ଆମ ଦେଶକୁ ବେଳେ ବେଳେ ଏଭଳି ବିବାଦ ଘୋଟିଆସେ ଯେ ତାହା ଜନ ମାନସକୁ ସଂପୂର୍ଣ୍ଣ ଭାବେ ଆକ୍ରାନ୍ତ କରି ପକାଏ। ଏହା ପଛରେ କେତେ ସତ୍ୟତା ରହିଛି, ତାହା ପରଖି ଦେଖିବା ଲାଗି ଯେଉଁ ବିବେଚନାବୋଧ ଆବଶ୍ୟକ, ତାହା ସତେ ଯେମିତି ଅଦୃଶ୍ୟ ହୋଇଯାଏ। ସେମିତି ଘଟିଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଲୌହ ମାନବୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ସମୟରେ। କିନ୍ତୁ ତାଙ୍କ ଉପରେ ଆସିଥିବା ବହୁ ମିଥ୍ୟା ଆରୋପ ପରେ ଭୁଲ୍ ବୋଲି ପ୍ରମାଣିତ ହୋଇଥିଲା। ସେମିତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ଆସିଥିଲା ବୋଫର୍ସ୍ ଦୁର୍ନୀତି ମାମଲା। ଏହା ଏଭଳି ରୂପ ନେଲା ଯେ ତା’ରି ଢେଉ ଉପରେ ଚଢ଼ି ବିଶ୍ବନାଥ ପ୍ରତାପ ସିଂହ ନିର୍ବାଚନ ଜିଣିଲେ ଏବଂ କଂଗ୍ରେସ ଗାଦିଚ୍ୟୁତ ହେଲା। ପରବର୍ତ୍ତୀ କାଳରେ ଏହା ମଧ୍ୟ ପ୍ରମାଣିତ ହେଲା ଯେ ବୋଫର୍ସ କିକ୍ ବ୍ୟାକ୍ ସ୍କାଣ୍ଡାଲ୍ରେ ରାଜୀବ ଗାନ୍ଧୀ ବା ଗାନ୍ଧୀ ପରିବାରର ଆଦୌ କୌଣସି ସଂପୃକ୍ତିି ନାହିଁ। ସେମିତି ଡକ୍ଟର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ବହିଲା ‘ଟୁ-ଜି ସ୍ପେକ୍ଟ୍ରମ୍’ ଦୁର୍ନୀତିର ଝଡ଼। ଏହି ଝଡ଼ ଭାରତର ରାଜନୀତିରେ ଏକ ଭୂଚଳନ ସୃଷ୍ଟି କଲା। ତା’ ପରେ ଆସିଲା କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ପ୍ରସଙ୍ଗ। ଏ ସବୁରୁ ଏକ ଜନଧାରଣା ଉପୁଜିଲା ଯେ ଏହି ସରକାର ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ଏବଂ ଏହି ସରକାର ଠାରୁ ତ୍ରାହି ମିଳିବା ଉଚିତ। ଏଭଳି ଦୁର୍ନୀତିକୁ ଦୂର କରିବା ଲାଗି ‘ଜନ ଲୋକପାଳ ଆଇନ’ର ପ୍ରବର୍ତ୍ତନ କରାଯିବା ଆବଶ୍ୟକ ବୋଲି ଜିଦ୍ ଧରି ଆନ୍ନା ହଜାରେ ଏକ ବିରାଟ ଜନ ଆନ୍ଦୋଳନ ଛିଡ଼ା କରାଇ ଦେଲେ। ଏହାକୁ ଅନେକ ଅତ୍ୟୁତ୍ସାହେର ଦ୍ବିତୀୟ ସ୍ବାଧୀନତା ଆନ୍ଦୋଳନର ନାମ ମଧ୍ୟ ଦେଲେ। ଏହା ସମସ୍ତଙ୍କୁ ଜଣା ଯେ ଏହି ଜନ ବିରୋଧର ପବନରେ ଡଙ୍ଗା ଭସାଇଥିବା ବିଜେପି ୨୦୧୪ ନିର୍ବାଚନରେ ଜିଣି ସରକାର ଗଢ଼ିଲା।
ତା’ ପରେ ବିତି ଯାଇଛି ପ୍ରାୟ ସାତ ବର୍ଷ। ଆସନ୍ତୁ ଦେଖିବା ଏହି ସମୟ ଭିତରେ କ’ଣ ସବୁ ଦେଖିବାକୁ ମିଳିଲାଣି। ପ୍ରଥମ କଥା ହେଲା, ଯେଉଁ ପୂର୍ବତନ ସି.ଏ.ଜି. ବିନୋଦ ରାଏ ଏକ ଆକଳନ କରି ୧ ଲକ୍ଷ ୭୬ ହଜାର କୋଟିର ଟୁ-ଜି ସ୍ପେକ୍ଟ୍ରମ୍ ଦୁର୍ନୀତି ବିଷୟରେ ଦେଶବାସୀଙ୍କୁ ଜଣାଇଲେ, ତାହା ଯେ ସଂପୂର୍ଣ୍ଣ ରୂପେ ଏକ ଆନୁମାନିକ ହିସାବର ଖେଳ ଥିଲା, ତାହା ପ୍ରମାଣିତ ହୋଇ ସାରିଛି। ଏହାଦ୍ବାରା ଫଳ ଏହା ହୋଇଛି ଯେ ଭାରତର ଟେଲିକମ୍ କ୍ଷେତ୍ର ବିଧ୍ବସ୍ତ ହୋଇଯାଇଛି ଏବଂ ଆମେ ସମସ୍ତେ ଗୋଟିଏ କଂପାନିର ଏକାଧିପତ୍ୟ ଭିତରକୁ ପ୍ରବେଶ କରିଛୁ। କେବଳ ସେତିକି ନୁହେଁ, ଏବେ ପୂର୍ବତନ ସି.ଏ.ଜି. ଅଦାଲତରେ ‘ଟୁ-ଜି ସ୍ପେକ୍ଟ୍ରମ’ ଦୁର୍ନୀତି ସହିତ ଡକ୍ଟର ମନମୋହନ ସିଂହଙ୍କ ନାମ ଯୋଡ଼ିଥିବାରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ସଂଦର୍ଭରେ କୁହାଯିବା ଉଚିତ ଯେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିଥିବା ଦୁର୍ନୀତି ପ୍ରସଙ୍ଗକୁ ଆଶ୍ରୟ କରି ୨୦୧୪ରେ ନିର୍ବାଚନ ଜିଣିବା ଭାରତୀୟ ଜନତା ପାର୍ଟିର ସଫଳତାକୁ ଖର୍ବ କରିଥାଏ।
ଏବେ ଆନ୍ନା ହଜାରେଙ୍କ ଆନ୍ଦୋଳନର ପରବର୍ତ୍ତୀ ଚିତ୍ରକୁ ଦେଖିବା। ଗାନ୍ଧୀବାଦୀ ଆନ୍ନା ହଜାରେ ପଙ୍କିଳ ରାଜନୀତିକୁ ସମ୍ଭାଳି ପାରିଲେ ନାହିଁ ବୋଲି ପୁଣି ନିଜ କର୍ମକ୍ଷେତ୍ର ରାଲେଗାଓଁ ସିଦ୍ଧିକୁ ଫେରିଗଲେ। ସେହି ଆନ୍ଦୋଳନର ମଙ୍ଗ ଧରିଥିବା ଅନ୍ୟତମ ନେତା ଅରବିନ୍ଦ କେଜ୍ରିୱାଲ ଚତୁରତାର ସହିତ ତିଷ୍ଠି ରହିବାର କଳା ଦେଖାଇ ରାଜନୀତିରେ ପ୍ରବେଶ କରି ସଫଳ ହେଲେ, କିନ୍ତୁ ତାଙ୍କ ଠାରୁ ଆଶା କରାଯାଉଥିବା ବ୍ୟତିକ୍ରମ ରାଜନୀତି ଦେଖିବାକୁ ମିଳିଲା ନାହିଁ। ସେ କ୍ଷମତା ରାଜନୀତିର ଉଚ୍ଚାଭିଳାଷର ଅଂଶ ହୋଇଗଲେ। ବିଜେପି ସାତ ବର୍ଷ କାଳ ଶାସନରେ ରହିବା ପରେ ବି ଆନ୍ନା ହଜାରେଙ୍କ ପ୍ରସ୍ତାବିତ ଜନ ଲୋକପାଳ ଆଇନକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରି ପାରି ନାହିଁ। ପ୍ରଧାନମନ୍ତ୍ରୀ ନିଜେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଯେ ବିଦେଶରେ ଗଚ୍ଛିତ ସବୁ କଳା ଟଙ୍କା ଦେଶକୁ ଫେରାଇ ଆଣିବେ, ତାହା ମଧ୍ୟ ଏ ଯାବତ୍ ପୂରଣ ହୋଇପାରିନାହିଁ।
ତ’ ଏବେ ଆମେ କ’ଣ ଦେଖୁଛୁ? ଅହେତୁକ ଦର ବୃଦ୍ଧି, ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସ୍ବାୟତ୍ତତା ହନନ, ମୁକ୍ତ ଅଭିବ୍ୟକ୍ତିର କଣ୍ଠରୋଧ, ସରକାର ବିରୋଧୀ ମତକୁ ଦେଶଦ୍ରୋହର ନାମ ପ୍ରଦାନ, ପୂର୍ବବର୍ତ୍ତୀ ସବୁ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ଅପହରଣ କରି କେବଳ ଏହି ସାତ ବର୍ଷରେ ସବୁ କିଛି ସମ୍ଭବ ହୋଇଛି ବୋଲି ଏକ ଧାରଣାର ସୃଷ୍ଟି ଏବଂ ସାଂପ୍ରଦାୟିକ ବିଦ୍ବେଷ ତଥା ଦେଶପ୍ରେମ ନାମରେ ଉଗ୍ର ମୌଳବାଦକୁ ପ୍ରୋତ୍ସାହନ। ସେଥି ଲାଗି ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ମାନ ଭୂଲୁଣ୍ଠିତ ଏବଂ ତାଙ୍କ ଆତତାୟୀ ନାଥୁରାମ ଗଡ଼ସେଙ୍କୁ ଯଶ ପ୍ରଦାନ ଲାଗି ଏକ ପ୍ରଚ୍ଛନ୍ନ ଉଦ୍ୟମ କାର୍ଯ୍ୟରତ।
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ପ୍ରକୃତରେ ଥିଲେ ଜଣେ ଉଚ୍ଚକୋଟୀର ପ୍ରଧାନମନ୍ତ୍ରୀ। ଜଣେ ଅର୍ଥନୀତିଜ୍ଞ ଭାବେ ସେ ଥିଲେ ଅସାଧାରଣ। ୧୯୯୧-୯୬ ମସିହା ମଧ୍ୟରେ ଭାରତର ଅର୍ଥ ମନ୍ତ୍ରୀ ଭାବେ ସେ ନେଇଥିବା ପଦକ୍ଷେପ ବଳରେ ଭାରତ ଆଜି ଗୋଟିଏ ଅର୍ଥନୈତିକ ମହାଶକ୍ତିରେ ପରିଣତ ହୋଇଛି। ତାଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ପ୍ରବର୍ତ୍ତନ ହୋଇଥିବା ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ବା ସୂଚନା ଅଧିକାର ଆଇନର କୌଣସି ବିକଳ୍ପ ନାହିଁ। ସେ ଥିଲେ ଅତ୍ୟନ୍ତ ନିଷ୍ଠାପର, ସଚ୍ଚୋଟ ଏବଂ ନିରବ ସାଧକ। ଯେଉଁ ଦୁର୍ନୀତି ପରିପ୍ରେକ୍ଷୀରେ ସେ କ୍ଷମତା ହରାଇଲେ, ସେହି ପ୍ରସଙ୍ଗରେ ସେ ୨୦୧୪ ମସିହାରେ କହିଥିଲେ- ‘ମୁଁ ଦୁର୍ବଳ ପ୍ରଧାନମନ୍ତ୍ରୀ ନୁହେଁ। ଗଣମାଧ୍ୟମ ତୁଳନାରେ ଇତିହାସ ମୋ ପ୍ରତି ଅଧିକ ଦୟାଶୀଳ ହେବ।’ ଏବେ ବିଭ୍ରାନ୍ତିର ଧୂଳି ବସିଯିବା ଆରମ୍ଭ ହୋଇଛି। ବୋଧହୁଏ, ଏବେ ଇତିହାସର ପୁରୁଣା କଥା ସବୁ ଅଧିକ ପରିଷ୍କାର ଭାବେ ଦିଶିବ।
ସମ୍ପାଦକ
ରାଜ୍ୟ ଯୁବ କଂଗ୍ରେସ କମିଟି
ଓଡ଼ିଶା
Follow Us