ଟ୍ୟୁଲିପ୍‌ ଫୁଲର ମଶାଣି

Advertisment

ଝରକା

ଝରକା

ଟ୍ୟୁଲିପ୍‌ ଫୁଲର ମଶାଣି

Cesdeals.com

‘କୋଭିଡ୍-୧୯’ର ସଂକ୍ରମଣ ସାରା ବିଶ୍ବର ଜନଜୀବନ, ଅର୍ଥନୀତି, ସମାଜ ନୀତି ଓ ରାଜନୀତି ଭଳି ସମସ୍ତ କ୍ଷେତ୍ରରେ ଏକ ଶ୍ମଶାନତୁଲ୍ୟ ସ୍ଥିତି ସୃଷ୍ଟି କରିଛି। କେବଳ ସେତିକି ନୁହେଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ମଶାଣିସୁଲଭ ନିରବତା ବିଦ୍ୟମାନ। ଏବେ ବିଶ୍ବରେ ସର୍ବତ୍ର ସବୁ ପ୍ରକାର ଉତ୍ସବ ଅନୁଷ୍ଠାନ, ଉପାସନା ପୀଠରେ ପ୍ରାର୍ଥନା ଓ ଆରାଧନା ଏବଂ ବ୍ୟବସାୟ ପ୍ରତିଷ୍ଠାନରେ କାମଦାମ ଇତ୍ୟାଦି ବନ୍ଦ ରହିଛି। ଏହାର ଏକମାତ୍ର କାରଣ କରୋନାର ମୁକାବିଲା ଲାଗି ଏକ ଅସ୍ତ୍ର ଭାବେ ସର୍ବତ୍ର ସ୍ବୀକୃତ ‘ସାମାଜିିକ ଦୂରତ୍ବ’ ବ୍ୟବସ୍ଥାର ପରିପାଳନ ବା ପ୍ରୟୋଗ। ଏବଂ ଏହି କଥାଟି ଉପରେ ଗୁରୁତ୍ବ ଦେଇ ଜାପାନର ଟୋକିଓ ଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ସାକୁରା ସହରର ପ୍ରସିଦ୍ଧ ପୁଷ୍ପ ଉଦ୍ୟାନରେ ଯାହା ଅଭିନୀତ ହୋଇଯାଇଛି, ତାହା ଅସଂଖ୍ୟ ପୁଷ୍ପପ୍ରେମୀଙ୍କ ଲାଗି ଅତ୍ୟନ୍ତ ହୃଦୟ ବିଦାରକ ହୋଇଛି। ବସନ୍ତରେ ଚମତ୍କାର ଭାବେ ପ୍ରସ୍ଫୁଟିତ ହୋଇ ଏକ ନୈସର୍ଗିକ ଶୋଭା ସୃଷ୍ଟି କରିଥିବା ସାକୁରା ‘ଟ୍ୟୁଲିପ୍‌’ ବଗିଚା ଉପରେ ରୋଲର ଚଳାଇ ତାକୁ ମାଟିରେ ମିଶାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଏହି ‘ଟ୍ୟୁଲିପ୍’ ବଗିଚାକୁ ଦେଖିବା ଲାଗି ଦୂରଦୂରାନ୍ତରୁ ହଜାର ହଜାର ଦର୍ଶକ ସେଠାରେ ଏକତ୍ର ହୁଅନ୍ତି। ତାହା ଜାପାନର ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ମଧ୍ୟ। ଏଭଳି ପୁଷ୍ପର ସମାରୋହକୁ ଉତ୍ସବାୟିତ କରିବା ଲାଗି ସେଠାରେ ପ୍ରତି ବର୍ଷ ଏକ ମେଳାର ଆୟୋଜନ ମଧ୍ୟ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣ କାରଣରୁ ସବୁ କିଛି ବନ୍ଦ ଅଛି। ଏବଂ ଉତ୍ସୁକ ପୁଷ୍ପପ୍ରେମୀମାନେ କାଳେ ଏହି ଟ୍ୟୁଲିପ୍‌ ବଗିଚାକୁ ‌େଦଖିବାର ଆକର୍ଷଣରୁ ନିଜକୁ ରୋକି ନ ପାରି ରୁଣ୍ଡ ହେବେ, ସେହି ଭୟରେ କର୍ତ୍ତୃପକ୍ଷ ଏହି ୭୦୦୦ ବର୍ଗ ମିଟର ଆୟତନ ବିଶିଷ୍ଟ ବଗିଚାର ଏକ ଲକ୍ଷ ଟ୍ୟୁଲିପ୍ ଫୁଲର ଶେଯକୁ ମାଟିରେ ମିଶାଇ ଦେଇଛନ୍ତି।

କରୋନାର ସଂକ୍ରମଣ ଆଜି ବିଶ୍ବରେ ଯେଉଁଭଳି ଏକ ପରିସ୍ଥିତି ସୃଷ୍ଟି କରିଛି, ସେ ବିଷୟରେ ମାତ୍ର ତିନି ମାସ ତଳ ପର୍ଯ୍ୟନ୍ତ କେହି ହୁଏତ ଘୁଣାକ୍ଷରରେ କଳ୍ପନା ସୁଦ୍ଧା କରି ନ ଥିବେ। ସାକୁରା ଫୁଲ ବଗିଚାର କର୍ତ୍ତୃପକ୍ଷ ଛାତିରେ ପଥର ରଖି ଯେଉଁ ପଦକ୍ଷେପଟି ନେଇଛନ୍ତି ତାହା ମାନବ ସମାଜର କଲ୍ୟାଣ ଲାଗି ନିଶ୍ଚୟ, କିନ୍ତୁ ଏହି ଫୁଲର ମଶାଣି ଅନେକଙ୍କ ହୃଦୟକୁ ଗଭୀର ଭାବେ ଆଘାତ ଦେଇଛି। ସେଥିଲାଗି ସାକୁରା ପାର୍କର ଜଣେ ନିୟମିତ ଦର୍ଶକ ସତସ୍ତରି ବର୍ଷ ବୟସ୍କ ମିସାକୋ ୟନେକୁବୋ ଅଶ୍ରୁ ସମ୍ବରଣ କରି ନ ପାରି କହିଛନ୍ତି- ମୋ ମର୍ମ ବେଦନା ପ୍ରକାଶ କରିବାକୁ ଭାଷା ନାହିଁ। ପ୍ରାଣ ରହିଲେ ଆଗାମୀ ବର୍ଷକୁ ହୁଏ’ତ ପୁଣି ଟ୍ୟୁଲିପ୍ ବଗିଚାକୁ ଉପଭୋଗ କରିବାର ସୌଭାଗ୍ୟ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe