ସୁନ୍ଦରମତୀ କାନନ ସବୁଜ ବିପ୍ଲବର ପୁରୋଧା କାର୍ତ୍ତିକ ମାଝୀ

Advertisment

ଏକାକୀ ୯୮ ହେକ୍ଟର ପଡ଼ିଆ ଜମିରେ ସୃଷ୍ଟି କରିଛନ୍ତି ଜଙ୍ଗଲ

ଏକାକୀ ୯୮ ହେକ୍ଟର ପଡ଼ିଆ ଜମିରେ ସୃଷ୍ଟି କରିଛନ୍ତି ଜଙ୍ଗଲ

ସୁନ୍ଦରମତୀ କାନନ ସବୁଜ ବିପ୍ଲବର ପୁରୋଧା କାର୍ତ୍ତିକ ମାଝୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୋରିଙ୍ଗପଦର ଗାଁର କାର୍ତ୍ତିକ ମାଝୀ। ବର୍ତ୍ତମାନ ବୟସ ୯୦ରୁ ଅଧିକ ହେବ। ବୟସର ଅପରାହ୍‌ଣରେ ଠିକ ଭାବରେ ଚଲାବୁଲା କରି ପାରୁ ନଥିଲେ ବି ଆତ୍ମବିଶ୍ୱାସକୁ ଆୟୁଧ କରି ୯୮ ହେକ୍ଟର ଘଞ୍ଚ ଜଙ୍ଗଲର ସୁରକ୍ଷାରେ ଲାଗି ପଡିଛନ୍ତି କାର୍ତ୍ତିକ। ୧୯୬୮ ମସିହାରେ କାର୍ତ୍ତିକଙ୍କୁ ମାତ୍ର ୩୩ ବର୍ଷ ହୋଇଥିବା ବେଳେ ନିଜ ଗାଁ ବୋରିଙ୍ଗ ପଦରର ବିସ୍ତୀର୍ଣ୍ଣ ପାହାଡ ଏବଂ ଉଜୁଡି ପଡିଥିବା ଟାଙ୍ଗରା ଭୂଇଁକୁ ସବୁଜ ସୁନ୍ଦର କରିବାର ସ୍ୱପ୍ନ ଦେଖିଥିଲେ। ଏହାକୁ ବାସ୍ତବର ରୂପ ଦେବା ପାଇଁ ନିଜ ବାପା ଏବଂ ସ୍ଥାନୀୟ ନେହେରୁ ଯୁବକେନ୍ଦ୍ରର ପ୍ରେରଣାରେ ପ୍ରଥମେ ବୋରିଙ୍ଗ ପଦର ଯୁବକ ସଂଘ ଗଠନ କରିଥିଲେ। ବିନା ସରକାରୀ ସହାୟତାରେ ସେ ଆମ୍ବ, ନିମ୍ବ, ଶାଳ, ପିଆଶାଳ, କେନ୍ଦୁ ପ୍ରଭୃତିି ଗଛ ଲଗାଇଲେ।

ନିଜ ଖର୍ଚ୍ଚରେ ଚହଲା ଖୋଳି ତେଣ୍ଡାପାଟି ସାହାଯ୍ୟରେ ଜଳସେଚନ ଦ୍ୱାରା ଗଛ ଗୁଡିକୁ ବଢାଇବାର ଉଦ୍ୟମ କଲେ। ପରେ ଯୁବକ ସଂଘର କିଛି କର୍ମକର୍ତ୍ତା ବି ଜଙ୍ଗଲ ସୃଷ୍ଟି କରିବାରେ କାର୍ତ୍ତିକଙ୍କୁ ସହଯୋଗର ହାତ ବଢ଼ାଇଲେ। ଏବେ ୯୮ ହେକ୍ଟର ଜମି ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି। ପ୍ରାୟ ୪୦ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ସୁନ୍ଦରମତୀ କାନନ ଶସ୍ୟ ଶ୍ୟାମଳ ହୋଇ ଉଠିଛି। ଏବେ କିଛି ବନ କର୍ମଚାରୀଙ୍କୁ ହାତକରି ମାଫିଆମାନେ ଶାଳ ପିଆଶାଳ ଗଛ କାଟୁଥିବାରୁ ବୋରିଙ୍ଗପଦର ଯୁବକ ସଂଘର କିଛି କର୍ମକର୍ତ୍ତା ପାଳି କରି ଜଙ୍ଗଲ ଜଗିବା ଆରମ୍ଭ କରିଛନ୍ତି। ଗ୍ରାମବାସୀମାନେ ଏହି ସୁନ୍ଦରମତୀ କାନନ ଜଙ୍ଗଲରୁ କେନ୍ଦୁ, ଶାଳପତ୍ର, ଛତୁ, କରଡି, ମହୁଲ, ଆମ୍ବ ଆଦି ସଂଗ୍ରହ କରି ଆତ୍ମନିର୍ଭରଶୀଳ ହେବାସହ ଜଙ୍ଗଲର ସୁରକ୍ଷାରେ ଏହାର ଉପକାର ସମ୍ବନ୍ଧରେ ବିଭିନ୍ନ ସଭା ସମିତି କରି ଆଖପାଖ ଗାଁ ଲୋକଙ୍କୁ ବୁଝାଉଛନ୍ତି। ଜଙ୍ଗଲ ବିଭାଗ ଯେଉଁ କାମ କରିପାରୁ ନାହିଁ କାର୍ତ୍ତିକ ମାଝୀ ଭଳି ନିଆରା ମଣିଷଙ୍କ ଦ୍ୱାରା ସବୁଜ ବନାନୀ ସୃଷ୍ଟି ସମାଜ ପାଇଁ ଗୋଟିଏ ବିରଳ ଦୃଷ୍ଟାନ୍ତ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe