ଦର୍ପଣ: ପ୍ରଦୂଷଣ ସୃଷ୍ଟି, ଏକ ନିୟୁତ ଲୋକଙ୍କ ସମତୁଲ ଜଣେ ଅର୍ବପତି

Advertisment
ଦର୍ପଣ: ପ୍ରଦୂଷଣ ସୃଷ୍ଟି, ଏକ ନିୟୁତ ଲୋକଙ୍କ ସମତୁଲ ଜଣେ ଅର୍ବପତି

‘ଅକ୍‌ସଫାମ୍’ ଦ୍ବାରା ପ୍ରକାଶିତ ଏକ ନୂଆ ରିପୋର୍ଟ ଦର୍ଶାଉଛି ଯେ ବିଶ୍ବର ୧୨୫ ଜଣ ସବୁଠାରୁ ଧନିକ ବିଲିଅନେର୍ ବା ଅର୍ବପତି ବାର୍ଷିକ ହାରାହାରି ତିରିଶ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ଲାଗି ଦାୟୀ। ଏହି ଶୀର୍ଷ ୧୨୫ ଜଣ ଧନିକ ହେଉଛନ୍ତି ୧୮୩ଟି କମ୍ପାନିରେ ୨.୪ ଟ୍ରିଲିଅନ୍ ଡଲାର୍‌ର ମାଲିକାନାର ଅଧିକାରୀ। ତେଣୁ ଏମାନେ ଏକତ୍ର ପ୍ରତି ବର୍ଷ ୩୯୩ ମିଲିଅନ୍ ଟନ୍ ଅଙ୍ଗାରକ ବା କାର୍ବନ ନିର୍ଗମନରେ ବିନିଯୋଗ କରୁଛନ୍ତି, ଯାହା ଫ୍ରାନ୍‌ସ ଦେଶର ବାର୍ଷିକ ନିର୍ଗମନ ଠାରୁ ମଧ୍ୟ ଅଧିକ।

ହିସାବ କଲେ ଜଣାପଡ଼ିଥାଏ ଯେ ଜଣେ ବିଲିଅନେର୍ ଯେତିକି ପରିମାଣର କାର୍ବନ ନିର୍ଗମନ ପାଇଁ ଦାୟୀ, ତାହା ଆର୍ଥିକ ଦୃଷ୍ଟିରୁ ବିଶ୍ବର ନିମ୍ନ ୯୦% ଜନସଂଖ୍ୟାର ଜଣେ ସାଧାରଣ ନାଗରିକଙ୍କ ତୁଳନାରେ ୧୦ ଲକ୍ଷ ଗୁଣ ଅଧିକ। ଏହି ବିଲିଅନେର୍‌ଙ୍କ ଦ୍ବାରା ହେଉଥିବା କାର୍ବନ ନିର୍ଗମନର ମାତ୍ରା ଏତେ ଅଧିକ ଯେ ଜଣେ ଏକ ବ୍ୟକ୍ତିଗତ ଜେଟ୍‌ ଯୋଗେ ପୃଥିବୀକୁ ୧.୬୦ କୋଟି ଥର ପ୍ରଦକ୍ଷିଣ କଲେ ଯାଇ ଏତିକି ପ୍ରଦୂଷଣ ହେବ। ପ୍ରତ୍ୟେକ ବିଲିଅନେର୍‌ଙ୍କ ଦ୍ବାରା ସୃଷ୍ଟ ପ୍ରଦୂଷଣର ମୁକାବିଲା ଲାଗି ୪୦ ଲକ୍ଷ ଲୋକଙ୍କୁ ଆମିଷ ଖାଇବା ଛାଡ଼ିବାକୁ ହେବ।

ଉଦ୍‌ବେଗଜନକ କଥା ହେଉଛି ଏହି ରିପୋର୍ଟ ପ୍ରସ୍ତୁତିରେ ଅଧ୍ୟୟନ କରାଯାଇଥିବା ୧୨୫ ଜଣ ବିଲିଅନେର୍‌ଙ୍କ ମଧ୍ୟରୁ ମାତ୍ର ଜଣେ ନବୀକରଣଯୋଗ୍ୟ ଇନ୍ଧନ କମ୍ପାନିରେ ନିବେଶ କରିଛନ୍ତି। ବିଲିଅନେର୍‌ମାନେ ପ୍ରଦୂଷଣକାରୀ ଶିଳ୍ପରେ ନିବେଶ କରିବାରୁ ସେମାନଙ୍କୁ ନିରୁତ୍ସାହିତ କରିବା ଲାଗି ସେମାନଙ୍କ ଆୟ ଉପରେ ଉଚ୍ଚ ହାରରେ ଟିକସ ବସାଇବା ଗୁରୁତ୍ବପୂର୍ଣ୍ଣ ବୋଲି ଅକ୍‌ସଫାମ୍ ତା’ର ରିପୋର୍ଟରେ ଦର୍ଶାଇଛି। ନଚେତ, ୨୦୫୦ ସୁଦ୍ଧା ପୃଥିବୀରେ ‘ନେଟ୍ ଜିରୋ’ କାର୍ବନ୍ ନିର୍ଗମନ ଲକ୍ଷ୍ୟ ହାସଲ କରିବା ଲାଗି ଯଦି କେବଳ ଭୂମି ଉପରେ ନିର୍ଭର କରାଯାଏ, ତେବେ ୧.୬ ବିଲିଅନ୍ ହେକ୍ଟର୍‌ ଆକାରର ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ। ଏହି ଆକାର ଭାରତର ଆକାର ଠାରୁ ପାଞ୍ଚ ଗୁଣ ଅଧିକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe