ଆତ୍ମହତ୍ୟା ପ୍ରସଙ୍ଗରେ ପଦେ

Advertisment

ଆମରି କଥା - ନାରାୟଣ ମିଶ୍ର

ଆମରି କଥା - ନାରାୟଣ ମିଶ୍ର

ଆତ୍ମହତ୍ୟା ପ୍ରସଙ୍ଗରେ ପଦେ

ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେବା ଏବ˚ ତାକୁ କାର୍ଯ୍ୟକାରୀ କରିବା ଭିତରେ ଆକାଶ ପାତାଳ ପାର୍ଥକ୍ୟ। ଜୀବନରେ ଅନେକ କଷ୍ଟକର କାମ ହୋଇଛି; ଯଥା ପାଠପଢ଼ି ପରୀକ୍ଷା ଦେବା, ଚାକିରି ପାଇଁ ଦୌଡ଼ଧାପଡ଼ କରିବା, ବିବାହ କରି ସ୍ତ୍ରୀ ଓ ପିଲାମାନଙ୍କୁ ଚଳାଇବା, ପଇସା ନ ଥିବା ବେଳେ ବାରଦୁଆର ଶୁଣ୍ଢିପିଣ୍ତା ହେବା ଇତ୍ୟାଦି। ଏ ସମସ୍ତ କାର୍ଯ୍ୟ କରି ହୋଇଯିବ; କିନ୍ତୁ ଆତ୍ମହତ୍ୟାର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରିବା ସହଜ ନୁହେଁ। ପ୍ରଥମତଃ କେହି ଖୁସିରେ ଆତ୍ମହତ୍ୟା କରନ୍ତି ନାହିଁ। ଦୁଃଖରେ ମ୍ରିୟମାଣ ହୋଇ ସ˚ସାର ପ୍ରତି ଅତ୍ୟଧିକ ବିତୃଷ୍ଣା ଆସିଗଲେ ଜଣେ ଆତ୍ମହତ୍ୟା କରିବା କଥା ଭାବେ, କିନ୍ତୁ ଆତ୍ମହତ୍ୟା ନିଷ୍ପତ୍ତିର କାରଣ ସବୁ ଆଗ କାଳେ ଯାହା ଥିଲା, ଏବେ ସେ ସବୁ ନାହିଁ। ଆଗେ ସ୍ବାମୀ ପର ସ୍ତ୍ରୀକୁ ଆପଣେଇବା ଜଣାପଡ଼ିଗଲେ ବା ଅସାଧୢ ରୋଗରେ ଅନେକ ଦିନ ପଡ଼ି ରହି ଅନ୍ୟର ତଣ୍ଟିଆମରା ସେବା ଉପରେ ନିର୍ଭର କଲେ ଜଣେ ଆତ୍ମହତ୍ୟା କରିବା କଥା ଭାବୁଥିଲା। ଏବେ କିନ୍ତୁ ସାମାନ୍ୟ କାରଣରୁ ଆତ୍ମସମ୍ମାନ ହାନି ହେବା ମାତ୍ରେ ଆତ୍ମହତ୍ୟା କଥା ମନକୁ ଆସିଯାଉଛି। କେଉଁଠି ପିଲା ଠାରୁ ମୋବାଇଲ ଛଡ଼ାଇ ନେଲେ ସେ ଆତ୍ମହତ୍ୟା କରୁଛି ତ ଆଉ କେଉଁଠି ଜାତି, ବର୍ଣ୍ଣ ନ ଦେଖି ପ୍ରେମିକାକୁ ବୋହୂ କରି ନ ଆଣିଲେ ଆତ୍ମହତ୍ୟାର ଧମକ ମିଳୁଛି। ପୁଅ ଠାରୁ ‘ତୁମର ବାପା ହେବାର ଯୋଗ୍ୟତା ନାହିଁ’ ବା ‘ଏତେ ଛୁଆ ଜନ୍ମ କାହିଁକି କରୁଥିଲ’ ଶୁଣି କେତେକ ବାପ ବା ମା’ ଆତ୍ମହତ୍ୟା କରିବା କଥା ଚିନ୍ତା କରୁଛନ୍ତି।

ଏବେ ମିଡିଆବାଲା ସର୍ବତ୍ର ଭରି ରହିଛନ୍ତି। ଖବରକାଗଜରେ ବାହାରିଯିବ ଯେ ଅମୁକ ଲୋକର ଆତ୍ମହତ୍ୟା ଉଦ୍ୟମ ଯୋଗୁ ଗିରଫ ହୋଇ ଏବେ ଥାନାରେ; ବାସ୍‌, ତା’ ପରେ ଶତ୍ରୁ, ମିତ୍ର ସମସ୍ତେ ଦୌଡ଼ିବେ ଥାନାକୁ। ଖାଲି ଲଜ୍ଜାଜନକ ପରିସ୍ଥିତି ହିଁ ସୃଷ୍ଟି ହେବ, ଅନ୍ୟ କିଛି ନୁହେଁ! ଏଣେ ମିଡିଆବାଲାଏ ପହଞ୍ଚି ଆହୁରି ଘାଣ୍ଟି ପକାଇବେ। ତେବେ, ଆତ୍ମହତ୍ୟା ବିଷୟରେ ଲେଖିବାର ଅସଲ କାରଣଟି କହୁଚି। ବନ୍ଧୁ ଅକାଳ କୁଷ୍ମାଣ୍ତଙ୍କ ସହିତ ରେଲୱେ ଷ୍ଟେସନ୍‌ରୁ ଫେରିବା ବାଟରେ ଦେଖା ହୋଇଗଲା। ତାଙ୍କ ବିଷଣ୍ଣ ବଦନର କାରଣ ପଚାରିବାରୁ ବନ୍ଧୁ କହିଲେ- ‘ସ˚ସାରଟା ମୋତେ ବିଷ ପରି ଲାଗିବାରୁ ଭାବିଥିଲି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଦେବି, କିନ୍ତୁ ଗତ ରାତିରୁ ଆଜି ଦିନ ବାରଟା ଯାଏ ବିରୋଧୀ ଦଳ ରେଳ ରୋକୋରେ ସଫଳ ହୋଇ ମୋ ଉଦ୍ୟମକୁ ବିଫଳ କରି ଦେଲେ। ବାଧୢ ହୋଇ ଘରକୁ ଫେରୁଛି।’

କାହିଁକି ଏ ସ˚ସାରଟା ହଠାତ୍‌ ବିଷମୟ ଲାଗିଲା ବୋଲି ପଚାରିବାରେ ବନ୍ଧୁ କହିଲେ- ମୋର ହଠାତ୍‌ କାହିଁକି କେଜାଣି ନାଁ କମେଇବାକୁ ଇଚ୍ଛା ହେଲା। ମୁଁ ତ ଆଉ ହଠାତ୍‌ ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର ବା ନରେନ୍ଦ୍ର ମୋଦୀ ହୋଇପାରିବିନି, ତେଣୁ କ’ଣ କଲେ ମୋ ନାଁ ସାରା ଭାରତବର୍ଷରେ ବ୍ୟାପିଯିବ ସେଇ ଚିନ୍ତାରେ ଥିଲି। କଥାରେ ଅଛି ବାଟରେ ଚଷିଲେ ନାଁ ପଡ଼େ ବା ବାଟରେ ଝାଡ଼ା ବସିଲେ ବି ନାଁ ପଡ଼େ। ଏବେ ତ ଚାଷ ପ୍ରାୟ ବନ୍ଦ ହେବା ଉପରେ, କାରଣ ପାଞ୍ଚ କିଲୋ ଚାଉଳ ଦେଲେ ପାଉଡ଼ର ଡବାଟାଏ ବି କିଣି ହେଉନାହିଁ। ଆଉ ରହିଲା ଖରାପ କାମ କରି ନାଁ ପକାଇବା! ବାପା ଯେଉଁ ପୋଜିସନ୍‌ରେ ଥିଲେ ବି ମାରପିଟ୍‌ କି ଲୁଟ୍‌ତରାଜ ବା ଗଞ୍ଜେଇ ଆଦି ନିଶା ବେପାର ଭଳି କୁକର୍ମ କଲେ ବି ଖବରକାଗଜ ମାଧୢମରେ ଲୋକେ ଆପଣଙ୍କୁ ଚିହ୍ନି ଯିବେ। ଅଭିନେତା ବା ନେତା ହୋଇଗଲେ ବି ଆପଣଙ୍କୁ ଲୋକେ ଜାଣିଯିବେ। ସେମିତି ଦାଦାଗିରି କରୁ କରୁ ଗ୍ୟାଙ୍ଗ୍‌ଷ୍ଟର ହୋଇଗଲେ ବି ଦିନାକେତେ ନାଁଟା ଖବରକାଗଜରେ ବାହାରି ପଡ଼ିବ ଓ ତୁମେ ଜଣାଶୁଣା ହୋଇଯିବ। କିନ୍ତୁ କୋଉ ବାଟେ ବି କିଛି ହୋଇ ପାରିଲା ନାହିଁ। ନାଁ କମେଇବାର କୌଣସି ସହଜ ବାଟ ନ ପାଇବାରୁ ମନ ବିଷପିତା ହୋଇଗଲା। ହତାଶାରେ ଭାବିଲି ଆତ୍ମହତ୍ୟା କରିଦେବି।

ବନ୍ଧୁ ଅକାଳ କୁଷ୍ମାଣ୍ତଙ୍କ ଆତ୍ମହତ୍ୟା ରହସ୍ୟ ଶୁଣି ମୁଁ କହିଲି- ବନ୍ଧୁ, ତୁମେ ତ ହଠାତ୍‌ ଉପରକୁ ଉଠି ନ ପାରି ଆତ୍ମହତ୍ୟା କରିବାକୁ ବସିଛ, ନୀତି ଅନୀତି କିଛି ନ ମାନି ଜୀବନକୁ ତୁଚ୍ଛ ଭାବିଲ, ସ˚ସାରଟା ବିଷମୟ ହୋଇଗଲା, ହେଲେ ତୁମକୁ ଯିଏ ଏ ସ˚ସାରରେ ଜନ୍ମ ଦେଇ ଏତେବଡ଼ କରି ଛାଡ଼ିଛି, ତା’କଥା ମାନେ ତୁମ ବାପ, ମା’ଙ୍କ କଥା କେବେ ଭାବିଛ? ଯେଉଁ ସ୍ତ୍ରୀ, ପିଲାମାନଙ୍କୁ ନେଇ ସ˚ସାର କରିଛ, ତୁମ ଆତ୍ମହତ୍ୟା ପରେ ସେମାନଙ୍କ ଭବିଷ୍ୟତ୍‌ କଥା କେବେ ଚିନ୍ତା କରିଛ? ଆତ୍ମହତ୍ୟା ଏକ ପାଗଳାମି; ଦୁର୍ବଳମନା ହିଁ ଏସବୁ କାମ କରନ୍ତି- ତେଣୁ ଘରକୁ ଯାଅ ଆଉ ସେଇ ପରିବାର ଭିତରୁ ଖୁସି ଖୋଜ- ନିଶ୍ଚୟ ପାଇବ। ବୋଧହୁଏ ବନ୍ଧୁ କିଛି କିଛି ବୁଝିଲେ, ଆଉ ଘରକୁ ଫେରିଗଲେ। ସତରେ, ଆତ୍ମହତ୍ୟା ନିଷ୍ପତ୍ତି ହିଁ ଏକ ଭୁଲ୍‌ ନିଷ୍ପତ୍ତି!

ଗୁରୁକୃପା, ୪୯/୬୦୦
ଲକ୍ଷ୍ମୀବିହାର, ଭୁବନେଶ୍ବର-୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe