ଏଫ୍‌ଏମ୍‌ ରେଡିଓ ଓ ‘ଜକି’ଙ୍କ ଭାଷା

ସୁବ୍ରତ କୁମାର ପତି

ଏଫ୍‌ଏମ୍‌ ରେଡିଓ ଓ ‘ଜକି’ଙ୍କ ଭାଷା

ନିକଟରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ସମସ୍ତ ବେସରକାରୀ ଏଫ୍‌ଏମ୍‌ ରେଡିଓ ଷ୍ଟେସନଗୁଡ଼ିକୁ ଏକ ସତର୍କବାଣୀ ସମ୍ବଳିତ ନିର୍ଦ୍ଦେଶନାମା ପଠାଇଛନ୍ତି, ଯହିଁରେ କୁହାଯାଇଛି ଯେ ବିଭିନ୍ନ ବେସରକାରୀ ଏଫ୍‌ଏମ୍‌ ରେଡିଓରେ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟ ପ୍ରସାରଣ କରାଯାଉଥିବା ବିଷୟ ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି। ଏହାଛଡ଼ା ‘ରେଡିଓ ଜକି’ମାନେ ଅନେକ ସମୟରେ ଅଭଦ୍ର, ଦ୍ୱି-ଅର୍ଥ ବୋଧକ ଓ ଅପମାନଜନକ ଭାଷା ଓ ଶବ୍ଦର ବ୍ୟବହାର କରୁଛନ୍ତି। ସେମାନେ ବହୁ ସମୟରେ ଅରୁଚିକର ଏବଂ ମାନହାନିକାରକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଏହା ବନ୍ଦ ହେବା ଜରୁରୀ।

ବେସରକାରୀ ସଂସ୍ଥାମାନଙ୍କୁ ରେଡିଓ ଷ୍ଟେସନ ଆରମ୍ଭ କରିବା ପାଇଁ ଲାଇସେନ୍‌ସ ଦିଆଯିବା ସମୟରେ ସରକାରଙ୍କ ବିଭାଗ ସହିତ ଯେଉଁ ଚୁକ୍ତି କରାଯାଏ, ସେଥିରେ ଷ୍ଟେସନଟି କେଉଁ ଭଳି ବିଷୟ, ବାର୍ତ୍ତା, ବିଜ୍ଞାପନ ପ୍ରସାରଣ କରିପାରିବ, ସେ ବିଷୟରେ ସ୍ପଷ୍ଟ ଉଲ୍ଲେଖ ଥାଏ। ଏହା ଅନୁସାରେ ବେସରକାରୀ ଏଫ୍‌ଏମ୍‌ ରେଡିଓ ଷ୍ଟେସନଗୁଡ଼ିକ ଆପତ୍ତିଜନକ ଭାଷା ପ୍ରୟୋଗ କରିବା ବା ସେହିଭଳି କାର୍ଯ୍ୟକ୍ରମ ପ୍ରସାରଣ କରିବା ମନା। ଏହା ଭାରତୀୟ ଆଇନ ଦୃଷ୍ଟିରୁ ମଧ୍ୟ ଦୋଷାବହ। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବେସରକାରୀ ଏଫ୍‌ଏମ୍‌ ରେଡିଓ ଷ୍ଟେସନଗୁଡ଼ିକ ଦ୍ବାରା ପ୍ରସାରଣକୁ ବନ୍ଦ କରାଯିବା ଓ ଚ୍ୟାନେଲଗୁଡ଼ିକର ଲାଇସେନ୍‌ସ ରଦ୍ଦ କରାଯିବା ସହିତ ସେଗୁଡ଼ିକୁ ଦଣ୍ଡିତ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଚେତାଇ ଦିଆଯାଇଛି।

ଭାରତରେ ଶାଳୀନ ଓ ରୁଚିସଂପନ୍ନ ରେଡିଓ କାର୍ଯ୍ୟକ୍ରମର ଧାରା ଆକାଶବାଣୀ ସୃଷ୍ଟି କରିଥିଲା, ଯାହା ଏ ଯାବତ୍‌ ଅବ୍ୟାହତ ରହିଛି। କେବଳ ସେତିକି ନୁହେଁ, ପ୍ରତ୍ୟେକ ସୁଶୀଳ ଭାରତୀୟଙ୍କ ଲାଗି ଆକାଶବାଣୀ ଏକ ସଶ୍ରଦ୍ଧ ଉଚ୍ଚାରଣ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ରେଡିଓରେ ହଠାତ୍‌ ଏ ଅଲକ୍ଷଣ ଦିଶିଲା କାହିଁକି?
ଏହି ଆଲୋଚନା ବେଳେ ଏ ସମ୍ପର୍କିତ ଆଉ ଏକ ପ୍ରସଙ୍ଗ ଉଠିଥାଏ। ତାହା ହେଲା କୌଣସି ଏକ ନିର୍ଦ୍ଦିଷ୍ଟ ଭାଷାରେ କଥା କହୁଥିବା ‘ରେଡିଓ ଜକି’ କାହିଁକି ନିଜେ ବ୍ୟବହାର କରୁଥିବା ଭାଷାର ଶୁଦ୍ଧତା ପରିହାର କରି ଏକ ଖେଚୁଡ଼ି ଭାଷା‌ କହନ୍ତି। ଉଦାହରଣ ସ୍ବରୂପ ଓଡ଼ିଆ ସାଙ୍ଗରେ ଅନାବଶ୍ୟକ ଭାବେ ଏପରି କି ଜୋର ଜବରଦସ୍ତ ହିନ୍ଦୀ ଓ ଇଂରେଜୀ ଫେଣ୍ଟା ଭାଷା କହନ୍ତି କାହିଁକି? ଏହା ଦ୍ୱାରା ଆମ ଓଡ଼ିଆ ଭାଷାର ଅପମାନ ହୋଇ ନ ଥାଏ କି? ତେ‌େବ, କେବଳ ଓଡ଼ିଆ ନୁହେଁ, ଦେଶର ସବୁ ଆଞ୍ଚଳିକ ଭାଷାର ଏହି ଅବସ୍ଥା। ଖାଲି ରେଡିଓ କାହିଁକି, ଟେଲିଭିଜନରେ ମଧ୍ୟ ଅନେକ ସମୟରେ ଖେଚୁଡ଼ି ଭାଷା ଶୁଣିବାକୁ ମିଳିଥାଏ। ଏହାର କାରଣ କ’ଣ ଏହା ଯେ ଆଧୁନିକ ବୋଲି ବିଚାର କରାଯାଉଥିବା ଇଂରେଜୀ ମାଧ୍ୟମରେ ଶିକ୍ଷିତ ଯୁବପିଢ଼ିକୁ ଏହି ଚ୍ୟାନେଲ୍‌ଗୁଡ଼ିକ ନିଜର ‘ଟାର୍ଗେଟ୍‌ ଶ୍ରୋତା’ ବୋଲି ଭାବିନେଇ ସେମାନଙ୍କୁ ଆକୃଷ୍ଟ କରିବା ଲାଗି ଏଭଳି ସଂକର ଦେଶୀ ଭାଷାର ବ୍ୟବହାର କରୁଛନ୍ତି! ଦୁର୍ଭାଗ୍ୟ କ୍ରମେ ଏହି ପିଢ଼ିର ସହରୀ ପିଲାମାନେ ସ୍ବଭାବଗତ ଭାବେ ସେମାନଙ୍କ କଥାବାର୍ତ୍ତାରେ ଏଭଳି ଭାଷାର ବ୍ୟବହାର କରୁଛନ୍ତି।

ଆକାଶବାଣୀ ଦିଲ୍ଲୀର ଅବସରପ୍ରାପ୍ତ ବରିଷ୍ଠ ସମ୍ବାଦ ପାଠକ ଅଖିଲ ମିତ୍ତଲ କହନ୍ତି ଯେ ‘ରେଡିଓ ଜକି’ମାନେ ଶସ୍ତା ଲୋକପ୍ରିୟତା ପଛରେ ପଡ଼ି ଏଭଳି ଅଶୁଦ୍ଧ ଭାଷା ଏବଂ ଅରୁଚିକର ବିଷୟକୁ ବାଛୁଛନ୍ତି। ଯେହେତୁ ଘରୋଇ ରେଡିଓ ଚ୍ୟାନେଲ୍‌ଗୁଡ଼ିକ ଲାଗି ବିଜ୍ଞାପନ ହେଉଛି ଆୟର ସ୍ରୋତ ଏବଂ ଲୋକପ୍ରିୟତା ହେଉଛି ବିଜ୍ଞାପନ ପାଇବାର ଏକ ବଡ଼ କାରଣ, ସେଥିଲାଗି ଘରୋଇ ଏଫ୍‌ଏମ୍‌ ଚ୍ୟାନେଲ୍‌ଗୁଡ଼ିକ ଯେନତେନ ପ୍ରକାରେଣ ଲୋକପ୍ରିୟତା ହାସଲ କରିବାକୁ ଚାହାନ୍ତି। ତା’ ଛଡ଼ା ଘରୋଇ ଚ୍ୟାନେଲ୍‌ କର୍ତ୍ତୃପକ୍ଷଙ୍କୁ ଲାଇସେନ୍‌ସ ପାଇଁ ମୋଟା ଅଙ୍କର ଅର୍ଥ ଦେବା ସହ ବିଭିନ୍ନ ପ୍ରକାର ଟିକସ ଦେବାକୁ ପଡ଼ିଥାଏ। ତେଣୁ ଏହା ଏକ ବାଧ୍ୟବାଧକତାରେ ପରିଣତ ହୋଇଛି। କିନ୍ତୁ ଆକାଶବାଣୀର ଲୋକପ୍ରିୟ ‘ବିବିଧଭାରତୀ’ ଚ୍ୟାନେଲ୍‌ର ବରିଷ୍ଠ ଘୋଷକ କମଲ ଶର୍ମା ଏହା ସହ ଏକମତ ନ ହୋଇ କହନ୍ତି ଯେ ଲୋକପ୍ରିୟତା ପାଇବାକୁ ହେଲେ ଶସ୍ତା ବା ଅଶ୍ଳୀଳ ହେବା ଜରୁରୀ ନୁହେଁ।

ତେବେ, ସତ କହିଲେ ସବୁ ‘ରେଡିଓ ଜକି’ ଏଭଳି ଆଚରଣ ପ୍ରଦର୍ଶନ କରି ନ ଥାଆନ୍ତି। ସେମାନେ ମଧ୍ୟ ନିଜ ନିଜ ବାଟରେ ଶ୍ରୋତାମାନଙ୍କୁ ଆକୃଷ୍ଟ କରି ପାରନ୍ତି। ସଂପ୍ରତି ଏଫ୍‌ଏମ୍‌ ‌େରଡିଓର ଲୋକପ୍ରିୟତା ଅଧିକ ଥିବାରୁ ଏବଂ ଯୁବପିଢ଼ି ଏହା ଦ୍ବାରା ପ୍ରଭାବିତ ହେଉଥିବାରୁ ଏଥିରେ ପ୍ରସାରଣ କରାଯାଉଥିବା ପ୍ରତିଟି ବିଷୟ ବା କାର୍ଯ୍ୟକ୍ରମ ଏବଂ ଏଥିରେ ବ୍ୟବହୃତ ଭାଷା ଓ ଶବ୍ଦ ପଛରେ ଦାୟିତ୍ବସଂପନ୍ନ ମନୋଭାବ ବା ଆଭିମୁଖ୍ୟ ପ୍ରକାଶିତ ହେବା ଉଚିତ। ‘ରେଡିଓ ଜକି’ମାନେ ଏହା ହୃଦୟଙ୍ଗମ କରି ସେମାନଙ୍କ ପରିପକ୍ବତା ପ୍ରଦର୍ଶନ କରିବା ବିଧେୟ।

ମୋ: ୯୮୬୧୩୦୭୨୮୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe