ଯୁବକଙ୍କୁ ହତ୍ୟା ମାମଲା: ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ରାଇଡିହି ଜଙ୍ଗଲରେ ଯୁବକଙ୍କୁ ହତ୍ୟା ମାମଲା। ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। ଜୁଆଖେଳରୁ ଗଣ୍ଡଗୋଳରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି। ପୂର୍ବରୁ ୨୦୧୮ରେ ବାପାଙ୍କୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଜଣକୁ ଆଜୀବନ ସଜା ହୋଇଥିଲା।

Murder Case

Murder Case Photograph: (sambad.in )

ସୁନ୍ଦରଗଡ଼: ରାଇଡିହି ଜଙ୍ଗଲରେ ଯୁବକଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ ହୋଇଛି। ସୁନ୍ଦରଗଡ଼ ପୁଲିସ ଅଭିଯୁକ୍ତକୁ ଝାରସୁଗୁଡ଼ାରୁ ଗିରଫ କରିଛି। ଜୁଆଖେଳରୁ ଗଣ୍ଡଗୋଳରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି। ପୂର୍ବରୁ ୨୦୧୮ରେ ବାପାଙ୍କୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଜଣକୁ ଆଜୀବନ ସଜା ହୋଇଥିଲା। 

ସୂଚନା ମୁତାବକ, ଗତ ଶନିବାର ଦିନ ଲେଫ୍ରିପଡ଼ା ଥାନା ରାଇଡିହି ଜଙ୍ଗଲରେ ରଙ୍କନିଧି ଓରାମଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଲେଫ୍ରିପଡ଼ା ଥାନା ବିଜାଡିହିର ଡୁଲେଶ୍ୱର ଗନ୍ଧା ଓରଫ ଉମାକାନ୍ତ (୪୫)କୁ ଧରିବାରେ ସକ୍ଷମ ହୋଇଛି ପୁଲିସ। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରିଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ପୁଲିସ ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।  

ଅଭିଯୁକ୍ତ ଡୁଲେଶ୍ୱର ଏହାପୂର୍ବରୁ ୨୦୧୮ରେ ନିଜ ବାପାଙ୍କୁ ହତ୍ୟା କରିଥିଲା। ହତ୍ୟା ମାମଲାରେ କୋର୍ଟ ଡୁଲେଶ୍ୱରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ସେ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଯାଇଥିଲା। ହାଇକୋର୍ଟ ତାକୁ ନିର୍ଦୋଷରେ ଖଲାସ କରିବା ପରେ ୨୦୨୩ରେ ମୁକୁଳି ଘରକୁ ଆସିଥିଲା। ଆଉ ଆଜି ପୁଣି ହତ୍ୟା ଅଭିଯୋଗରେ ଜେଲ୍ ଯାଇଛି।

ଘଟଣା ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସ୍ପଷ୍ଟ କରିଛନ୍ତି। ହେମଗିର ଥାନା ବିହାଯୋରର ରଙ୍କନିଧି ଓରାମ ଓରଫ ଆନନ୍ଦ (୪୩) ଶୁକ୍ରବାର ସନ୍ଧ୍ୟାରୁ ଘରୁ ବାହାରି ରାଇଡିହି ଜଙ୍ଗଲକୁ ତାସପତିରେ ଜୁଆ ଖେଳିବାକୁ ଆସିଥିଲେ। ରାତିରେ ୬ ଜଣ ବସି ଜୁଆ ଖେଳୁଥିବା ବେଳେ ହାରିବା ଓ ଜିତିବାକୁ ନେଇ ଝଗଡ଼ା ହୋଇଥିଲା। ସେଠାରୁ ୪ ଜଣ ଖେଳ ଛାଡ଼ି ଚାଲି ଯାଇଥିବାବେଳେ ଅଭିଯୁକ୍ତ ଡୁଲେଶ୍ୱର ଓ ରଙ୍କନିଧି ଖେଳ ଜାରି ରଖିଥିଲେ। ଶନିବାର ଭୋର୍ ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଓ ମାଡ଼ପିଟ୍ ହୋଇଥିଲା। ଡୁଲେଶ୍ୱର ଅତର୍କିତ ଭାବେ ପଥରରେ ରଙ୍କନିଧିଙ୍କୁ ଆକ୍ରମଣ କରିଥିଲା। ମୁହଁ ଓ ମୁଣ୍ଡକୁ ଛେଚି ସେ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ରଙ୍କନିଧିଙ୍କ ପ୍ରାଣ ଚାଲିଯାଇଥିଲା। ସକାଳୁ ରାଇଡିହି ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଲେଫ୍ରିପଡ଼ା

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ମୃତକଙ୍କ ପରିଚୟ ମିଳିଥିଲା। ଘଟଣାସ୍ଥଳରୁ ବାଇକ୍, ଚଟେଇ, ତାସପତି, ହେଲମେଟ୍ ଆଦି ପୁଲିସ ଉଦ୍ଧାର କରିଥିଲା। ଏହି ହତ୍ୟାକାଣ୍ଡ ଜୁଆଖେଳରୁ ହୋଇଥିବା ପୁଲିସ ଜାଣିବା ପରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧନୀ କୁକୁର ସାହାଯ୍ୟରେ ଅଧିକ ତନାଘନା ଚଲାଇ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲେ।

sundargarh | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe