ଅଶାସନୀୟ ପ୍ରଦେଶ

Advertisment

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଅଶାସନୀୟ ପ୍ରଦେଶ

୧୯୫୫ ମସିହା ସେପ୍ଟେମ୍ବର ମାସରେ ଭାରତ ସରକାରଙ୍କୁ ପ୍ରଦେଶ ପୁନର୍ଗଠନ ଆୟୋଗ (‘ଏସ୍‌ଆର୍‌ସି’) ପ୍ରଦାନ କରିଥିବା ବିବରଣୀରେ ଭାଷା ଆଧାରରେ ପ୍ରାଦେଶିକ ସୀମା ନିର୍ଦ୍ଧାରଣ ପ୍ରାବଧାନ ମହତ୍ତ୍ବ ପାଇଥିଲା। ‘ଏସ୍‌ଆର୍‌ସି’ଙ୍କ ରିପୋର୍ଟକୁ ଭିତ୍ତି କରି କନ୍ନଡ଼ ଭାଷାଭାଷୀ ଚାରିଟି ସ୍ବତନ୍ତ୍ର ପ୍ରାଶାସନିକ କ୍ଷେତ୍ରକୁ ଏକାଠି କରି ମୁଁ ବସବାସ କରୁଥିବା କର୍ଣ୍ଣାଟକ ଭଳି ରାଜ୍ୟର ସୃଷ୍ଟି ହୋଇଥିଲା।

ବିଚାରକ ଏସ୍ ଫୈଜଲ ଅଲିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ‘ଏସ୍‌ଆର୍‌ସି’ରେ ସମାଜ କର୍ମୀ ଏଚ୍‌.ଏନ୍‌. କୁଞ୍ଜ୍ରୁ ଓ ଐତିହାସିକ କେ.ଏମ୍‌. ପାନ୍ନିକର ସଦସ୍ୟ ରହିଥିଲେ। ‘ଏସ୍‌ଆର୍‌ସି’ ବିବରଣୀର ‘ଇନ୍‌ଡେକ୍‌ସ’ରେ ଏକ ଚିତ୍ତାକର୍ଷକ ଟିପ୍ପଣୀ ଦେଇ ପାନ୍ନିକର ପ୍ରସ୍ତାବ ରଖିଥିଲେ ଯେ, କନ୍ନଡ଼, ତାମିଲ ଓ ଓଡ଼ିଆ ଭାଷାଭାଷୀଙ୍କ ପାଇଁ ରାଜ୍ୟମାନ ଗଠନ ଛଡ଼ା ଉତ୍ତରପ୍ରଦେଶ ପରି ଦେଶର ବୃହତ୍ତମ ପ୍ରଦେଶର ବିଭାଜନ ପାଇଁ ମଧ୍ୟ ‘ଏସ୍‌ଆର୍‌ସି’ ସୁପାରିସ କରିବା ଆବଶ୍ୟକ। ଏକାଧିକ ଅନ୍ୟ ରାଜ୍ୟର ଜନସଂଖ୍ୟା ମିଶିଲେ ଯାହା, ଲୋକସଂଖ୍ୟା ଦୃଷ୍ଟିରୁ ଉତ୍ତରପ୍ରଦେଶ ତାହା ଠାରୁ ବଡ଼ ବା ଅଧିକ ହେବ। ଏହା ଜାତୀୟ ରାଜନୀତି ପାଇଁ ଏକ ବିଷମ ସମସ୍ୟା ସୃଷ୍ଟି କରିବ, ଯାହା ଭବିଷ୍ୟତ୍‌ରେ ଭାରତୀୟ ଏକତା ପ୍ରତି ବିପଦର କାରଣ ହେବ ବୋଲି ଐତିହାସିକ ମହାଶୟ ଆଶଙ୍କା ପ୍ରକଟ କରିଥିଲେ।

ପାନ୍ନିକରଙ୍କ ଯୁକ୍ତି ଥିଲା ଯେ ଏକ ସଂଘୀୟ ବ୍ୟବସ୍ଥାର ସୁପରିଚାଳନା ପାଇଁ ଏହାର ବିଭିନ୍ନ ବିଭାବ ସମାନ ଭାବରେ ସନ୍ତୁଳିତ ହେବା ଜରୁରୀ। ମାତ୍ରାଧିକ ଅସାମ୍ୟ କେବଳ ସଂଶୟ ଓ ଅସନ୍ତୋଷ ଜାତ କରିବ ନାହିଁ, ସଂଘୀୟ ଢାଞ୍ଚାକୁ ଦୁର୍ବଳ କଲା ଭଳି ଶକ୍ତି ମଧ୍ୟ ସୃଷ୍ଟି କରିବ, ଯାହା ଦେଶର ଏକତା ଲାଗି ବିପଦର କାରଣ ହେବ। ପାନ୍ନିକର ଆହୁରି କହିଥିଲେ ଯେ ଯଦି ଜଣେ ବାସ୍ତବବାଦୀ ହୋଇ ସାରା ବିଶ୍ବରେ ଚାଲୁଥିବା ସରକାରୀ ବ୍ୟବସ୍ଥାକୁ ବିଚାରକୁ ନିଏ, ତେବେ ଦେଖିବ କିଭଳି ଏକ ବିଶାଳ ଅଂଶର ପ୍ରଭାବର କୁପ୍ରୟୋଗ ଦ୍ବାରା ଅନ୍ୟ ଅଂଶଗୁଡ଼ିକ ଆକ୍ରାନ୍ତ ତଥା ଅସନ୍ତୁଷ୍ଟ ହେବେ। ଆଧୁନିକ ସରକାରଗୁଡ଼ିକ ସଂଖ୍ୟାବହୁଳ ମତ ଲାଭ କରିଥିବା ଦଳ ଦ୍ବାରା ହିଁ ଅଳ୍ପବହୁତ ନିୟନ୍ତ୍ରିତ। ତେଣୁ ଏପରି ସ୍ଥଳେ ମାତ୍ରାଧିକ ରାଜନୈତିକ ପ୍ରଭାବ ପକାଇବାକୁ ସମର୍ଥ ହେଉଥିବା ଗୋଟିଏ ବିଶାଳ ଅଂଶ ଦ୍ବାରା ଏକ ଅସମତୁଲ ସ୍ଥିତି ସୃଷ୍ଟି କରିବା ଯୁକ୍ତିଯୁକ୍ତ ନା ନୁହେ, ତାହା ସଂଘୀୟ ବ୍ୟବସ୍ଥା ଦୃଷ୍ଟିରୁ ଗୋଟିଏ ବିରାଟ ପ୍ରଶ୍ନ।

ପାନ୍ନିକରଙ୍କ ଏହି ମନ୍ତବ୍ୟ ଦୂରଦର୍ଶୀ ଏବଂ ବାସ୍ତବ ଥିଲା। ସେହିପରି ୧୯୫୫ରେ କେରଳର ଏହି ଐତିହାସିକ ଜଣକ ଏହା ମଧ୍ୟ ଯୁକ୍ତି କରିଥିଲେ ଯେ ବିଭିନ୍ନ ଅଂଶଗୁଡ଼ିକୁ ଏକ ସମାନତା ପ୍ରଦାନ କରିବା ପାଇଁ ସଂଘୀୟ ସିଦ୍ଧାନ୍ତ ଅଗ୍ରାହ୍ୟ କରିବା ଦ୍ବାରା ସୃଷ୍ଟ ଅସମତୁଲତା ହିଁ ଉତ୍ତପ୍ରଦେଶ ବାହାରେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ପ୍ରକାର ଅବିଶ୍ବାସ ଓ ଅସନ୍ତୋଷ ଭାବ ସୃଷ୍ଟ କରିଚାଲିଛି। ଏପରି ଏକ ଢାଞ୍ଚା ପାଇଁ ସର୍ବଭାରତୀୟ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ମହାପ୍ରଭାବ ଜାରି ରହିଛି ବୋଲି କେବଳ ଦକ୍ଷିଣୀ ରାଜ୍ୟ କାହିଁକି, ପଞ୍ଜାବ, ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଆୟୋଗଙ୍କ ଆଗରେ ନିଜର ମତ ପ୍ରକାଶ କରିଛନ୍ତି।

ତେବେ, ଏଭଳି ଅସନ୍ତୁଳନର ସମାଧାନ କିଭଳି କରିହେବ? ଜର୍ମାନି ଉଦାହରଣ ଦେଇ ପାନ୍ନିକର ଦର୍ଶାଇଥିଲେ ଯେ ବିସମାର୍କଙ୍କ ଅମଳରେ ଲୋକସଂଖ୍ୟା ଓ ଆର୍ଥିକ ସ୍ଥିତିରେ ଆଗରେ ଥିବା ପ୍ରୁସିଆକୁ ଜାତୀୟ ବ୍ୟବସ୍ଥାପିକାରେ ଅପେକ୍ଷାକୃତ ଅଳ୍ପ ଅଧିକ ପ୍ରତିନିଧିତ୍ବ ପ୍ରଦାନ କରାଯାଇଥିଲା। ଏହା ଦ୍ବାରା ଏକୀକୃତ ଜର୍ମାନି ମାତ୍ରାଧିକ ପ୍ରୁସିଆ-କରଣ ଦ୍ବାରା ଆକ୍ରାନ୍ତ ହେବ ନାହିଁ ବୋଲି ଅଳ୍ପ ଲୋକସଂଖ୍ୟା ବିଶିଷ୍ଟ ରାଜ୍ୟଗୁଡ଼ିକ ଭରସା ପାଇଥିଲେ। ଆମେରିକା ମାମଲା ମଧ୍ୟ ପାନ୍ନିକର ଉଲ୍ଲେଖ କରିଥିଲେ, ଯେଉଁଠି ଆୟତନ ନିର୍ବିଶେଷରେ ସିନେଟ୍‌ ପାଇଁ ପ୍ରତି ରାଜ୍ୟର କେବଳ ଦୁଇଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ଏହା ଦ୍ବାରା କାଲିଫର୍ଣ୍ଣିଆ ପରି ଜନବହୁଳ ପ୍ରଦେଶର ପ୍ରତିପତ୍ତି ଆଦୌ ଅଧିକ ପ୍ରଭାବଶାଳୀ ରହିନାହିଁ।

ତେବେ ଏଭଳି ଦୃଷ୍ଟାନ୍ତକୁ ଭାରତୀୟ ସମ୍ବିଧାନ ଯଥେଷ୍ଟ ପୂର୍ବରୁ ଅଗ୍ରାହ୍ୟ କରି ଦେଇଛି। ଫଳରେ ଲୋକସଂଖ୍ୟା ଅନୁଯାୟୀ ଲୋକସଭାରେ ସମାନୁପାତିକ ପ୍ରତିନିଧିତ୍ବ ରହି ଆସିଛି। ଏହି ସିଦ୍ଧାନ୍ତ ଅନୁଯାୟୀ, ୧୯୫୫ରେ ମୋଟ ୪୯୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ୮୬ ଜଣ ଥିଲେ। ୨୦୦୦ ମସିହାରେ ଉତ୍ତରାଖଣ୍ଡ ସୃଷ୍ଟି ପରେ ଦେଶର ମୋଟ ୫୪୩ ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୟୁପିର ୮୦ ଜଣ ଅଛନ୍ତି। ଲୋକସଭାରେ ସଂଖ୍ୟାଧିକ୍ୟର ଏହି ପ୍ରଭାବ ଦୃଷ୍ଟିରୁ ପାନ୍ନିକର କହିଥିଲେ ଯେ ଏଥିପାଇଁ ଆମର ଏକମାତ୍ର ପ୍ରତିକାର ହେଉଛି ମାତ୍ରାଧିକ ବୃହତ୍‌ ରାଜ୍ୟଗୁଡ଼ିକର ଏପରି ପୁନର୍ଗଠନ କରାଯାଉ, ଯଦ୍ଦ୍ବାରା ଜନ-ପ୍ରତିନିଧିଗତ ତାରତମ୍ୟକୁ କମ୍‌ କରାଯାଇପାରିବ, ସଂକ୍ଷେପରେ ରାଜ୍ୟ ବିଭାଜନ ହେଉଛି ଏକ ପରିଷ୍କାର ପ୍ରସ୍ତାବ। ଉତ୍ତରପ୍ରଦେଶକୁ ଭାଙ୍ଗି ଦୁଇ ଭାଗରେ ବିଭକ୍ତ କରାଯାଉ ଏବଂ ମିରଟ୍‌, ଆଗ୍ରା, ରୋହିଲଖଣ୍ଡ ଓ ଝାନ୍‌ସୀ ଉପଖଣ୍ଡକୁ ନେଇ ଏକ ନୂତନ ପ୍ରଦେଶ ଗଢ଼ିବାକୁ ସେ ପ୍ରସ୍ତାବ ଦେଇଥିଲେ।

କିନ୍ତୁ ଆୟୋଗର ଅନ୍ୟ ସଦସ୍ୟମାନଙ୍କ ପାଇଁ ଏହି ପ୍ରସଙ୍ଗ ବିଶେଷ ଗୁରୁତ୍ବପୂର୍ଣ୍ଣ ନ ଥିଲା। ଏପରି କି ତାହା ଶାସକ କଂଗ୍ରେସ ଦଳ ପାଇଁ ମଧ୍ୟ ବିଶେଷ ମହତ୍ତ୍ବ ରଖୁ ନ ଥିଲା, ଯେତେବେଳେ କି ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଉତ୍ତର ପ୍ରଦେଶରୁ ହିଁ ପ୍ରତିନିଧିତ୍ବ କରୁଥିଲେ। କଂଗ୍ରେସ ନେତୃତ୍ବାଧୀନ ସ୍ବାଧୀନତା ଆନ୍ଦୋଳନରେ ଉତ୍ତରପ୍ରଦେଶ ଏକ ନାଭିକେନ୍ଦ୍ର ହୋଇ ରହି ଆସିଥିଲା ଏବଂ ୧୯୫୫ ବେଳକୁ ଏକ ସ୍ବାଧୀନତୋତ୍ତର ଭାରତର ରାଜନୀତିରେ ମଧ୍ୟ ଏହି ରାଜ୍ୟ ତଥାପି ପ୍ରଭାବଶାଳୀ ହୋଇ ରହିଥିଲା।
‘ଏସ୍‌ଆର୍‌ସି’ଙ୍କ ବିବରଣୀର ଜଣେ ଆଦ୍ୟ ପାଠକ ଥିଲେ ବି. ଆର୍‌. ଆମ୍ବେଦକର। ସେ ତାଙ୍କର ପ୍ରତିକ୍ରିୟାର ସାରାଂଶକୁ ଏକ ଅନ୍ତର୍ଦୃଷ୍ଟିସଂପନ୍ନ ପତ୍ରରେ ଉଲ୍ଲେଖ କରିଥିଲେ; ଯାହା ୧୯୫୫ ଡିସେମ୍ବର ଶେଷ ସପ୍ତାହରେ ପ୍ରକାଶିତ ହୋଇଥିଲା। ପାନ୍ନିକରଙ୍କ ପ୍ରସ୍ତାବକୁ ସେ ଗ୍ରହଣ କରିବା ସହିତ ଉତ୍ତରପ୍ରଦେଶକୁ ତିନିଟି ପୃଥକ୍‌ ରାଜ୍ୟରେ ବିଭାଜନ କରିବା କଥା ଚାହିଥିଲେ। ଏପରି କି ସେହି ନୂଆ ରାଜ୍ୟଗୁଡ଼ିକର ରାଜଧାନୀ ଭାବେ ଯଥାକ୍ରମେ ମିରଟ, କାନପୁର ଓ ଆଲାହାବାଦ ବୋଲି ବାଛିଥିଲେ। ମାତ୍ର ତାଙ୍କ ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ କରି ନ ଥିଲେ।

ଉତ୍ତରପ୍ରଦେଶ ବିଭାଜନ ପାଇଁ ପାନ୍ନିକର ଓ ଆମ୍ବେଦରଙ୍କ ସୁପାରିସର ପ୍ରାୟ ସାଢ଼େ ପାଞ୍ଚ ଦଶନ୍ଧି ପରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ମାୟାବତୀ ଉତ୍ତରପ୍ରଦେଶ ବିଭାଜନ ପାଇଁ ଏକ ନୂଆ ପ୍ରସ୍ତାବ ଆଣିଥିଲେ। ଉତ୍ତରପ୍ରଦେଶକୁ ଯଥାକ୍ରମେ ପୂର୍ବାଞ୍ଚଳ, ବୁନ୍ଦେଲଖଣ୍ଡ, ଅଵଧ ପ୍ରଦେଶ ଓ ପଶ୍ଚିମ ପ୍ରଦେଶ ନାମଧାରୀ ଚାରି ଭାଗରେ ବିଭକ୍ତ କରିବାକୁ ସେ ବିଧାନସଭାରେ ଏକ ସଂକଳ୍ପ ପାରିତ କରିଥିଲେ। ମାତ୍ର, ଏହାକୁ ରାଜ୍ୟ ଭିତରେ ସମାଜବାଦୀ ପାର୍ଟି ବିରୋଧ କରିଥିଲା ବେଳେ ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ଗୁରୁତ୍ବ ଦେଇ ନ ଥିଲେ।

୧୯୫୫ରେ କେ.ଏମ୍‌. ପାନ୍ନିକରଙ୍କ ଦ୍ବାରା ପ୍ରସ୍ତାବିତ ଉତ୍ତରପ୍ରଦେଶର ବିଭାଜନ ଏବେ ବି ପ୍ରାସଙ୍ଗିକ ହୋଇ ରହିଛି। ଏକ ବିଶାଳ ଅଂଶର ଆଧିପତ୍ୟ ଯୋଗୁଁ ଭାରତୀୟ ସଂଘୀୟ ବ୍ୟବସ୍ଥା ଦୁର୍ବଳ ହୋଇଯାଉଥିବା ଧାରଣା ବା ତାକୁ ନେଇ ଯୁକ୍ତି ମୂଳରୁ ମୁଖ୍ୟତଃ ରାଜନୈତିକ ଥିଲା। ତେବେ, ସଂପ୍ରତି ଉତ୍ତମ ଓ ଫଳପ୍ରଦ ପ୍ରଶାସନ ପାଇଁ ଏହା ଅନିବାର୍ଯ୍ୟ ହୋଇପଡ଼ିଛି। ଜନବହୁଳ ଉତ୍ତରପ୍ରଦେଶର ବିସ୍ତାର ଯାହା, ତହିଁରେ ଗୋଟିଏ ସ୍ଥାନରେ ରହି ଜଣେ ମୁଖ୍ୟମନ୍ତ୍ରୀ ଦ୍ବାରା ଏହାର ଶାସନ ପରିଚାଳନା କରାଯିବା ଦୁରୂହ ବ୍ୟାପାର।

ବିକାଶ ସୂଚକାଙ୍କରେ ଅନ୍ୟ ଭାରତୀୟ ରାଜ୍ୟମାନଙ୍କ ତୁଳନାରେ ଉତ୍ତର ପ୍ରଦେଶର ସ୍ଥାନ ଅତ୍ୟନ୍ତ ଦୁର୍ବଳ। ଅର୍ଥନୈତିକ ଓ ସାମାଜିକ ଦୃ୍ଷ୍ଟିକୋଣରୁ ମଧ୍ୟ ଏହା ପଛୁଆ। ଏପରି ପଛେଇ ଯିବାର ଗୋଟିଏ କାରଣ ହେଲା, ଗଲା କେଇ ଦଶନ୍ଧିରେ ରାଜ୍ୟ ରାଜନୈତିକ ‘ବହୁସଂଖ୍ୟକବାଦ’ର ଦର୍ପ ଆଡ଼କୁ ଢଳି ଯାଇଛି। ଦ୍ବିତୀୟ କାରଣଟି ହେଲା ଏହି ରାଜ୍ୟ ଅତି ମାତ୍ରାରେ ପୁରୁଷ କୈନ୍ଦ୍ରିକ। ଏବଂ ତୃତୀୟ କାରଣଟି ନିଶ୍ଚୟ ଭାବରେ ଏହାର ଜନବହୁଳତା। କୋଡ଼ିଏ କୋଟିରୁ ଅଧିକ ଲୋକ ବସବାସ କରୁଥିବା ଜନସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟ ବିଶ୍ବର ପାଞ୍ଚଟି ରାଷ୍ଟ୍ରକୁ ଛାଡ଼ିଦେଲେ ବାକି ସମସ୍ତଙ୍କ ଠାରୁ ଆଗରେ।

ଗତ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୭ ଫେବ୍ରୁଆରିରେ ‘ହିନ୍ଦୁସ୍ଥାନ ଟାଇମ୍‌ସ’ରେ ପ୍ରକାଶିତ ମୋର ଏକ ସ୍ତମ୍ଭରେ ରାଜ୍ୟର ବିଭାଜନ କଥା ମୁଁ ଉଠାଇଥିଲି। ମୁଁ ସେଥିରେ ଦର୍ଶାଇଥିଲି, ‘ୟୁପି’ରେ ରହିଥିବା ‘ୟୁ’ଟି ‘ଉତ୍ତର’କୁ ବୁଝାଉଛି। ମାତ୍ର ଏହା ଏକ ଭୁଲ୍‌ ପ୍ରୟୋଗ, ଯେହେତୁ ଦେଶର ଅନେକ ରାଜ୍ୟ ମଧ୍ୟ ଉତ୍ତରପ୍ରଦେଶର ଉତ୍ତର ଦିଗକୁ ରହିଛନ୍ତି। ତେଣୁ ‘ଯୁପି’ରେ ରହିଥିବା ‘ୟୁ’ ଏବେ ‘ଅନ୍‌ଗଭର୍ଣ୍ଣେବଲ୍‌’ (ungovernable) ବା ‘ଅଶାସନୀୟ’କୁ ବୁଝାଉଛି। ବିଧାନସଭା ନିର୍ବାଚନରେ ଜିଏ ଜିତିଲେ ବି ରାଜ୍ୟର ଏହି ମାନ୍ୟତାକୁ ବସ୍ତୁତଃ କେହି ବଦଳେଇ ଦେଇ ପାରିବେନି। ତେବେ ଉତ୍ତରପ୍ରଦେଶ ପରି ଦୁର୍ବଳ ରାଜ୍ୟ ଶେଷରେ ସୁସ୍ଥ ହେବା ଲାଗି ଏହାକୁ ପ୍ରଥମେ ତିନି କି ଚାରିଟି ଅଂଶରେ ବିଭାଜନ କରିବାକୁ ହେବ।

ଭାରତର ମଙ୍ଗଳ ପାଇଁ ଏବଂ ରାଜ୍ୟବାସୀଙ୍କ ହିତ ପାଇଁ ଉତ୍ତରପ୍ରଦେଶ ଅନ୍ତତଃ ନିଜସ୍ବ ବିଧାନସଭା ଓ ମନ୍ତ୍ରୀମଣ୍ଡଳ ଥିବା ତିନିଟି କି ଚାରିଟି ରାଜ୍ୟରେ ବିଭକ୍ତ ହେବା ଜରୁରୀ। ମାତ୍ର ଦୁଃଖର କଥା, ଏପରି ଘଟିବାର ସମ୍ଭାବନା କ୍ଷୀଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ପାଇଁ ଉତ୍ତମ ପ୍ରଶାସନ ଅପେକ୍ଷା ଶାସନ କ୍ଷମତାକୁ ଅକ୍ତିଆର କରି ରଖିବା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶର ଯଥାକ୍ରମେ ୭୧ ଓ ୬୨ଟି ଆସନ ଦଖଲ କରିଥିଲା। ସାମଗ୍ରିକ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଏହା ସେମାନଙ୍କୁ ସହାୟକ ହୋଇଛି। ମୋଦୀ ସରକାର ଆଶା କରୁଛି କି, ୨୦୨୪ ନିର୍ବାଚନ ବେଳକୁ ଜନସାଧାରଣ ଅର୍ଥନୈତିକ ପରିଚାଳନା ଓ କୋଭିଡ୍‌ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତାକୁ ଭୁଲି ଯାଇଥିବେ। ଅପରପକ୍ଷେ, ରାମ ମନ୍ଦିର ନିର୍ମାଣ ପରି ଏକ କଠୋର ହିନ୍ଦୁତ୍ବ ଚିନ୍ତାଧାରା ଓ ମୁସଲିମ୍‌ ଜନସଂଖ୍ୟା ବୃଦ୍ଧିର ଭୟ, ସେମାନଙ୍କ ସପକ୍ଷରେ ହିନ୍ଦୁ ଜନମତ ଠୁଳ କରିବାରେ ସହାୟକ ହେବ। ଫଳରେ ଉତ୍ତରପ୍ରଦେଶର ୮୦ ଲୋକସଭା ଆସନରୁ ବିଜେପି ପୁଣି ଥରେ ସିଂହଭାଗ ହାତେଇ ନେବ।

ତେଣୁ ଏକ ଅବିଭକ୍ତ ଉତ୍ତରପ୍ରଦେଶ ଏହିପରି ଭାବେ କ୍ଷତିଗ୍ରସ୍ତ ତଥା ଅଣବିକଶିତ ହୋଇ ରହିଥିବ, ଯଦ୍ଦ୍ବାରା ଏକ ରାହୁ ଛାୟା ଦେଶର ଅନ୍ୟ ଭାଗ ଉପରେ ହିଁ ପଡ଼ି ରହିବ। ରାଜ୍ୟ ଏବଂ ଦେଶର ଭବିଷ୍ୟତ୍‌ ଏବେ ଗୋଟିଏ ଲୋକ ଏବଂ ତାଙ୍କ ଦଳର ରାଜନୈତିକ ଉଚ୍ଚାକାଂକ୍ଷା ପାଖରେ ପଣ୍ୟବନ୍ଦୀ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe