ସୁନ୍ଦରଗଡ଼ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ନାମ ଘୋଷଣା: ବିଜେଡିରୁ ରଞ୍ଜନା ପଣ୍ଡା, ବିଜେପିରୁ ତନୟା ମିଶ୍ର 

ସୁନ୍ଦରଗଡ଼ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ନାମ ଘୋଷଣା: ବିଜେଡିରୁ ରଞ୍ଜନା ପଣ୍ଡା, ବିଜେପିରୁ ତନୟା ମିଶ୍ର 

ସୁନ୍ଦରଗଡ଼: ସବୁ କଳ୍ପନାଜଳ୍ପନା ଓ ବାଦବିବାଦର ଅବସନ ଘଟାଇ ରବିବାର ସନ୍ଧ୍ୟାରେ ସୁନ୍ଦରଗଡ଼ ପୌରାଧ୍ୟକ୍ଷା ଓ କାଉନସିଲର୍ ଆସନ ପାଇଁ ବିଜେଡି ଓ ବିଜେପି ନିଜ ନିଜ ଅଧ୍ୟକ୍ଷା ଓ କାଉନସିଲର୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେଡି ପୂର୍ବତନ ପୌର ଉପଧ୍ୟକ୍ଷା ତଥା ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ରଞ୍ଜନା ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ଜିଲ୍ଲା ସଭାପତି ତଥା ସାଂସଦ ପ୍ରତିନିଧି ବଟକିଶୋର ମିଶ୍ରଙ୍କ ପତ୍ନୀ ତନୟା ମିଶ୍ରଙ୍କୁ ନିର୍ବାଚନୀ ମୈଦାନକୁ ଉତାରିଛି। ଏହା ସହ ଦୁଇ ଦଳ ୧୯ଟି ୱାର୍ଡର କାଉନସିଲର ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ନାମ ଘୋଷଣା କରି ନଥିବା ବେଳେ ନଥିବା ବେଳେ ଦଳ ପକ୍ଷରୁ କେବଳ ୭ଟି ୱାର୍ଡର କାଉନସିଲର୍ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଦୁଇଦିନ ହେଲା ହଟଚମଟ ଲାଗି ରହିଥିଲା। ଶନିବାର ରାତିରେ ଏକ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ସ୍ଥାନୀୟ ବିଜେଡି ଶିବିରରେ ଅସନ୍ତୋଷ ଦେଖା ଦେଇଥିଲା। ସୁନ୍ଦରଗଡ଼ ଚୟନ କମିଟି ଯେଉଁମାନଙ୍କ ନାମ ଚୂଡାନ୍ତ କରିଥିଲା, ସେସବୁ ନାମ ମଧ୍ୟରୁ ଅଧିକାଂଶ ନାମ ତାଲିକାରୁ ହଟି ଯାଇ ନୂଆ ନାମ ଯୋଡ଼ା ଯାଇଥିବା ଅସନ୍ତୁଷ୍ଟ ଅଭିଯୋଗ କରିଥିଲେ।

ଶନିବାର ରାତିରେ ସହ ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ ଏହି ତାଲିକା ଧରି ପହଞ୍ଚିବା ପରେ ଅଦଳବଦଳ ହୋଇଥିବା ଜଣାପଡିଥିଲା। ବିଶେଷ କରି ଅଧ୍ୟକ୍ଷା ଆସନ ପାଇଁ ସୁନ୍ଦରଗଡ଼ ବିଜେଡି ଯାହାକୁ ଚାହୁଥିଲା, ତାଙ୍କ ନାମ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ହଟି ଯାଇଥିବାରୁ ଦଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଯୋଗେଶଙ୍କ ପକ୍ଷଛେଦନ ପାଇଁ ଲାଗିଥିବା ଏକ ଗୋଷ୍ଠୀର ଏହା ଷଡ଼ଯନ୍ତ୍ର ବୋଲି ଚର୍ଚ୍ଚା ଉଠିବା ପରେ ଦଳର ବହୁ ଅସନ୍ତୁଷ୍ଟ କର୍ମୀ, କର୍ମକର୍ତ୍ତା ଓ ସମର୍ଥକ ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକଙ୍କୁ ପ୍ରାର୍ଥୀ ଚୟନ ସମ୍ପର୍କରେ ପଚାରିବାକୁ ସେ ରହୁଥିବା ହୋଟେଲ ଅମ୍ବିଆନ୍ସ ଯାଇଥିଲେ। କିନ୍ତୁ ଉତ୍ତେଜନା ଖବର ପାଇ ଶ୍ରୀ ମଲ୍ଲିକ ସୁନ୍ଦରଗଡ଼ରୁ ଉଭାନ ହୋଇଯାଇଥିବା, ଏପରିକି ଦଳର କିଛି କର୍ମକର୍ତ୍ତା ତାଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିବା ଅଭିଯୋଗ ହୋଇଥିଲା। ଅସନ୍ତୁଷ୍ଟମାନେ ଦଳରୁ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ପରେ ଦଳରେ ଏ ପ୍ରକାର ବିବାଦୀୟସ୍ଥିତି ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଥିଲା। ଶେଷକୁ ପୂର୍ବରୁ କମିଟି ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ପ୍ରାର୍ଥୀ ଚୂଡାନ୍ତ କରାଯାଇଥିଲା। ଏହା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ସେହିପରି ବିଜେପି ଅଧ୍ୟକ୍ଷା ଆସନ ପାଇଁ ତନୟା ମିଶ୍ର ଓ ନିନିମା ପଟେଲଙ୍କ ନାମ ପ୍ରସ୍ତାବକୁ ଆସିଥିଲେ ମଧ୍ୟ ଦଳ ବହୁ ବିଚାରବିମର୍ଶ କରି ଶେଷରେ ତନୟାଙ୍କୁ ପ୍ରାର୍ଥୀ କରିଛି। ଆଜି ବିଧାୟିକା କୁସୁମ ଟେଟେ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଅଜୟ ପଟେଲ, ସୁରେନ୍ଦ୍ର ସ୍ବର୍ଣ୍ଣକାର, ଯଶୋବନ୍ତ ନାଏକଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲେ। ସୋମବାର ପ୍ରାର୍ଥୀମାନେ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe