ଅପରିଚ୍ଛନ୍ନ ପୁରୁଷ

Advertisment

ଅଣାକାର

ଅଣାକାର

ଅପରିଚ୍ଛନ୍ନ ପୁରୁଷ

Open Access Government

ଶୌଚାଳୟ ବ୍ୟବହାର କରିବା ପରେ ପୁରୁଷ ଓ ମହିଳାମାନେ ହାତ ସଫା ରଖିବା ପାଇଁ କେତେ ଦୂର ସଚେତନ, ଏହା ଜାଣିବା ସକାଶେ ଏକ ଅନୁଧୢାନ ନ୍ୟୁୟର୍କ ସିଟିର ଜନସ୍ବାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିଲା। ଲିଙ୍ଗଗତ ଭିତ୍ତିରେ ଏଥିରେ କିଛି ପାର୍ଥକ୍ୟ ଅଛି କି ତାହା ଜାଣିବା ଏହି ସର୍ଭେର ଲକ୍ଷ୍ୟ ଥିଲା। ସେଥିରୁ ଜଣାଗଲା ଯେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଏ ଦିଗରେ ଅଧିକ ସଚେତନ। କେବଳ ନ୍ୟୁୟର୍କ ନୁହେଁ ୨୦୧୩ ମସିହାରେ ଆମେରିକାର ମିଚିଗାନ ଷ୍ଟେଟ୍‌ ୟୁନିଭର୍ସିଟିର ଅନ୍ୟ ଏକ ରିପୋର୍ଟରୁ ଜଣାଯାଇଛି ଯେ ଶତକଡ଼ା ୧୪.୬ ଭାଗ ପୁରୁଷ ଶୌଚାଳୟ ବ୍ୟବହାର ପରେ ଆଦୌ ହାତ ଧୋଇ ନ ଥାନ୍ତି ଏବ˚ ଶତକଡ଼ା ୩୫.୧ ଭାଗ ପାଣିରେ ହାତ ଧୋଇଲେ ମଧୢ ସାବୁନ ବ୍ୟବହାର କରନ୍ତି ନାହିଁ। ତେବେ ମହିଳାମାନଙ୍କ କ୍ଷେତ୍ରରେ ଏହି ହାର ଯଥେଷ୍ଟ କମ୍‌, ଯେମିତିକି ଯଥାକ୍ରମେ ୭.୧ ଓ ୧୫.୧ ପ୍ରତିଶତ। ସୁତରାଂ, ସେ ଦେଶରେ ତୁଳନାତ୍ମକ ଭାବେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଅଧିକ ତତ୍ପର ବୋଲି ଜଣାପଡ଼ିଛି। ପ୍ରକାଶ ଥାଉ କି, ମିଚିଗାନ ବିଶ୍ବବିଦ୍ୟାଳୟ ଏହି ସ˚ଖ୍ୟା ହିସାବ କରିବା ବେଳେ ଚାରି ହଜାର ବ୍ୟକ୍ତିଙ୍କ କାର୍ଯ୍ୟ ବିଧି ଲକ୍ଷ୍ୟ କରିଥିଲେ। କେବଳ ଯୁକ୍ତରାଷ୍ଟ ଆମେରିକା ପରି ଉନ୍ନତ ପାଶ୍ଚାତ୍ୟ ଦେଶରେ ନୁହେଁ, ବ୍ରିଟେନରେ ମଧୢ ଏତାଦୃଶ ଧାରା ପରିଲକ୍ଷିତ ହୋଇଥାଏ। ରଏଟର ତରଫରୁ ପ୍ରକାଶିତ ସମ୍ବାଦରୁ ସ୍ପଷ୍ଟ ଯେ ବିଭିନ୍ନ ବ୍ରିଟିସ ଅନୁଷ୍ଠାନଗୁଡ଼ିକୁ ପରିଦର୍ଶନ କରୁଥିବା ବ୍ୟକ୍ତିମାନଙ୍କ ବାଥ୍‌ରୁମ ବ୍ୟବହାର ମଧ୍ୟ ଏହି ଦୋଷଯୁକ୍ତ। ତେଣୁ କେତେକ ପାଠାଗାରରେ ପରିଚାଳକମାନେ କ୍ଷୁବ୍‌ଧ ହୋଇ ପାଠାଗାର ବ୍ୟବହାରୀମାନଙ୍କୁ ଏଥିପ୍ରତି ସଜାଗ ରହିବାକୁ କହିଛନ୍ତିି। ନିଜର ତଥା ସମାଜର ସୁସ୍ଥତାରେ ଅଧୋଗତି ନ ଆଣିବାକୁ ଲୋକେ ଦାୟିତ୍ବସମ୍ପନ୍ନ ହେବା ଉଚିତ ବୋଲି ମଧ୍ୟ ବ୍ରିଟେନ୍‌ରେ ପରାମର୍ଶ ଦିଆଯାଉଛି। ସୁତରାଂ, ଶୌଚାଦି କାର୍ଯ୍ୟ ନିର୍ବାହ କରିବା ପରେ ହାତ ସଫା ନ କରିବା ଏକ ଚିନ୍ତାଜନକ ବିଷୟ ହୋଇଛି। ସାଧାରଣ ଲୋକଙ୍କ ଏଭଳି ଅସ୍ବାସ୍ଥ୍ୟକର ଆଚରଣରେ ବ୍ୟସ୍ତ ହୋଇ ୨୦୦୯ ମସିହାରେ ‘ୟୁ.ଏସ୍‌. ‌େସଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ତ ପ୍ରିଭେନସନ’ ପ୍ରକାଶ କରିଥିଲା ଯେ ପୁରୁଷମାନେ ଅଧିକ ସଚେତନ ହେବା ନିହାତି ଆବଶ୍ୟକ। କିନ୍ତୁ ଯାହା ନୈରାଶ୍ୟଜନକ ତାହା ହେଲା ପ୍ରାୟ ଦଶ ବର୍ଷ ବିତି ଯାଇଥିଲେ ମଧୢ ସ୍ଥିତି ନ ସୁଧୁରିବା ଦୁର୍ଭାଗ୍ୟଜନକ।

ଅନ୍ୟ ଏକ ପ୍ରସଙ୍ଗରେ ମଧ୍ୟ ଏମିତି ଏକ ଧାରଣା ଆମକୁ ଚିନ୍ତିତ କରିଥାଏ। ଆଜିକାଲି ବହୁ ସ˚ଖ୍ୟକ ଯୁବକ ନୂଆ ଫେସନରେ ଅନୁପ୍ରାଣିତ ହୋଇ ବିଭିନ୍ନ ପ୍ରକାର ନିଶ ଦାଢ଼ି ରଖିଥାନ୍ତି। ଏବେ ଭାରତୀୟ ଜାତୀୟ କ୍ରିକେଟ ଟିମ୍‌ରେ ଏହି ଧାରା ସ୍ପଷ୍ଟ ରୂପେ ପରିଲକ୍ଷିତ ହେଉଛି। କିନ୍ତୁ ଏହାର କୁପ୍ରଭାବ ଆମ ଶରୀର ଉପରେ ପଡ଼ିପାରେ। କାରଣ ନିଶ ବା ଦାଢ଼ି ବିଭିନ୍ନ ପ୍ରକାର ମଇଳା ଏବଂ ଜୀବାଣୁ ବା ଭୂତାଣୁର ଘର ‌ହୋଇପାରନ୍ତି। ସମ୍ପ୍ରତି କରୋନା ଭାଇରସ ସାରା ବିଶ୍ବକୁ ଆତଙ୍କିତ କରିଥିବା ବେଳେ ଏହାର ଶରବ୍ୟ ହୋଇଥିବା ଇଂଲଣ୍ଡର ଦକ୍ଷିଣ-ପୂର୍ବ ଭାଗରେ ଅବସ୍ଥିତ ସାଉଥମ୍ପଟନର ଚିକିତ୍ସାଳୟର ସମସ୍ତ କର୍ମଚାରୀଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି, ଯେ ସେମାନେ ତୁରନ୍ତ ନିଶଦାଢ଼ି କାଟି ଆସନ୍ତୁ। କାରଣ ଏକ ପରିଚ୍ଛନ୍ନ ମୁହଁ ଉପରେ ହିଁ ମାସ୍କ ଭିଡ଼ିବା ନିରାପଦ। ଅବଶ୍ୟ, ଏହି ଆଦେଶ ପଛରେ ରହିଛି ବୈଜ୍ଞାନିକ ତଥ୍ୟ। ଗତ ବର୍ଷ ସ୍ବିଜରଲାଣ୍ଡର ଜୁରିଚ୍‌ ନିକଟସ୍ଥ ହିର୍ସ୍ଳାଣ୍ତେନ ହସ୍‌ପିଟାଲର ଗବେଷକମାନେ ପରୀକ୍ଷା ନିରୀକ୍ଷା କରି ଅବଗତ ହୋଇଛନ୍ତି ଯେ ପୁରୁଷଙ୍କ ବର୍ଦ୍ଧିତ ନିଶଦାଢ଼ି କ୍ଷତିକାରକ ଜୀବାଣୁମାନଙ୍କୁ ଆଶ୍ରୟ ଦେଇଥାଏ। ତେଣୁ ସାଉଥମ୍ପଟନର ଚିକିତ୍ସାଳୟର ଉକ୍ତ ସତର୍କତାମୂଳକ ଆଦେଶକୁ ହେୟ ଜ୍ଞାନ କରିବା ଆଦୌ ଯଥାର୍ଥ ନୁହେଁ।

ଅବଶ୍ୟ ଉପରୋକ୍ତ ଦୃଷ୍ଟାନ୍ତଗୁଡ଼ିକ ପାଶ୍ଚାତ୍ୟ ଦେଶର। ଆମ ଦେଶରେ ପୁରୁଷ ଓ ମହିଳାଙ୍କ ଭିତରେ କିଏ ଅଧିକ ପରିଷ୍କାର ପରିଚ୍ଛନ୍ନ ସେ ନେଇ କୌଣସି ସର୍ଭେ ଆମ ନଜରକୁ ଆସିନାହିଁ। ତେବେ ଆମେରିକା ଓ ଇଂଲଣ୍ଡର ପୁରୁଷମାନଙ୍କୁ ପ୍ରତୀକ ଭାବେ ଧରି ଆମେ ସମଗ୍ର ପୃଥିବୀର ପୁରୁଷମାନଙ୍କୁ କହିବାକୁ ଚାହୁ ଯେ ଆଜି କରୋନା ମହାମାରୀ କାଳରେ ଯେତେବେଳେ ହାତ ଧୋଇବା ଏବଂ ପରିଷ୍କାର ପରିଚ୍ଛନ୍ନ ରହିବା ଉପରେ ମାତ୍ରାଧିକ ଗୁରୁତ୍ବ ପ୍ରଦାନ କରାଯାଉଛି, ପୁରୁଷମାନେ ଅଧିକ ସଚେତନ ହୁଅନ୍ତୁ।
ମୋ-୯୪୩୭୦୨୬୬୫୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe