ଅପରାଜେୟ ଲିସାଲା ଫଲାଉ

ଝରକା

ଅପରାଜେୟ ଲିସାଲା ଫଲାଉ

Times Now

ଗତ ୧୪ ତାରିଖରୁ ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ରାଜ୍ୟ ଟୋଙ୍ଗା ନିକଟରେ ସମୁଦ୍ର ଗର୍ଭସ୍ଥ ଏକ ଆଗ୍ନେୟ ଗିରିରୁ ହୋଇଥିବା ଉଦ୍‌ଗୀରଣ ଏକାଧିକ ସୁନାମି ତରଙ୍ଗ ସୃଷ୍ଟି କରିଥିଲା। ଟୋଙ୍ଗା ଅନ୍ତର୍ଗତ ଆଟାଟା ଦ୍ବୀପର ଜନୈକ ଅଧିବାସୀ ଲିସାଲା ଫଲାଉ ସୁନାମି ଢେଉରେ ଭାସି ଯିବାର ୨୭ ଘଣ୍ଟା ପରେ ଅବିଶ୍ବସନୀୟ ଢଙ୍ଗରେ ଏକ ଦ୍ବୀପ କୂଳକୁ ଫେରି ଆସିଥିବା ଘଟଣା ଜଣାପଡ଼ିଛି। ଏହା ତାଙ୍କୁ ସୁନାମି ବିଜୟୀରେ ପରିଣତ କରିଛି। ସେ ଏବେ ଗଣମାଧ୍ୟମରେ ‘ଆକ୍ବା ମ୍ୟାନ’ ବା ଜଳ ମାନବ ରୂପେ ସଂବୋଧିତ ହୋଉଛନ୍ତି। ପ୍ରକାଶ ଥାଉ କି ‘ଆକ୍ବା ମ୍ୟାନ୍‌’ ହେଉଛି ଏକ ଲୋକପ୍ରିୟ କମିକ୍ ଓ ଚଳଚ୍ଚିତ୍ର ଚରିତ୍ର ଯିଏ ପାଣି ଭିତରେ ମଧ୍ୟ ଶ୍ବାସକ୍ରିୟା ସଂପନ୍ନ କରିପାରେ।

ତେବେ ୫୭ ବର୍ଷ ବୟସ୍କ ଲିସାଲାଙ୍କୁ ଯାହା ଅସାଧାରଣ କରିଥାଏ, ତାହା ହେଲା ସେ ଜଣେ ଭିନ୍ନକ୍ଷମ ଯିଏ ଠିକ୍ ଭାବେ ଚାଲି ପାରନ୍ତି ନାହିଁ। ଘଟଣା ଦିନ ସେ ସୁନାମି ସୂଚନା ପାଇ ଘର ନିକଟସ୍ଥ ଗଛ ଉପରେ କୌଣସିମତେ ଚଢ଼ି ଯାଇଥିଲେ ସିନା, ନିଜକୁ ରକ୍ଷା କରି ପାରି ନ ଥିଲେ। ଗୋଟିଏ ବିଶାଳ ତରଙ୍ଗ ଚାଲିଯିବା ପରେ ସୁନାମି ଅତିକ୍ରାନ୍ତ ବୋଲି ବିଚାର କରି ସେ ତଳକୁ ଓହ୍ଲାଇ ଆସିବା ପରେ ଦ୍ବିତୀୟ ବିଶାଳ ତରଙ୍ଗ ତାଙ୍କୁ ଭସାଇ ନେଇଥିଲା। ତା’ ପର ୨୭ ଘଣ୍ଟା ଧରି ସେ କେବଳ ନିଜ ହାତକୁ ଆହୁଲା ଭଳି ବ୍ୟବହାର କରି ୭.୫ କିଲୋମିଟର ଦୂର ଆଉ ଏକ ଦ୍ବୀପରେ ଲାଗିଥିଲେ, ଯାହାର ନାମ ଟୋଙ୍ଗାଟାପୁ।

ସେହି ଦିନ ଉଦ୍‌ଗୀରଣରୁ ଜାତ ପାଉଁଶ, ଶକ୍ତିଶାଳୀ ତରଙ୍ଗ ଭଳି ଅନେକ ଆହ୍ବାନ ତାଙ୍କ ସମ୍ମୁଖରେ ଥିଲା। ତେବେ ଦୃଢ଼ ମନୋବଳ ଯୋଗୁଁ ସେ ୨୭ ଘଣ୍ଟା ସମୁଦ୍ର ଭିତରେ ସନ୍ତରଣ କରି ନିଜକୁ ବଞ୍ଚାଇ ରଖି ପାରିଥିଲେ।

ସତ କହିଲେ, ମଣିଷକୁ ତାର କ୍ଷୁଦ୍ରତା ଓ ଶକ୍ତିହୀନତା ସମ୍ପର୍କରେ ସ୍ମରଣ କରାଇ ଦିଏ ପ୍ରାକୃତିକ ଦୁର୍ବିପାକ। ସୁନାମିର ତାଣ୍ଡବରେ ତାଙ୍କର କ୍ଷୁଦ୍ର ଦ୍ବୀପ ଆଟାଟାର ସମସ୍ତ ବାସଗୃହ ବିଧ୍ବସ୍ତ ହୋଇଯାଇଛି। ସେହି ଭଗ୍ନ ସ୍ତୂପ ମଧ୍ୟରେ ଲିସାଲା ଫଲାଉ ଏକ ଅପରାଜେୟ ମାନବର ପ୍ରତୀକ ଭା‌େ‌ବ ଛିଡ଼ା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe