ଅବସରପ୍ରାପ୍ତ ଶିକ୍ଷକଙ୍କ ଛୁଟି ବିଲ୍‌ କରିଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଜାଲରେ ପଡ଼ିଲେ କିରାଣୀ

ଅବସରପ୍ରାପ୍ତ ଶିକ୍ଷକଙ୍କ ଛୁଟି ବିଲ୍‌ କରିଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଜାଲରେ ପଡ଼ିଲେ କିରାଣୀ

ଝାରସୁଗୁଡ଼ା: ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଛୁଟି ବିଲ୍‌ ପାସ କରିଦେବାକୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍‌ସ ବିଭାଗ ହାତରେ ଜଣେ କିରାଣୀ ଧରାପଡ଼ିଛନ୍ତି । ଗିରଫ କିରାଣୀ ଜଣକ ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ଡିଲିଙ୍ଗ ଆସିଣ୍ଟାଣ୍ଡ ସନ୍ତୋଷ ନାଏକ ବୋଲି ଜଣାପଡ଼ିଛି।

ଭିଜିଲାନ୍‌ସ ଡିଏସପି ମାରିଆନୁସ୍‌ ମିଞ୍ଜଙ୍କ ସୂଚନା ଅନୁଯାୟୀ, ପିପିଲିକାନି ଆଶ୍ରମ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ସନାତନ ଶତପଥୀଙ୍କ ଏକ ଛୁଟି ବିଲ୍‌ ପାସ କରିଦେବାକୁ ମଙ୍ଗଳ କାର୍ଯ୍ୟାଳୟରେ ଅବସ୍ଥାପିତ ଡିଲିଂ ଆସିଷ୍ଟାଣ୍ଡ ସନ୍ତୋଷ ନାଏକ ୫ ହଜାର ଟଙ୍କା ଦାବି କରି ଆସୁଥିଲେ। ଏ ସଂପର୍କରେ ବନହରପାଲି ଥାନା ଅନ୍ତର୍ଗତ ସରଣ୍ଡାମାଲ ଠାରେ ରହୁଥିବା ସନାତନଙ୍କ ପୁତ୍ର ସୂର୍ଯ୍ୟନାରାୟଣ ଶତପଥୀ ଭିଜିଲାନ୍‌ସରେ ଅଭିଯୋଗ କରିଥିଲେ।

ପୂର୍ବ ସୂଚନା ଅନୁଯାୟୀ ଆଜି ସୂର୍ଯ୍ୟନାରାୟଣ ସ୍ଥାନୀୟ ଟ୍ରେଜେରୀ ଅଫିସ ଠାରେ ସଂପୃକ୍ତ କିରାଣୀ ସନ୍ତୋଷକୁ କେମିକାଲ ବୋଳା ୪ ହଜାର ଟଙ୍କା ଦେଉଥିବା ବେଳେ ସେଠାରେ ଆଗରୁ ଛପି ରହିଥିବା ଭିଜିଲାନ୍‌ସ ବିଭାଗ ଅଧିକାରୀମାନେ ତାଙ୍କୁ ଗିରଫ କରି ତାଙ୍କ ପାଖରୁ କେମିକାଲ ବୋଳା ଟଙ୍କା ଜବତ କରିଥିଲେ।

ଏହି ଚଢ଼ଉରେ ଡିଏସ୍ପିଙ୍କ ବ୍ୟତୀତ ରାଉରକେଲା ଡିଏସ୍ପି ବିରେନ୍ଦ୍ର ନାଏକ, ଝାରସୁଗୁଡ଼ା ଇନ୍‌ସପେକ୍ଟର ପ୍ରଦୀପ କୁମାର ଆଇଣ୍ଡ, ସୁନ୍ଦରଗଡ଼ ଇନ୍‌ସପେକ୍ଟର ସୁଧାଂଶୁ ପୂଜାରୀ, କନେଷ୍ଟବଳ ଗୌରିଶଙ୍କର ମେହେର, ପି. ଦେହୁରି, ଏଚ୍‌.ଆର୍‌.ସିଂହ, ପି.କେ. ଦୋରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ ପରେ ତାଙ୍କ ପଞ୍ଚପଡ଼ା ବାସଭବନ ଉପରେ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ଶ୍ରୀ ମିଞ୍ଜ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe