ବଲାଙ୍ଗୀର/ଡୁଡୁକା, ୫ା୧୧ (ଇମିସ): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ସାଲେଭଟାରେ ଥିବା ଗାଈଖାଇ ଡ୍ୟାମ୍ରେ ଜଙ୍ଗଲ ବିଭାଗ ଦ୍ବାରା ନିର୍ମିତ ଇକୋ ଟୁରିଜମ ପ୍ରକଳ୍ପକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଉଦ୍ଘାଟନ କରିଛନ୍ତି। ଆଜି ସକାଳେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ଆର୍ସିସିଏଫ୍ର ଅଶ୍ୱିନୀ କର, ବଲାଙ୍ଗୀର ଡିଏଫ୍ଓ ନୀତୀଶ କୁମାର, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଆଗଲପୁର ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ଦାଶ, ଏସିଏଫ୍ ଜିତେନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଗାଈଖାଇଠାରେ ବିଶ୍ରାମ ଗୃହ ଓ ଇକୋ ଟୁରିଜମ ପରିଦର୍ଶନ ପାଇଁ ନୂତନ ଟିକଟ ଘର ଉଦ୍ଘାଟିତ ହୋଇଥିଲା। ଏଠାରେ ଥିବା ଜଳଭଣ୍ଡାରରେ ନୌକା ବିହାର, ଜଳକ୍ରୀଡ଼ା ତଥା ବିଭିନ୍ନ ମନୋରଞ୍ଜନ ପାଇଁ ବ୍ୟବସ୍ଥା ରହିଛି। ୫୦ରୁ ୨୫୦ ଟଙ୍କା ମଧ୍ୟରେ ଖର୍ଚ୍ଚ କରି ଏହି ସୁବିଧାର ଆନନ୍ଦ ପର୍ଯ୍ୟଟକ ନେଇପାରିବ ବୋଲି କହାଯାଇଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ନୂଆ ପ୍ରକଳ୍ପ ହେବା ଦ୍ୱାରା ବଲାଙ୍ଗୀର ପର୍ଯ୍ୟଟନ କ୍ଷେତ୍ରରେ ଏହା ଯୋଡ଼ି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ସୁଦୃଶ୍ୟ ତୋରଣ, ବିଶ୍ରାମ ଗୃହ ଏବଂ ବୋଟିଂ ଆଦିକୁ ବନବିଭାଗ ଦ୍ୱାରା କରାଯାଇଛି। ବଣଭୋଜି ତଥା ଏକ ପର୍ଯ୍ୟଟନସ୍ଥଳ ଭାବରେ ଏହି ଅଞ୍ଚଳ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଗାଈଖାଇ ଇକୋ ଟୁରିଜମ୍ ଉଦ୍ଘାଟିତ
Advertisment
Follow Us