ରାୟଗଡ଼ାରେ ଫିକା ପଡ଼ିବ ନୂଆବର୍ଷ : ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଜାରି କଲା ପ୍ରଶାସନ

Advertisment
ରାୟଗଡ଼ାରେ ଫିକା ପଡ଼ିବ ନୂଆବର୍ଷ : ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଜାରି କଲା ପ୍ରଶାସନ

The News Room

ରାୟଗଡ଼ା : ‌ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। କ୍ଲବ୍, ଗେଷ୍ଟ୍ ହାଉସ୍, କଲ୍ୟାଣ ମଣ୍ଡପ, ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆଜି ନିର୍ଦେଶନାମା ଜାରି କରିଛନ୍ତି। ଭିଡ଼ ଏଡାଇବା ସହ ସାମାଜିକ ଦୂରତା ରକ୍ଷା କରି ନିଜ ଘରେ ପରିବାର ଲୋକଙ୍କ ଗହଣରେ ଜିରୋ ନାଇଟ୍, ନୂଆ ବର୍ଷ ପାଳନ କରିବାକୁ ନିର୍ଦେଶନାମାରେ ଉଲ୍ଲେଖ ଅଛି। ନିର୍ଦେଶନାମାକୁ ଉଲ୍ଲଂଘନ କରି ଯଦି କେହି କାର୍ଯ୍ୟକ୍ରମ ଆୟୋଜନ କରିବା ନଜରକୁ ଆସେ ତାହାହେଲେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏ ସଂପର୍କିତ ନିର୍ଦେଶନାମାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ ରାୟଗଡ଼ା ଓ ଗୁଣପୁର, ସମସ୍ତ ତହସିଲଦାର, ବିଡ଼ିଓ, ପୌର ନିର୍ବାହୀ ଅଧିକାରୀଙ୍କୁ ପଠାଇ ଦିଆଯାଇଛି।

ନୂଆ ବର୍ଷକୁ ସ୍ବାଗତ ପାଇଁ ଡିସେମ୍ବର ୩୧ ରାତିରେ ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇଥାଏ। ଯୁବପିଢ଼ିଠୁ ଆରମ୍ଭ କରି ସମସ୍ତ ବର୍ଗର ଲୋକ ସେଲିବ୍ରେସନରେ ସାମିଲ୍ ହୋଇଥାନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଜି ଭାତ ସହ ନାଚ ଗୀତର ଆସର ଜମୁଥିବାରୁ ଚଳିତ ବର୍ଷ ଏହା ଉପରେ କଟକଣା ଜାରି କରିଛି ପ୍ରଶାସନ। କରୋନା ପରିସ୍ଥିତି ଯୋଗୁ ପ୍ରଶାସନ ଏହି କଠୋର ନିଷ୍ପତ୍ତି ନେଇଛି। ଯଦିଓ ରାୟଗଡ଼ା ଜିଲ୍ଲାରେ ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ଅଛି ତଥାପି ପ୍ରତିକାର ପଦକ୍ଷେପ ସ୍ବରୂପ ପ୍ରଶାସନ ସମୂହ ଭାବେ ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆ ବର୍ଷ ପାଳନ ଲାଗି ମନା କରିଛି। ରାଜ୍ୟରେ ବ୍ରିଟେନ୍ ଫେରନ୍ତା ପୁଣି ଚିନ୍ତା ବଢ଼ାଉଥିବାରୁ ରାଜ୍ୟ ସରକାର ଗତକାଲି ଏହି ନିଷ୍ପତ୍ତି ନେଇଥିଲେ। ଯାହାକୁ ଆଜି ଜିଲ୍ଲାପାଳ କାର୍ଯ୍ୟକାରୀ କରିଛନ୍ତି। ୫ ମାସର ସଂଘର୍ଷ ପରେ କରୋନା ମୁକାବିଲାରେ ରାୟଗଡ଼ା ଗ୍ରୀନ୍ ଜୋନରେ ରହିଛି। ସବୁଠୁ ପଛ ଜିଲ୍ଲା ଭାବେ ରାୟଗଡ଼ା କରୋନା ଆକ୍ରାନ୍ତ ତାଲିକାରେ ସାମିଲ୍ ହୋଇଥିଲା। ମାର୍ଚ୍ଚ ୨୫ରୁ ଲକଡାଉନ୍ କଟକଣା ଆରମ୍ଭ ହୋଇଥିବା ବେଳେ ମେ’ ୩ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ ଆସି ୧୦ରୁ ଉର୍ଧ୍ବ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢ଼ିଥିଲା। ଅଗଷ୍ଟ ମାସରେ ସଂକ୍ରମଣ ଭୟାନକ ହେବା ସହ ଦୈନିକ ଶହେରୁ ଉର୍ଧ୍ବ ସ୍ବାବ ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ହୋସ୍ ଉଡ଼ାଇ ଦେଇଥିଲା। ସେପ୍ଟେମ୍ବର ମାସରେ ସଂକ୍ରମଣ ହାର କମିବା ସହ ଅକ୍ଟୋବରରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଶୀତ ପାଇଁ ପୁଣି ଥରେ ପରିସ୍ଥିତି ବିଗିଡ଼ିବାର ସମ୍ଭାବନା ଥିବାରୁ ପ୍ରଶାସନ ସଜାଗ ହେବା ସହ ଜିରୋ ନାଇଟ୍ ଓ ନୂଆ ବର୍ଷ ସେଲିବ୍ରେସନ୍ ଉପରେ କଟକଣା ଜାରି କରିଛି। ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଆଜି ସୁଦ୍ଧା ଜିଲ୍ଲାରୁ ୮୩୬୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୮୨୯୮ ସୁସ୍ଥ ହୋଇଥିବା ବେଳେ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ୨୨ ଜଣ ଚିକିତ୍ସାଧୀନ ଅଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୮୨୫ କୋଭିଡ଼୍ ଯୋଦ୍ଧା ରହିଛନ୍ତି। ସରକାରୀ ଭାବେ ୪ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe