ThePleasantDream
ରାଉରକେଲା: ମଞ୍ଚା ଉପରେ ଶୋଇଥିବାବେଳେ ପଡ଼ିଯିବାରୁ ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି। ମୃତକ ହେଉଛନ୍ତି ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଟାଇଁସର ଗ୍ରାମର ସୈନିକ ଏକ୍କା (୨୯)। ସୂଚନା ଅନୁସାରେ, ସୈନିକ ନିଜ ଘର ସମ୍ମୁଖରେ ଶୋଇବା ପାଇଁ ଏକ ମଞ୍ଚା ତିଆରି କରିଥିଲେ। ପ୍ରତିଦିନ ଭଳି ଗତକାଲି ରାତିରେ ଶୋଇବାକୁ ମଞ୍ଚା ଉପରକୁ ଚଢ଼ିଥିଲେ। ବିଳମ୍ବିତ ରାତି ପ୍ରାୟ ଦେଢ଼ଟା ହେବ। ସେ ନିଘୋଡ଼ ନିଦରେ ଶୋଇଥିବାବେଳେ ହଠାତ ତଳେ ପଡ଼ିଯାଇଥିଲେ।
ଶବ୍ଦ ଶୁଣି ପରିବାର ଲୋକ ଘରୁ ବାହାରି ଦେଖିଲାବେଳେ ସୈନିକଙ୍କ ମୁଣ୍ଡରେ ଆଘାତ ଲାଗି ତଳେ ପଡ଼ି ଛଟପଟ ହେଉଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସମ୍ଭବତଃ କଡ଼ ଲେଉଟାଇବାବେଳେ ସେ ତଳେ ପଡ଼ିଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବ୍ରାହ୍ମଣୀତରଙ୍ଗ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Follow Us