୍ତା, ଶଶାଙ୍କ ଶେଖର ଦାଶ, ଅଧିବକ୍ତା ଜଗନ୍ନାଥ ମହାନ୍ତି, ଶାନ୍ତିଲତା ସାହୁ, ଜଗନ୍ନାଥ ପ୍ରସାଦ ମହାନ୍ତି, ଅକ୍ଷୟ ଆଚାର୍ଯ୍ୟ, ବିଜୟ କୁମାର ପାତ୍ର, ରାକେଶ କୁମାର ବେହେରା, ଜ୍ଞାନରଞ୍ଜନ ବେହେରା, ରାକେଶ ପାତ୍ର, ସୌମିତ୍ରୀ ଦାଶ, ମାନସ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe