ଏଥର ଏକ ଭଲ ବଜେଟ୍‌

Advertisment

୨୦୨୫-୨୬ରେ ଆଗତ ବଜେଟ୍‌ ଦେଶର ପ୍ରଗତି ଆଣିବ ଓ ଏହା ଭାରତର ସଂସ୍କୃତିକୁ ଉପରକୁ ଉଠାଇବ ବୋଲି ଆକଳନ କରାଯାଇଛି। ସାରା ପୃଥିବୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଓ ହାମାସ-ଇସ୍ରାଏଲ...

୨୦୨୫-୨୬ରେ ଆଗତ ବଜେଟ୍‌ ଦେଶର ପ୍ରଗତି ଆଣିବ ଓ ଏହା ଭାରତର ସଂସ୍କୃତିକୁ ଉପରକୁ ଉଠାଇବ ବୋଲି ଆକଳନ କରାଯାଇଛି। ସାରା ପୃଥିବୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଓ ହାମାସ-ଇସ୍ରାଏଲ...

dgddgdag

ମହାମେଘବାହନ ଐର ଖାରବେଳ ସ୍ୱାଇଁ

୨୦୨୫-୨୬ରେ ଆଗତ ବଜେଟ୍‌ ଦେଶର ପ୍ରଗତି ଆଣିବ ଓ ଏହା ଭାରତର ସଂସ୍କୃତିକୁ ଉପରକୁ ଉଠାଇବ ବୋଲି ଆକଳନ କରାଯାଇଛି। ସାରା ପୃଥିବୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଓ ହାମାସ-ଇସ୍ରାଏଲ ସଂଘର୍ଷ ମଧ୍ୟରେ ଆର୍ଥିକ ଅସ୍ଥିରତା ଦେଖାଯିବା ଅତ୍ୟନ୍ତ ସ୍ୱାଭାବିକ କଥା। କିନ୍ତୁ ଭାରତର ଆର୍ଥିକ ସ୍ଥିତିର ରୂପାନ୍ତରଣ ହୋଇଛି। ଭାରତ ତା’ର ଅର୍ଥନୀତିକୁ ଏତେ ସୁଦୃଢ଼ କରିଛି ଯେ ତାହା ବର୍ତ୍ତମାନ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇ ରହିଛି ଏବଂ ୨୦୩୦ ବେଳକୁ ତାହା ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଆକଳନ କରାଯାଉଛି। ଭାରତର ଅର୍ଥନୀତି ଉପରକୁ ଉଠିବା ସମ୍ଭବ କେବଳ ଆର୍ଥିକ ସଂସ୍କାର ଦ୍ୱାରା। 
ଚଳିତ ବର୍ଷର ବଜେଟ୍‌ ମଧ୍ୟମ ବର୍ଗର ଲୋକମାନଙ୍କୁ ଅତ୍ୟନ୍ତ ସନ୍ତୁଷ୍ଟ କରିଛି; କାରଣ ୧୨ ଲକ୍ଷ ଟଙ୍କାର ଆୟ ପର୍ଯ୍ୟନ୍ତ ଏଥର ଆଦୌ ଟିକସ ଦିଆଯିବନାହିଁ। ଖାଉଟିମାନଙ୍କର ଖର୍ଚ୍ଚ କରିବାର ସାମର୍ଥ୍ୟ ବଢ଼ିବ; କାରଣ ସେମାନଙ୍କୁ ଅଧିକ ଟିକସ ଦେବାକୁ ପଡ଼ିବ ନାହିଁ। ଏଥରର ବଜେଟ୍‌ରେ ଭିତ୍ତିଭୂମିର ନିର୍ମାଣ ପାଇଁ ପୁଞ୍ଜି ଲଗାଣ ବହୁ ପରିମାଣରେ ବଢ଼ିବ, ଯାହା ଫଳରେ ନିରନ୍ତର ଅଭିବୃଦ୍ଧି ହେବ। ଏହି ବଜେଟ୍‌ ହେତୁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିବା କାରଣରୁ ଘରୋଇ ଉଦ୍ୟୋଗମାନ ଅଧିକ ପୁଞ୍ଜି ଲଗାଣ କରିବେ। ଏହା ଛଡ଼ା ଏହି ବଜେଟ୍‌ ବିତ୍ତୀୟ ନିଅଣ୍ଟକୁ କମାଉଥିବାରୁ ଅର୍ଥନୀତି ଅଧିକ ସୁଦୃଢ଼ ହେବ। ଋଣ ଉପରେ ଦିଆଯାଉଥିବା ସୁଧ ମିଶି ଯେଉଁ ଖର୍ଚ୍ଚ ହୁଏ, ତା’ ଅପେକ୍ଷା ଦେଶର ମୋଟ ରାଜସ୍ୱ ଆୟ ଯଦି କମ୍ ହୋଇଥାଏ, ତାହାକୁ ବିତ୍ତୀୟ ନିଅଣ୍ଟ ବୋଲି କୁହାଯାଇଥାଏ। ଏଥରର ବଜେଟ୍‌ରେ ଯେଉଁ ବ୍ୟବସ୍ଥା କରାଯାଇଛି ସେଥିରେ ବିଦେଶକୁ ରପ୍ତାନିମାନ ବଢ଼ିବ। ଏଥିରୁ ଆୟ ବଢ଼ିଲେ ନିଅଣ୍ଟକୁ କମାଇବ।
ଖାଉଟିମାନେ ଏଥରର ବଜେଟ୍‌ ଦ୍ୱାରା ବହୁ ଉପକୃତ ହେବେ। ସେମାନଙ୍କ ଉପରେ ଟିକସ ହାର କମିବାରୁ ସେମାନଙ୍କ ନିକଟରେ ଯେଉଁ ବଳକା ଅର୍ଥ ରହିବ, ତାହାକୁ ସେମାନେ ଅଧିକରୁ ଅଧିକ ଖର୍ଚ୍ଚ କରିବେ। ମୁଖ୍ୟତଃ ମଧ୍ୟମ ବର୍ଗର ଲୋକମାନଙ୍କ ନିକଟରେ ଏହା ଏକ ଲାଭ ଭଳି ହେବ। ଚଳିତ ବର୍ଷର ବଜେଟ୍‌ ପ୍ରାବଧାନ ହେତୁ ବିଦ୍ୟୁତ୍‌ ଚାଳିତ ଯାନ ଏବଂ ବିଦେଶରୁ ଆମଦାନି ହେଉଥିବା ଦୁଇଚକିଆ ଯାନମାନଙ୍କର ସଂଖ୍ୟା ବଢ଼ିବ। ଏହା ଛଡ଼ା ଅଳଙ୍କାରର ମୂଲ୍ୟ ମଧ୍ୟ କମିବ। କାରଣ ଆମଦାନି ହେଉଥିବା ଅଳଙ୍କାରମାନଙ୍କ ଉପରେ ଆମଦାନି କର କମ୍ ହେବ।
ଭାରତ ସରକାର ଡାକ୍ତରୀ ଔଷଧ ଉପରେ ବହୁତ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଡାକ୍ତରୀ ଔଷଧଗୁଡ଼ିକର କଞ୍ଚାମାଲ ଉପରେ ଆମଦାନି କରକୁ କମାଇ ଦିଆଯାଇଛି। ତେଣୁ, ଔଷଧର ମୂଲ୍ୟ ମଧ୍ୟ କମିବାକୁ ଯାଉଛି।
ଚଳିତ ବର୍ଷର ବଜେଟ୍‌ରେ ଗୃହ ନିର୍ମାଣ ଆଦି ଦ୍ରୁତ ଗତିରେ ହେବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଭାରତରେ ୧ ଲକ୍ଷ ଗୃହ ଅଧାଗଢ଼ା ଅବସ୍ଥାରେ ପଡ଼ିରହିଛି। ସେଗୁଡ଼ିକ କିପରି ଶୀଘ୍ର ସମାପ୍ତ ହେବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଗୃହ ନିର୍ମାଣ କ୍ଷେତ୍ରରେ ସିମେଣ୍ଟ, ଇଟା, ଲୁହାଛଡ଼, ବିଦ୍ୟୁତ୍‌ ସାମଗ୍ରୀ, ଆସବାବପତ୍ର, ରଙ୍ଗ ଇତ୍ୟାଦି ଅନେକ ଦ୍ରବ୍ୟ ବ୍ୟବହୃତ ହୋଇଥାଏ ଏବଂ ଏହା ଫଳରେ ସେହି ଦ୍ରବ୍ୟ ଉତ୍ପାଦନ କରୁଥିବା ଶିଳ୍ପମାନ ଦ୍ରୁତ ପ୍ରଗତି କରିଥାନ୍ତି। ଏହାର ଅର୍ଥ ଖର୍ଚ୍ଚ ବଢ଼ିବା ସହିତ ଉତ୍ପାଦନ ମଧ୍ୟ ବଢ଼ିବ। ଚୀନ ଯେତେବେଳେ ଗତ ଶତାବ୍ଦୀର ନବମ ଦଶକରେ ତା’ର ଅର୍ଥନୀତିକୁ ବଢ଼ାଇଥିଲା, ସେତେବେଳେ ମୁଖ୍ୟତଃ ଅଧିକରୁ ଅଧିକ ଗୃହ ନିର୍ମାଣ କରି ନିଜ ଅର୍ଥନୀତିକୁ ଆଗକୁ ନେଇଥିଲା। ଭାରତରେ ମୋଟାମୋଟି ଭାବରେ ସେଭଳି ହେବାକୁ ଯାଉଛି।
ଚଳିତ ବର୍ଷର ବଜେଟ୍‌ରୁ ମନେ ହେଉଛି ଯେ ଖାଉଟିମାନେ କିଣାକିଣିରେ ଅଧିକ ଅର୍ଥ ବ୍ୟୟ କରିବେ, ଯାହା ଅର୍ଥନୀତିକୁ ଚଳଚଞ୍ଚଳ ଓ ଅଧିକ ସୁଦୃଢ଼ କରିବ, ଷ୍ଟକ୍‌ ମାର୍କେଟରେ ଖାଉଟି ଦ୍ରବ୍ୟ ଉତ୍ପାଦନ କରୁଥିବା କଂପାନିଙ୍କର ଅଂଶଧନର ମୂଲ୍ୟ ଅଧିକରୁ ଅଧିକ ହେବ। 
ଚଳିତ ବର୍ଷର ବଜେଟ୍‌ରୁ ମନେ ହେଉଛି ଟିକସ ହାର କମିବାରୁ ଲୋକମାନେ ବଳୁଥିବା ଅର୍ଥରୁ କିଛି ସଞ୍ଚୟ ମଧ୍ୟ କରିବେ। ଯେଉଁ ଅର୍ଥ ଲୋକଙ୍କ ପାଖରେ ରହିବ, ସେଗୁଡ଼ିକ ଷ୍ଟକ୍ ମାର୍କେଟରେ ଲଗାଣ ହେବାର ଆଶା କରାଯାଉଛି, ଯାହା ଫଳରେ ଏହା ସାରା ଦେଶର ଅର୍ଥନୀତିକୁ ସମୃଦ୍ଧ କରିବ। ଲୋକମାନେ ଯେଉଁ ଅର୍ଥକୁ ସଞ୍ଚୟ କରିବେ, ତାହା ବଜାରକୁ ଯିବ ଓ ଯୋଜନାବଦ୍ଧ ଭାବରେ ଏହି ଅର୍ଥର ଲଗାଣ କରାଯିବ। ଏହା ଆର୍ଥିକ ସ୍ଥିରତା ଆଣିଦେବ। ସାରା ପୃଥିବୀରେ ଆର୍ଥିକ ଅସ୍ଥିରତା ଦେଖାଯାଉଥିବା ବେଳେ ଭାରତରେ ଏହା ସ୍ଥିରତା ସୃଷ୍ଟି କରିବ। ଆର୍ଥିକ ସୁଦୃଢ଼ୀକରଣ ପରିପ୍ରେକ୍ଷୀରେ ଭାରତର ରିଜର୍ଭ ବ୍ୟାଙ୍କ ତା’ର ସୁଧ ହାରକୁ କମ୍ କରି ଦେଇପାରେ। ଆର୍ଥିକ ସୁଦୃଢ଼ୀକରଣ ବେଳାରେ ଭାରତ ସରକାର ଅଧିକ ଋଣ କରିପାରିବେ ଓ ତାହାର ବିନିବେଶ କରାଯାଇପାରିବ, ଯାହା ଦେଶର ଆର୍ଥିକ ଉନ୍ନତିରେ ସହାୟକ ହେବ।
ଚଳିତ ବର୍ଷର ବଜେଟ୍‌ରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଶିଳ୍ପମାନଙ୍କୁ ଅନେକ ଗୁରୁତ୍ୱ ଦିଆଯାଇଛି। ଏ କ୍ଷେତ୍ରରେ ‘ଷ୍ଟାର୍ଟଅପ୍‌’ମାନଙ୍କୁ ମଧ୍ୟ ଅଧିକ ମହତ୍ତ୍ବ ଦିଆଯାଇଛି ଏବଂ ସେମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସୁଯୋଗ ପ୍ରଦାନ କରାଯାଇଛି। କିପରି ଭାବରେ ସରକାର ଓ ଘରୋଇ ଉଦ୍ୟୋଗ ସହଯୋଗ କରି ବିଭିନ୍ନ ପ୍ରକଳ୍ପ ଗଢ଼ିବେ, ତା’ ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି। 
ସରକାର ନୂଆ ଆୟକର ବିଲ୍ ଆଣିଛନ୍ତି, ଯାହା ଟିକସ ଦାନର ପଦ୍ଧତିକୁ ସରଳୀକରଣ କରିବ ଓ ଟିକସ ଦେବା କାମଟି କେମିତି ସୁବିଧାରେ ହେବ, ତାହା ଦେଖିବ। ଏତଦ୍‌ବ୍ୟତୀତ ବିଭିନ୍ନ ରାଜ୍ୟମାନଙ୍କର ବ୍ୟବସାୟ ପଦ୍ଧତିର ସରଳୀକରଣ କରାଯିବ ଏବଂ ବ୍ୟବସାୟ କରିବା ସୁବିଧାଜନକ ହେବ। 
ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରଭାବ ଭାରତ ଉପରେ କିଭଳି ପଡ଼ିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାଳକ୍ରମେ ତାହା ପରିଷ୍କାର ହୋଇ ଉଠିବ। ଏହା ପୂର୍ବରୁ ଭାରତର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରାଯାଇଥିଲା। ଏହି ରିପୋର୍ଟରେ କୁହାଯାଇଥିଲା ଯେ ଚଳିତ ବର୍ଷର ଅର୍ଥନୀତି ୬.୩%ରୁ ୬.୮% ହାରରେ ବଢ଼ିବ। ଚଳିତ ବର୍ଷ ଦେଶର ଆର୍ଥିକ ନିଅଣ୍ଟ ମୋଟ ଜାତୀୟ ଉତ୍ପାଦର ୪.୫%କୁ କମିବ। ମୁଦ୍ରାସ୍ଫୀତିକୁ ମଧ୍ୟ କମାଇବାର ଯଥେଷ୍ଟ ସମ୍ଭାବନା ଅଛି। ଏଥର ଭଲ ଫସଲ ହେବାର ସମ୍ଭାବନା ଅଛି। ଏହାଛଡ଼ା ରୁଷିଆ-ୟୁକ୍ରେନ ଓ ହମାସ-ଇସ୍ରାଏଲ ଯୁଦ୍ଧ ପ୍ରାୟ ସମାପ୍ତ ହେବାକୁ ଯାଉଛି। ତେଣୁ ଆନ୍ତର୍ଜାତିକ ସ୍ତରରେ ଗୋଟିଏ ଭଲ ବାତାବରଣ ସୃଷ୍ଟି ହେବାର ସମ୍ଭାବନା ଅଛି। ଭାରତର ଅର୍ଥନୈତିକ ଭିତ୍ତିଭୂମି ଦୃଢ଼ ହୋଇଥିବା ହେତୁ ଏହି ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ନିୟମ କାନୁନକୁ କଡ଼ାକଡ଼ି ନ କରି ହାଲୁକା କରାଗଲେ ଓ ବ୍ୟବସାୟ କରିବାର ଖର୍ଚ୍ଚ କମିଗଲେ, ଅଧିକ ପୁଞ୍ଜି ଲଗାଣ ହେବ, ଅଧିକ ଉଦ୍ୟୋଗପତି ବ୍ୟବସାୟ କରିବାକୁ ଆଗ୍ରହୀ ହେବେ। ଦେଶର ଅର୍ଥନୈତିକ ଅଭିବୃଦ୍ଧି ହେବ। ଅଧିକ ସରକାରୀ ଆର୍ଥିକ ପ୍ରୋତ୍ସାହନର ଆବଶ୍ୟକତା ରହିବ ନାହିଁ। ଏହି ସର୍ଭେର ଆକଳନ ଅନୁସାରେ ଭାରତରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଅଧିକରୁ ଅଧିକ ହେବାକୁ ଯାଉଛି, ଯାହା ଦେଶର ଉତ୍ପାଦକତାକୁ ବୃଦ୍ଧି କରିବ। ଏହା ମଧ୍ୟ ଦେଶର ସୁରକ୍ଷା ଓ ନିଯୁକ୍ତି ସକାଶେ ଅନୁକୂଳ ହେବ। ବ୍ୟକ୍ତିଗତ ଗୋପନୀୟତାକୁ ସୁରକ୍ଷା ଦେବ। ଏକ ବାସ୍ତବିକତା ହେଉଛି ଯେ ପୃଥିବୀରେ ବ୍ୟବସାୟ ବାଣିଜ୍ୟରେ ଦ୍ରୁତ ଅଭିବୃଦ୍ଧି ହେବାର ଆଶା ନାହିଁ। ଏହା ଫଳରେ ଭାରତର ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ବିଶେଷ କରି ରପ୍ତାନି କ୍ଷେତ୍ରରେ ଅସୁବିଧା ସୃଷ୍ଟି କରିବ। ଏହିସବୁ ଦୃଷ୍ଟିରୁ ଭାରତ ବିଦେଶୀ ପୁଞ୍ଜିକୁ ଆକର୍ଷିତ କରିବା ଆବଶ୍ୟକ। ଭାରତ ମଧ୍ୟ ଚୀନ ସହିତ ସୁସମ୍ପର୍କ ସ୍ଥାପନ କରିବା ଉଚିତ। ଏବେ ଚୀନ ଓ ପାଶ୍ଚାତ୍ୟ ଜଗତ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଚାଲିଛି, ଯାହା ଅର୍ଥନୀତିର ବିଭକ୍ତୀକରଣ କରିବ। ଏହାର ଏକ ବଡ଼ କାରଣ ହେଉଛି ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଦେଖାଯାଉଛି। କିନ୍ତୁ ଆର୍ଥିକ ଅଭିବୃଦ୍ଧି ପାଇଁ ପୁଞ୍ଜି ଲଗାଣର ଏକ ବଡ଼ ଆବଶ୍ୟକତା ମଧ୍ୟ ଅଛି। େତବେ, ଡୋନାଲ୍‌ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ଦ୍ୱାରା ପୃଥିବୀର ଅର୍ଥନୀତି କୁଆଡ଼େ ଯିବ ତାହା କହିବା କଷ୍ଟକର। 
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଭାରତର ଚଳନ୍ତି ଖାତା ନିଅଣ୍ଟ ୨.୫%-୩% ମଧ୍ୟରେ କିପରି ରହିବ? ଗୋଟିଏ ଦେଶର ରପ୍ତାନି ଅପେକ୍ଷା ଆମଦାନି ଯେତେ ଅଧିକ ହେବ, ତାହାକୁ ଚଳନ୍ତି ଖାତା ବା ‘କରେଣ୍ଟ ଆକାଉଣ୍ଟ’ ନିଅଣ୍ଟ ବୋଲି କୁହାଯାଏ। ଏହାର ସୀମା କ୍ରମଶଃ କମିବା ଉଚିତ। ଏହା ହେଲେ ଭାରତରେ ବିଦେଶୀ ପୁଞ୍ଜି ଲଗାଣ ଅଧିକ ହୋଇପାରିବ। 
କୃଷି, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ), ଯୁବଶକ୍ତି ବୃଦ୍ଧି, ବିଶ୍ୱ ବାଣିଜ୍ୟ ଓ ମଧ୍ୟମ ବର୍ଗର ବିକାଶ ଉପରେ ଭାରତର ଆର୍ଥିକ ବିକାଶ ନିର୍ଭର କରିଥାଏ। ଏ ବର୍ଷର ବଜେଟ୍‌ ସେହି ଦୃଷ୍ଟିରୁ ଏକ ଆଶାର ସଂକେତ ସୃଷ୍ଟି କରିଛି। ଦୃଢ଼ ଭବିଷ୍ୟତ ଦୃଷ୍ଟି ଥିବାରୁ ଏହା ମଧ୍ୟ ଏକ ବାସ୍ତବବାଦୀ ବଜେଟ। ଏହା ଦ୍ବାରା ଭାରତର ଅଭିବୃଦ୍ଧି ନିଶ୍ଚିତ ଭାବେ ତ୍ବରାନ୍ବିତ ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୨୦୨୯୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe