ଭିଜିଲାନ୍ସ ତଦନ୍ତ ଖୋଲିବ ବିଛାଖଣ୍ଡି ଦୁର୍ନୀତି  

Advertisment

ଲଘୁ ଖଣିଜ ସମ୍ପଦ କେଳେଙ୍କାରୀ: ଲିଜ୍‌ ନଥାଇ ହଜାର ହଜାର ଟନ୍ କଳାପଥର କାରବାର

ଲଘୁ ଖଣିଜ ସମ୍ପଦ କେଳେଙ୍କାରୀ: ଲିଜ୍‌ ନଥାଇ ହଜାର ହଜାର ଟନ୍ କଳାପଥର କାରବାର

ଭିଜିଲାନ୍ସ ତଦନ୍ତ ଖୋଲିବ ବିଛାଖଣ୍ଡି ଦୁର୍ନୀତି  

ଯାଜପୁର/କବାଟବନ୍ଧ : ଲଘୁ ଖଣିଜ ସମ୍ପଦ ଚୋରା କାରବାରରେ ଭୂସ୍ବର୍ଗ ପାଲିଟିଥିବା ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଞ୍ଚଳ ମାଫିଆଙ୍କ ଆତଙ୍କରାଜ ପାଇଁ ଚର୍ଚ୍ଚାରେ । କଳାପଥର ଚୋରା କାରବାର ଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ ମାଫିଆରାଜ୍‌ ପାଇଁ ଲୋକେ ଆତଙ୍କିତ। ଡଙ୍କାରୀ, ରାହାଡ଼ପୁର, ଆରୁହା ଓ ବିଛାଖଣ୍ଡି ପାହାଡ଼ରେ ବିନା ଲିଜ୍ରେ‌ ଶହଶହ ଏକର ଖୋଳିତାଡ଼ି ଖିନ୍‌ଭିନ୍‌ କରଯାଉଛି। କେତେକ ଲିଜଧାରୀ ମଧ୍ୟ ବେଆଇନ୍ ଭାବେ ନିଜ ସୀମା ବାହାରେ ବ୍ୟାପକ ଅଞ୍ଚଳ ଖାଳିତାଡ଼ି କଳାପଥର ବିକ୍ରି କରୁଛନ୍ତି। ଲିଜଧାରୀଙ୍କ ବେଆଇନ୍ କାରବାର ଯୋଗୁଁ ବିଛାଖଣ୍ଡି ପାହାଡ଼ ବିଲୀନ ହେବାକୁ ବସିଛି। ରାଜସ୍ବ, ପୁଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଙ୍ଗଲ ବିଭାଗର କେତେକ ଅଧିକାରୀଙ୍କ ସହିତ ମାଫିଆଙ୍କ ଅସାଧୁମେଣ୍ଟ ଦକ୍ଷ କର୍ମଚାରୀଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛି। ଅସାଧୁମେଣ୍ଟ ଯୋଗୁଁ ତଳିଆ କର୍ମଚାରୀ ହାତ ଟେକି ଦେଇଛନ୍ତି। ଏବେ ଲୋକାୟୁକ୍ତ ବିଛାଖଣ୍ଡି ପାହାଡ଼ର ଜଙ୍ଗଲ ଜମିରେ ଚାଲିଥିବା ବେଆଇନ୍ ଖାଦାନ ଓ ଲଘୁ ଖଣିଜ ସମ୍ପଦ କେଳେଙ୍କାରୀର ଆମୂଳଚୂଳ ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେବା ଫଳରେ ବିଛାଖଣ୍ଡିରେ ମାଫିଆମାନଙ୍କ ସହିତ ମିଶିଥିବା ପ୍ରଭାବଶାଳୀ ରାଜନେତା ଓ ଅସାଧୁମେଣ୍ଟ ଏବେ ଚିନ୍ତାରେ।

ବହୁ ଚର୍ଚ୍ଚିତ ବିଛାଖଣ୍ତି ପାହାଡ଼ର ୯ଟି ସଇରାତ ନିଲାମ ଉପରେ ମାନ୍ୟବର ହାଇକୋର୍ଟ ରହିତାଦେଶ ଜାରି କରିଥିବା ବେଳେ ଏବେ ବି ସମ୍ପୃକ୍ତ ଖାଦାନ ଗୁଡିକ ବେଆଇନ୍ ଭାବେ ଚାଲିଛି। ନମୁନା ସ୍ବରୂପ ପିଆରପିଏଲ୍ ମେଗା କ୍ରସର। ଏହି କ୍ରସରର ମାଲିକ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ବ୍ଲକର ସନ୍ଦୀପ ଚଣ୍ତକ ବିଛାଖଣ୍ତି ପାହାଡ଼ର ଖାତା ନମ୍ବର ୮୨୨ ଓ ପ୍ଲଟ୍ ନମ୍ବର ୨୩୩୮(ପି) ଦୁଇଟି ସଇରାତର ୫ ଏକର ଲେଖାଁଏ ମୋଟ ୧୦ ଏକର ପାହାଡ଼ରେ କଳାପଥର ଖାଦାନ କରିଛନ୍ତି। ନିଜ କ୍ରସରକୁ କଳାପଥର ଯୋଗାଇଆସୁଛନ୍ତି। ହେଲେ ଗତ ମାର୍ଚ୍ଚ ୩୧ ତାରିଖରୁ ତାଙ୍କର ଲିଜ୍ ଅବଧି ଶେଷ ହୋଇଯାଇଛି। ପ୍ରତିଦିନ ତାଙ୍କ କ୍ରସରକୁ ହାଇୱା ଯୋଗେ ୨୦/୩୦ ଟ୍ରିପ୍ କଳାପଥର ଆସୁଛି। ରାଜସ୍ବ ବିଭାଗ ଜାଣି ନଜାଣିବାର ଅଭିନୟ କରୁଛି। ବିନା ଲିଜରେ ଚାଲିଥିବା ଖାଦାନ ଉପରେ ଚଢଉ ନକରି ଲିଜ ଖାଦାନ ଉପରେ ଚଢ଼ଉ ବାହାନା କରୁଛି। ଲିଜଧାରୀଙ୍କ ଖାଦାନରୁ କଳାପଥର ଲୁଟ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ବଳରାମପୁର ସର୍କଲ–୨ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ପିଆରପିଲ୍ ଲିଜ୍ ନେଇଥିବା ଖାଦାନରୁ ବାର୍ଷିକ ୪ ହଜାର ୮ଶହ କ୍ୟୁବିକ୍ ମିଟର କଳାପଥର ଉ‌ତ୍ତୋଳନ କରିବା ପରିବର୍ତ୍ତେ ସେ ଗତବର୍ଷ ମାତ୍ର ୧୬ ଶହ ସିଏମ୍ ଉତ୍ତୋଳନ କରିଛନ୍ତି। ତାଙ୍କ ଲିଜ ସମୟ ସମ୍ପ୍ରସାରଣ କରାଯାଇଥିବା ଆରଆଇ ଶ୍ରୀ ସ୍ବାଇଁ କହିଛନ୍ତି। ଅପରପକ୍ଷରେ ଧର୍ମଶାଳା ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ କହିଛନ୍ତି ଆମେ ତଦନ୍ତ କରିବା ପରେ ଲିଜଧାରୀଙ୍କୁ ସରକାରୀ ନିୟମ ଅନୁଯାୟୀ ଉତ୍ତୋଳନ ପାଇଁ ସୁଯୋଗ ଦିଆଯିବ। ତେବେ ଲିଜଧାରୀ ବିନା ସଂପ୍ରସାରଣରେ କିପରି ଉତ୍ତୋଳନ କରୁଛନ୍ତି? ପିଆରପିଏଲ କ୍ରସରରେ ଏବେ ବି ୫ହଜାର ସିଏମ୍ରୁ ଅଧିକ କଳାପଥର ଗଚ୍ଛିତ ରହିଛି। ପ୍ରତିମାସରେ ସେ ୫ ହଜାର ସିଏମ୍ କଳାପଥର ଉତ୍ତୋଳନ କରୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କେବଳ ପିଆରପିଏଲ୍ ନୁହେଁ ବିଛାଖଣ୍ତି ଅଞ୍ଚଳରେ ଏବେବି ସକ୍ରିୟ ଭାବେ ଦିନରାତି ଚାଲିଥିବା ୩୫ରୁ ଊର୍ଦ୍ଧ୍ବ କ୍ରସରକୁ ଶହଶହ ଟନ କଳାପଥର ଆସୁଛି କେଉଁଠୁ? ବିଛାଖଣ୍ତି ପାହାଡ଼ରେ ଚାଲିଥିବା ଏହି ମହାଦୁର୍ନୀତିରେ‌ କେତେକ ପ୍ରଭାବଶାଳୀ ମେଗା କ୍ରସର ଓ ଖାଦାନ ମାଲିକ ଚୋରା କଳାପଥର ଟନ ପିଛା ୨୦ ଟଙ୍କା ହିସାବରେ କୋଟି କୋଟି ଟଙ୍କା ବଟି ଆଦାୟ କରି ରାଜନୈତିକ ନେତାଙ୍କୁ ନିଜର ସୁରକ୍ଷା କବଚ କରିଛନ୍ତି। ଏହା ବ୍ୟତୀତ କେତେକ ଅସାଧୁ କର୍ମଚାରୀ ଓ ଅଧିକାରୀ ଏହି କାରବାରକୁ ପ୍ରୋତ୍ସାହିତ କରିଆସୁଛନ୍ତି ବୋଲି ଅଭିଯୋଗ ହେଉଛି। କାଗଜପତ୍ରରେ କମ୍ ଖନନ ହେଉଥିବାର ଦର୍ଶାଯାଇ ତାହାର ଶହେ ଗୁଣ ପଥର ଖୋଳା ହୋଇଗଲାଣି। ଭିଜିଲାନ୍ସ ପକ୍ଷରୁୁ ଏଏହାର ତଦନ୍ତ ହେଲେ ବହୁ କୋଟିପତି ଖାଦାନ ମାଲିକ ଓ କ୍ରସର ମାଲିକ ବନ୍ଧା ହେବେ ବୋଲି ଚର୍ଚ୍ଚ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe