ଷଣ୍ଢ ମାଇଲେ!

Advertisment

ସତ୍ୟନାରାୟଣ ଗନ୍ତାୟତ

ସତ୍ୟନାରାୟଣ ଗନ୍ତାୟତ

ଷଣ୍ଢ ମାଇଲେ!

ଆଶା କରୁ ‘ଷଣ୍ଢ ମାଇଲେ ମଲି’ ବୋଲି କହିଲେ ଆପଣ ଠିକେ ଠିକେ ସମଝି ଯିବେ ଯେ ଷଣ୍ଢ ଆମକୁ ମାରିବା କଥାଟି ଆମେ କହୁଅଛୁ। ଷଣ୍ଢ ଆମକୁ ମାରିବା ବଦଳରେ ଷଣ୍ଢ ଆମକୁ ଭୁସିବା ବୋଲି କହିଲେ କଥାଟା ବରଂ ପ୍ରାଞ୍ଜଳ ହୋଇଯିବ; ନୁହେଁ? କାରଣ ଷଣ୍ଢ କହିଲେ ଏକ ବପୁବନ୍ତ ପଶୁ ବୋଲି ଅନାୟାସେ ବୁଝି ଯିବା ସହ ଛାଏଁ ଏଇଆ ବି ମନରେ ନାଚି ଉଠେ ଯେ ଷଣ୍ଢ ମଧ୍ୟ ଏକ ଶିଙ୍ଗବନ୍ତ ପଶୁ ଅଟଇ।

ଏଥର ଷଣ୍ଢ ଆପଣଙ୍କ ମନ ଆଇନାରେ ଶୋଭା ପାଇଗଲା! ତ ଆପଣ ଦେଖୁଛନ୍ତି ଏକ ବିରାଟ ଦାଣ୍ଡ। ଯାନବାହନ କାଇଁରେ କ’ଣ! ଗହଳ ଚହଳ ଲାଗି ରହିଚି। ଏ ସବୁକୁ ଖାତିର ନ କରି ନିରବରେ ଯିଏ ଶୋଇ ରହିଚି ସେ ଆଉ କେହି ନୁହେଁ, ବୃହଦାକାର ଷଣ୍ଢଟିଏ!

ମୁହୂର୍ତ୍ତେ ଥମି ଯାଆନ୍ତୁ। ଭାବି ନିଅନ୍ତୁ ଯେ ଆପଣ ନିଜେ ଠାଏ ଷଣ୍ଢବତ୍‌ ଶାନ୍ତ ସମାହିତାବସ୍ଥାରେ ଶୋଇଥିବେ ଓ କେହି ଆସି ଆପଣଙ୍କ ଆଗରେ ତେଲିଙ୍ଗି ବାଇଦ ବଜାଇବ ନତୁବା ଜାଣି ନ ଜାଣିଲା ପରି ଖେଞ୍ଚାଖେଞ୍ଚି କରିବ ତ ଆପଣଙ୍କୁ କେମିତି ଲାଗିବ? ଆପଣଙ୍କ ମହାର୍ଘ ନିଦ୍ରାଳୁ ଭାବ କୁହନ୍ତୁ କି ବହୁ କଷ୍ଟେ ଉପଲବ୍‌ଧ ସେଇ ସମାଧିସ୍ଥ ଅବସ୍ଥା କୁହନ୍ତୁ; ସିଧା ଚୁଲିକି ଯିବ ନା ନାଇଁ?

ଆଉ ସେମିତି ଘଟିଲା ମାନେ ଆପଣଙ୍କ ମଗଜ ବିଗିଡ଼ିବ ଓ ଆପଣ ଚିଡ଼ଚିଡ଼ ବିଡ଼ବିଡ଼ ହେବେ ଏବଂ ଏମିତି ଅସୁବିଧାରେ ପକାଇଥିବା ପ୍ରାଣୀଟିକୁ ପାନେ ଚଖାଇବାକୁ ବାହାରି ପଡ଼ିବେ! ନା ନାଇଁ?

ଏଠେଇଁ ପୁଣି ଦଣ୍ଡେ ଅଟକି ଯାଆନ୍ତୁ। ଏମନ୍ତ ସ୍ଥଳେ ବଡ଼ବଡ଼ିଆଏ କହିଯାଇଥିବା ପରାୟେ ତମେ ଆମେ ଯେଉଁମାନେ ଆପଣାକୁ ତଥାକଥିତ ସାମାଜିକ ପ୍ରାଣୀ ବୋଲେ ମଣିଷ ବୋଲାଉ ଥାଇଁ, ଅଚାନକ କିୟତ ସମ୍ଭାଳି ନେଉ। ପରେ ପରେ ପହିଲେ ମର୍କଟାନୁରୂପ ମୁହଁ କରି ଖିଙ୍କାରି ହୋଇ ତା’ର ଚଉଦ ପୁରୁଷଙ୍କ ଅଶ୍ରାବ୍ୟ ସ୍ମୃତି ଚାରଣାନ୍ତେ ମାରଧର ଆଡ଼ିକି ଆଗେଇ ଯାଉ। ହେଲେ ଥରେ ଦେଖନ୍ତୁ ତ ଆପଣଙ୍କ ମନ ଆଇନାରେ; କିନ୍ତୁ ଏ କ୍ଷଣି ଏମନ୍ତ ଅବସ୍ଥାରେ ଦୃଶ୍ୟମାନ ହେଉଛି କି ତତଲା ତାରୁଣ୍ୟରେ ଟକମକ ଫୁଟନ୍ତ ବପୁବନ୍ତ ଷଣ୍ଢ!

ସୁତରାଂ କୁକର୍ମ ଅନ୍ତେ ସ୍ୱତଃ ତା’ ହାତରେ ଧରାପଡ଼ିଥିବା ଶିକାରଟିକୁ ସେ ଶିଙ୍ଗାଘାତ ମାଧ୍ୟମରେ କଚାଡ଼ି ଫୋପାଡ଼ି ଦେବା ନିହାତି ନ୍ୟାୟୋଚିତ, ସ୍ୱଭାବସୁଲଭ ତଥା ଯେସାକୁ ତେସାର ଅବଶ୍ୟମ୍ଭାବୀ ପ୍ରତିକ୍ରିୟା ଅଟଇ।

ଏଥକୁ ଶିକାର ନିଜେ ନିଜେ ପୁନଃ ପୁନଃ ‘ମଲି ମଲି, ମୋତେ ଷଣ୍ଢ ମାଇଲା, ରକ୍ଷା କର’ ବୋଲି ବିଳପି ଷଣ୍ଢ ଯେ ମାଇଲା ଏ କଥାକୁ ବିଜ୍ଞପିତ କରି ପକାଇବା ଅବଧାରିତ ହୋଇଯାଏ।

ଷଣ୍ଢ ମାରିବା ମାନେ ଏଇଆ। ଏଥୁ ଅନ୍ତେ ଯୁଦ୍ଧ ଅପେକ୍ଷା ଶାନ୍ତି ଓ ସନ୍ଧି ହିଁ ସତତ କରଣୀୟ ଓ ବରଣୀୟ ବୋଲି ପ୍ରାୟତଃ ପ୍ରତେ ହୋଇଥାଏ। ହେଲେ ଯେତେ କହିଲେ ବି ଏ କଥା କେହି ଶୁଣୁଥିଲେ, ଏତେ ଯୁଦ୍ଧଙ୍କ ଘନଘଟା ନ ଘଟି ଏ ପୃଥ୍ବୀ କେବେ ଠୁ ଶାନ୍ତ ହୋଇ ସାରନ୍ତାଣି! ତେବେ କିନ୍ତୁ ଷଣ୍ଢାକ୍ରାନ୍ତ ହେବା ପରେ ସନ୍ଧି ନ କରି ଅନ୍ୟ ଗତି କାହିଁ?
ଅର୍ଥାତ୍‌, ଦେଖନ୍ତୁ ଆପଣଙ୍କ ମନ ଆଇନାରେ ଆକ୍ରମଣାନ୍ତେ ଯଥା ପୂର୍ବଂ ତଥା ପରଂ ମୌନ ମୁନି ପ୍ରାୟେ ଆସ୍ଥାନ ଜମାଇ ତଥାପି ରହିଥିବ ସେଇ ଷଣ୍ଢ! ଆକ୍ରାନ୍ତ ଜଣକ ଅନ୍ତର୍ହିତ ଆଶୁ ଚିକିତ୍ସା ପାଇଁ। ଠିକ୍ ଏହି ସମୟରେ ବଜାରସ୍ଥ ଜନୈକ ପରିବା ବେପାରୀ ମନେ ମନେ କିଛି ଶ୍ଳୋକାବୃତ୍ତି ସହ ଆଗେଇ ଆସିବେ ଷଣ୍ଢ ପାଖକୁ। ସତରେ ଷଣ୍ଢ ପାଶକୁ ଯିବାକୁ କ’ଣ କମ୍ ଦମ୍ ଚାହି? ତା’ ପରେ ପହିଲେ ନଡ଼ିଆକାର ହୋଇଥିବାରୁ ‘ନଡିଆ ବନ୍ଧା’ ନାମେ ଖ୍ୟାତ ବନ୍ଧାକୋବିଟାଏ ଦୂରରେ ଥାଇ ଧୀରେ ଗଡ଼ାଇ ଦେବେ ସେ ଷଣ୍ଢ କତିକି। ଷଣ୍ଢ ଚେଙ୍ଗା ହୋଇ ଉଠିବ। ଦାତାଙ୍କ ପ୍ରତି କିଞ୍ଚିତ ପ୍ରୀତଭାବ ଅଙ୍କୁରିତ ହେବ କି କ’ଣ, ତାଙ୍କ ଆଡ଼ିକି ଅନାନ୍ତେ ସେ ସଜିଲ କରି ରଖିଥିବା ପରିବା ବସ୍ତାଟିକୁ ଖୋଲିଦେବେ ତା’ ଆଗରେ!

ତା’ ପରେ?

ତା’ ପରେ ଆଉ କ’ଣ ? ଶାନ୍ତିରେ ଶୋଇରହିବା ନତୁବା ସେଇମିତି ଠିଆ ହୋଇ ରହିଥିବା ଭଳି କର୍ମରେ ସଚରାଚର ମଗ୍ନ ରହି ଆସୁଥିବା ଷଣ୍ଢଟି ପ୍ରଦତ୍ତ ପରିବାକୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ ପୂର୍ବକ ଗଳାଧଃକରଣ କରିବା ପରେ ଶାନ୍ତିରେ ଧୀର ପଦପାତ ସହ କେଉଁ ଛଟକରେ ଯେ ସେଠୁ ଅନ୍ତର୍ହିତ ହୋଇଯାଇଥିବ କେହି ଜାଣି ନ ଥିବେ। ସେଇମିତି ଯାଇ ଅନ୍ୟତ୍ର ଥକି ଶୋଇ ରହିବ ନତୁବା ଠିଆ ହୋଇଥିବ କାଳେ କେହି ମନ ଜାଣି ପେଟ ଚିହ୍ନି ବନ୍ଧାକୋବିଟାଏ ଗଡ଼େଇ ଦେବ କି?

ଆଉ ଏମନ୍ତ ସମୟେ ତା’ ସହ ଗେଲ ଖେଳିବ ତ ସେ ମାରିବ। ସେଥିରେ ତା’ର ବା କି ଦୋଷ?

sngantayat1964@gmail.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe