ଓଡ଼ିଶାରେ ବେକାରି ହାର ସର୍ବନିମ୍ନ!

Advertisment

ସରଳ ବିଚାର - ସରଳ କୁମାର ଦାସ

ସରଳ ବିଚାର - ସରଳ କୁମାର ଦାସ

ଓଡ଼ିଶା ଶିଳ୍ପ ବିକାଶ ଯୋଜନା: ୧୦ବର୍ଷରେ ୩୦ଲକ୍ଷ ନିଯୁକ୍ତି ପରିକଳ୍ପନା

en.bia-bg.com

‘ସି.ଏମ.ଆଇ.ଇ.’ ଦ୍ୱାରା ଡିସେମ୍ୱର ୨୦୨୨ରେ ପ୍ରକାଶିତ ମାସିକିଆ ରିପୋର୍ଟରେ ଦେଶରେ ବେକାରି ହାର ଗତ ୧୬ ମାସ ମଧ୍ୟରେ ୮.୩ ପ୍ରତିଶତର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ମାତ୍ର ୦.୯ ପ୍ରତିଶତ ସହ ଓଡ଼ିଶାରେ ବେକାରି ହାର ଅନ୍ୟ ରାଜ୍ୟଙ୍କ ତୁଳନାରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ଏହା ପରେ ରାଜନୈତିକ ବାଦବିବାଦ ଆରମ୍ଭ ହୋଇଯାଇଛି। ତେବେ କ’ଣ ଓଡ଼ିଶାରେ ବେକାରି ଆଉ ଏକ ସମସ୍ୟା ହୋଇ ରହି ନାହିଁ? ସଂସଦରେ ପ୍ରଦତ୍ତ ତଥ୍ୟ ଓ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବେକାରି ହାର ଅପେକ୍ଷାକୃତ ଅଧିକ ହୋଇଥିବାରୁ ରାଜ୍ୟରେ ବେକାରି ସମସ୍ୟାର ବାସ୍ତବ ସ୍ଥିତି ସମ୍ପର୍କରେ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ। ତେଣୁ ସାମଗ୍ରିକ ଭାବେ ରାଜ୍ୟ ଓ ଦେଶରେ ବେକାରି ସମସ୍ୟାର ବାସ୍ତବ ସ୍ଥିତିକୁ ବୁଝିବାର ଏକ ପ୍ରୟାସ କରାଯାଉ।

ଏହି ରିପୋର୍ଟରେ ବେକାରି ହାର କମ୍‌ ହେବାର ଅର୍ଥ ନୁହେଁ ଯେ ଅଧିକାଂଶ ଲୋକ ନିୟମିତ ଭାବେ ଚାକିରି ବା କାମଧନ୍ଦାରେ ନିଯୁକ୍ତ। ଏହାର ଅର୍ଥ ସେହି ନିର୍ଦ୍ଦିଷ୍ଟ ମାସରେ କାମ କରିବା ଲାଗି ପ୍ରସ୍ତୁତ ଲୋକଙ୍କ ମଧ୍ୟରୁ କେତେ ପ୍ରତିଶତ ଚାକିରି, ଶ୍ରମ ବା ଆତ୍ମନିଯୁକ୍ତି ମାଧ୍ୟମରେ କିଛି ହେଲେ ରୋଜଗାର କରିପାରିଛନ୍ତି। ବେକାରି ସମସ୍ୟାର ବାସ୍ତବ ସ୍ଥିତି ସମ୍ପର୍କରେ ଜାଣିବାକୁ ହେଲେ ଉଭୟ ବେକାରି ହାର (ଅନଏମ୍ପ୍ଲୟମେଣ୍ଟ ରେଟ୍‌) ଓ ଶ୍ରମଶକ୍ତି ଭାଗୀଦାରି ହାର (ଲେବର ଫୋର୍ସ ପାର୍ଟିସିପେସନ ରେଟ୍‌)କୁ ବିଚାରକୁ ନେବାକୁ ହେବ। ଜନସଂଖ୍ୟାର କେତେ ପ୍ରତିଶତ ଶ୍ରମଶକ୍ତିର ଅଂଶ, ତାହା ଶ୍ରମଶକ୍ତି ଭାଗୀଦାରି ହାରରୁ ଜଣାପଡ଼େ। ଶ୍ରମଶକ୍ତିରେ ଥାଇ ନିଯୁକ୍ତି ଖୋଜୁଥିବା ଲୋକଙ୍କ ମଧ୍ୟରୁ ବେକାରଙ୍କ ଶତାଂଶରୁ ବେକାରି ହାର ଜଣା ପଡ଼ିଥାଏ। ଅର୍ଥାତ୍ ଗୋଟିଏ ଦେଶର ଅର୍ଥନୀତି ବଳିଷ୍ଠ ହେବା ପାଇଁ ଅଧିକ ସଂଖ୍ୟକ ଲୋକଙ୍କ ଲାଗି ଲାଭଜନକ ନିଯୁକ୍ତି ସୁଯୋଗ ଉପଲବ୍‌ଧ ହେବା ଯେତିକି ଜରୁରୀ, ଅଧିକ ସଂଖ୍ୟକ ଲୋକ ଶ୍ରମଶକ୍ତିରେ ଭାଗ ନେବା ମଧ୍ୟ ସେତିକି ଆବଶ୍ୟକ।

ଅନ୍ୟ ପକ୍ଷରେ ଶ୍ରମଶକ୍ତି ଭାଗୀଦାରି ହାର କମ୍‌ ରହି ସ୍ୱଳ୍ପ ସଂଖ୍ୟକ ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଉପଲବ୍‌ଧ ଥିଲେ, ସେଥିରେ ହୁଏ’ତ ବେକାରି ହାର କମ୍‌ ହୋଇପାରେ, କିନ୍ତୁ ତାହା ବେକାରି ସମସ୍ୟାର ବାସ୍ତବ ସ୍ଥିତିକୁ ଦର୍ଶାଇ ନ ଥାଏ। ମନେକର ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କୌଣସି ରାଜ୍ୟରେ ୫୦ ହଜାର ଲୋକ ଶ୍ରମଶକ୍ତିରେ ଭାଗ ନେଉଛନ୍ତି। ତେବେ ସେଠାରେ ଶ୍ରମଶକ୍ତି ଭାଗୀଦାରି ହାର ମାତ୍ର ୫୦ ପ୍ରତିଶତ ହେବ। ସେମାନଙ୍କ ମଧ୍ୟରୁ ଯଦି ୪୫ ହଜାର ଲୋକ କୌଣସି କର୍ମନିଯୁକ୍ତି ପାଇଥାନ୍ତି, ତେବେ ସେଠାରେ ବେକାର ଲୋକଙ୍କ ସଂଖ୍ୟା ୫ ହଜାର ଓ ବେକାରି ହାର ମାତ୍ର ୧୦ ପ୍ରତିଶତ ହେବ। ଅନ୍ୟ ପକ୍ଷରେ ସେହି ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅନ୍ୟ ଏକ ରାଜ୍ୟରେ ଯଦି ୮୦ ହଜାର ଲୋକ ଶ୍ରମଶକ୍ତିରେ ଭାଗ ନେଉଛନ୍ତି, ତେବେ ସେଠାରେ ଶ୍ରମଶକ୍ତି ଭାଗୀଦାରି ହାର ୮୦ ପ୍ରତିଶତ ହେବ। ସେମାନଙ୍କ ମଧ୍ୟରୁ ୬୦ ହଜାର ଲୋକଙ୍କୁ କର୍ମନିଯୁକ୍ତି ମିଳିଥିଲେ ବି ୨୦ ହଜାର ଲୋକ ବେକାର ଥିବାରୁ ବେକାରି ହାର ୨୫ ପ୍ରତିଶତ ହେବ। ଉପରୋକ୍ତ ଦୁଇଟି ରାଜ୍ୟ ମଧ୍ୟରୁ ପ୍ରଥମଟିରେ କମ୍‌ ସଂଖ୍ୟକ ଲୋକ ନିଯୁକ୍ତ ହୋଇ ମଧ୍ୟ ସେଠାରେ ବେକାରି ହାର ଯଥେଷ୍ଟ କମ୍, କାରଣ ସେଠାରେ ଅଧିକ ସଂଖ୍ୟକ ଲୋକ ଶ୍ରମଶକ୍ତିରେ ଭାଗ ନେଉନାହାନ୍ତି। କିନ୍ତୁ ନିମ୍ନ ବେକାରି ହାର ସତ୍ତ୍ୱେ ଏପରି ସ୍ଥିତି ଅର୍ଥନୀତି ପାଇଁ ସ୍ୱାଗତଯୋଗ୍ୟ ନୁହେଁ। ଦ୍ୱିତୀୟଟି କ୍ଷେତ୍ରରେ ବେକାରି ହାର ଅଧିକ ଥିବା ସତ୍ତ୍ୱେ ସେଠାରେ ଶ୍ରମଶକ୍ତି ଭାଗୀଦାରି ହାର ଅଧିକ ହୋଇ ଅଧିକ ସଂଖ୍ୟକ ଲୋକ ନିଯୁକ୍ତି ପାଇଥିବାରୁ ସେଠାକାର ଅର୍ଥନୀତି ଅପେକ୍ଷାକୃତ ଅଧିକ ସୁଦୃଢ଼ ହେବ।

ଅନ୍ତର୍ଜାତୀୟ ସଂସ୍ଥା ‘ସି.ଇ.ଆଇ.ସି.’ ଡାଟା ଦ୍ୱାରା ଭାରତ ସମେତ ୨୧୩ଟି ଦେଶରେ ଶ୍ରମଶକ୍ତି ଭାଗୀଦାରି ହାରର ଆକଳନ କରାଯାଇଥାଏ। ଭାରତରେ ଏହି ହାର ଡିସେମ୍ୱର ୨୦୨୦ରେ ୪୦.୧ ପ୍ରତିଶତ ଥିବା ବେଳେ ଡିସେମ୍ୱର ୨୦୨୧ରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟି ୪୧.୬ ପ୍ରତିଶତରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ ଯେ ୧୯୯୦ରେ ଏହି ହାର ସର୍ବାଧିକ ୫୮.୩ ପ୍ରତିଶତ ଥିଲା ବେଳେ ସେବେଠାରୁ ୨୦୧୪ ପର୍ଯ୍ୟନ୍ତ ଏହା କେବେ ବି ୫୦ ପ୍ରତିଶତରୁ କମ୍‌ ହୋଇ ନ ଥିଲା। ହେଲେ ତା’ ପର ଠାରୁ ଏହା କ୍ରମାଗତ ଭାବେ ହ୍ରାସ ପାଇ ଆହୁରି ୮ ପ୍ରତିଶତ କମ୍‌ ହେବା ବାସ୍ତବିକ ଚିନ୍ତାର ବିଷୟ। ଅବଶ୍ୟ କୋଭିଡ୍‌ଜନିତ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ସାରା ବିଶ୍ୱରେ ଅର୍ଥନୀତି ବାଧାପ୍ରାପ୍ତ ହୋଇ ଶ୍ରମଶକ୍ତି ଭାଗୀଦାରି ହାର ଯଥେଷ୍ଟ ହ୍ରାସ ପାଇଥିଲା। ତେବେ ଭାରତରେ କୋଭିଡ୍‌ ପୂର୍ବରୁ ମଧ୍ୟ ୨୦୧୮ରେ ତାହା ୩୬.୯ ପ୍ରତିଶତର ସର୍ବନିମ୍ନ ସ୍ତରରେ ପହଞ୍ଚି ସାରିଥିଲା। ସମଗ୍ର ବିଶ୍ୱରେ ଡିସେମ୍ୱର ୨୦୨୧ରେ ହାରାହାରି ଶ୍ରମଶକ୍ତି ଭାଗୀଦାରି ହାର ୫୯ ପ୍ରତିଶତ ଥିବା ବେଳେ ଆମେରିକା, ଚୀନ, ଜାପାନ, ବ୍ରିଟେନ, ରୁଷିଆ, ବ୍ରାଜିଲ ଭଳି ବଡ଼ ବଡ଼ ଅର୍ଥନୀତିରେ, ଏପରିକି ପଡ଼ୋଶୀ ବଙ୍ଗଳାଦେଶ ଓ ନେପାଳରେ ମଧ୍ୟ ଏହା ୬୦ ପ୍ରତିଶତରୁ ଅଧିକ ରହିଛି।

ସାଧାରଣତଃ ୧୫ରୁ ୬୫ ବର୍ଷ ବୟସ ମଧ୍ୟରେ ଥିବା କାର୍ଯ୍ୟକ୍ଷମ ବ୍ୟକ୍ତିଙ୍କର ଶ୍ରମଶକ୍ତିର ଅଂଶ ହେବାର ସାମର୍ଥ୍ୟ ଥାଏ। ଶ୍ରମଶକ୍ତି ଭାଗୀଦାରି ହାର ନିର୍ଦ୍ଧାରଣ ବେଳେ ଉପରୋକ୍ତ ବୟସ ବର୍ଗରେ ଥାଇ ନିଯୁକ୍ତି ଖୋଜୁ ନ ଥିବା ବା ନିଯୁକ୍ତି ପାଇଁ ଅନାଗ୍ରହୀ ବ୍ୟକ୍ତିବିଶେଷଙ୍କୁ ବାଦ୍‌ ଦିଆଯାଇଥାଏ। ଅବସର ନେଉଥିବା ଲୋକଙ୍କ ସଂଖ୍ୟା ଶ୍ରମଶକ୍ତିରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ଠାରୁ ଅଧିକ ହେଲେ ଏହା ଶ୍ରମଶକ୍ତି ଭାଗୀଦାରି ହାରକୁ ହ୍ରାସ କରିଥାଏ। ଅନ୍ୟ ପକ୍ଷରେ କୌଣସି କାରଣରୁ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିବିଶେଷ କାମ କରିବାକୁ ବୀତସ୍ପୃହ ହୋଇ ଅବସରପ୍ରାପ୍ତ ଲୋକଙ୍କ ପରି ଜୀବନ ଅତିବାହିତ କରିବାକୁ ଲାଗିଲେ ମଧ୍ୟ ଶ୍ରମଶକ୍ତି ଭାଗୀଦାରି ହାର ହ୍ରାସ ପାଇଥାଏ। କୌଣସି ନିଯୁକ୍ତି ସୁଯୋଗ ବା ନିଯୁକ୍ତି ସୁଯୋଗର ସମ୍ଭାବନା ନ ଥିବା ଭଳି ସ୍ଥିତିରେ ଏହି ଧରଣର କିଛି ନିଯୁକ୍ତି ଅନ୍ୱେଷୀ ହତାଶ ହୋଇପଡ଼ନ୍ତି ଓ ଚିର ଦିନ ଲାଗି ଶ୍ରମଶକ୍ତିରୁ ଓହରି ଯାଇ କ୍ରମେ ବେକାର ଭାବେ ଅତିବାହିତ କରନ୍ତି। ଏମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇ ରହୁଥିବାରୁ ଏପରି ଲୋକଙ୍କ ସଂଖ୍ୟା ଅଧିକ ହେଲେ ତା’ର କୁପ୍ରଭାବ ଅର୍ଥନୀତି ଉପରେ ପଡ଼ିଥାଏ। ଶ୍ରମଶକ୍ତି ଭାଗୀଦାରି ହାର କର୍ମନିଯୁକ୍ତ ହେବା ଲାଗି ଲୋକଙ୍କ ବ୍ୟଗ୍ରତା ବା ନିଯୁକ୍ତି ଚାହିଦାକୁ ଦର୍ଶାଉଥିବାରୁ ଏହା ଅଧିକ ହେବା ଅର୍ଥନୀତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

‘ସି.ଏମ.ଆଇ.ଇ.’ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ ୨୦୨୧-୨୨ରେ ଭାରତରେ ୧୫ ବର୍ଷରୁ ଅଧିକ ବୟସର ପ୍ରାୟ ୧୦୮.୫ କୋଟି ନିଯୁକ୍ତିଯୋଗ୍ୟ ହୋଇଥିଲେ ମଧ୍ୟ ସେଥିରୁ ମାତ୍ର ୪୩.୫ କୋଟି ବା ମାତ୍ର ୪୬ ପ୍ରତିଶତ ନିଯୁକ୍ତି ପାଇଛନ୍ତି। ଗତ ୬ ବର୍ଷ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୧ କୋଟି କମ୍‌ ହେବା ଚିନ୍ତାର କାରଣ। ଏମିତିରେ ମହିଳାମାନଙ୍କ ଶ୍ରମଶକ୍ତି ଭାଗୀଦାରି ହାର ପୁରୁଷଙ୍କ ତୁଳନାରେ ଯଥେଷ୍ଟ କମ୍‌ ଥିଲା। ୨୦୨୨ରେ ପୁରୁଷଙ୍କ ଭାଗୀଦାରି ହାର ୬୭ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ ଭାଗୀଦାରି ହାର ୨୦୨୧ରେ ଥିବା ୩୬ ପ୍ରତିଶତରୁ ଖସି ୨୦୨୨ରେ ୩୩ ପ୍ରତିଶତ ହେଲାଣି। ପୁନଶ୍ଚ, ମହିଳାଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ଶ୍ରମଶକ୍ତିରେ ଭାଗ ନେବାକୁ ଆଗେଇ ଆସୁଛନ୍ତି। ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଭାରତରେ ମହିଳାଙ୍କ ଶ୍ରମଶକ୍ତିରେ ଭାଗୀଦାରିର ହାର ବିଶ୍ୱ ହାରର ପ୍ରାୟ ୫୦ ପ୍ରତିଶତ। ଦୁର୍ବଳ ଆଇନ ଶୃଙ୍ଖଳା ପରିସ୍ଥିତି, ଅନୁନ୍ନତ ସାଧାରଣ ପରିବହନ ବ୍ୟବସ୍ଥା, ମହିଳାଙ୍କ ପ୍ରତି ହିଂସା ଓ ମହିଳା ବିରୋଧୀ ସାମାଜିକ ଚଳଣି ଓ କଟକଣା ଆଦି ମହିଳାଙ୍କୁ ଅଧିକ ସଂଖ୍ୟାରେ ଶ୍ରମଶକ୍ତିରେ ଭାଗ ନେବାରେ ବାଧା ଉତ୍ପନ୍ନ କରୁଛି। ତେବେ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଏକ ଅଧ୍ୟୟନରୁ ଜଣାପଡ଼େ ଯେ ଭାରତରେ ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି ହ୍ରାସ ପାଇବାର ଚାରିଟି ପ୍ରମୁଖ କାରଣ ହେଲା ଅଧିକ ସଂଖ୍ୟକ ଝିଅ ମାଧ୍ୟମିକ ଓ ଉଚ୍ଚ ସ୍ତରର ଶିକ୍ଷା ଲାଭ କରିବା ଲାଗି ଶ୍ରମ ବଜାରରୁ ଓହରିଯିବା, ମହିଳାଙ୍କୁ ଶ୍ରମଶକ୍ତି ଅନ୍ତର୍ଭୁକ୍ତ କରିବା ଲାଗି ଉପଯୁକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ନ ହେବା, ପରିବାରର ରୋଜଗାର ବୃଦ୍ଧି ପାଇ ପସନ୍ଦରେ ଘଟିଥିବା ପରିବର୍ତ୍ତନ ଯୋଗୁଁ ମହିଳାମାନେ ସହାୟକ କାର୍ଯ୍ୟ କରିବାରୁ ନିବୃତ୍ତ ହେବା ଓ କିଛି ନା କିଛି କାର୍ଯ୍ୟ କରି ପରିବାରର ଅର୍ଥନୀତିକୁ ପରିପୁଷ୍ଟ କରୁଥିଲେ ବି କେବଳ ଘରୋଇ କାର୍ଯ୍ୟରେ ସମ୍ପୃକ୍ତ ବୋଲି କହିବା। ତେବେ ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରି ନ ବଢ଼ିଲେ ଅର୍ଥନୀତି ଆଶାନୁରୂପ ଭାବେ ଗତିଶୀଳ ହୋଇପାରିବ ନାହିଁ।

ଓଡ଼ିଶାରେ ଡିସେମ୍ୱର ୨୦୨୨ରେ ଶ୍ରମଶକ୍ତି ଭାଗୀଦାରି ହାର ମାତ୍ର ୪୧.୩୬ ପ୍ରତିଶତ ରହିଛି, ଯାହା ଅନେକ ରାଜ୍ୟ ତୁଳନାରେ କମ୍। ଉଲ୍ଲେଖଯୋଗ୍ୟ ଯେ ଏତେ ଅଧିକ ସଂଖ୍ୟକ ଲୋକ କାମ କରିବାକୁ ଅନାଗ୍ରହୀ ହେଲେ ଅର୍ଥନୀତି ସୁଦୃଢ଼ ହେବା କଷ୍ଟକର। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଓଡ଼ିଶାରେ ଏକ ବଳିଷ୍ଠ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବାରୁ ଏଠାରେ ବେକାରି ହାର କମ୍‌ ହୋଇଛି ବୋଲି କେହି କେହି ମତ ଦିଅନ୍ତି। ତାହା ଠିକ୍ ହୋଇଥିଲେ ଓଡ଼ିଶାରେ ପ୍ରଥମେ ମହିଳାଙ୍କ ଶ୍ରମଶକ୍ତିରେ ଭାଗୀଦାରି ହାର ଯଥେଷ୍ଟ ବୃଦ୍ଧି ପାଇଥାନ୍ତା, ଯାହା ହୋଇନାହିଁ।

‘ଯେବେଠାରୁ ଟଙ୍କିକିଆ ଚାଉଳ ବଣ୍ଟାଯାଉଛି, ଚାଷକାମ କରିବା ଲାଗି ଲୋକ ମିଳୁନାହାନ୍ତି’ ବୋଲି ଓଡ଼ିଶାର ଗାଁଗଣ୍ଡାରେ ଚାଷୀମାନଙ୍କ ଅଭିଯୋଗ। ଏହା ଶ୍ରମଶକ୍ତିରେ ଭାଗ ନେବା ଲାଗି ବୀତସ୍ପୃହ ହେବାର ଏକ ଉଦାହରଣ ହୋଇପାରେ। ଓଡ଼ିଶାର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ପ୍ରଥମେ ଶ୍ରମଶକ୍ତି ଭାଗୀଦାରି ହାରକୁ ବଢ଼ାଇବାକୁ ହେବ। ତେଣୁ ସରକାରଙ୍କ ନୀତି ଓ ପଦକ୍ଷେପ ଶ୍ରମଶକ୍ତି ଭାଗୀଦାରି ହାର ବୃଦ୍ଧିରେ ସହାୟକ ହେବା ଆବଶ୍ୟକ। ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରିକୁ ବଢ଼ାଇବା ଲାଗି ଶ୍ରମ ବଜାରରେ ମହିଳା ଅନୁକୂଳ ପରିବେଶକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। ସେଥିପାଇଁ ସେମାନଙ୍କ ଶିକ୍ଷା ଓ ଦକ୍ଷତା ବୃଦ୍ଧି ସହ ସେମାନଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର।

‘ସି.ଏମ.ଆଇ.ଇ.’ ରିପୋର୍ଟରେ ଓଡ଼ିଶାରେ ସର୍ବନିମ୍ନ ବେକାରି ହାର ଖୁସିର କାରଣ ହୋଇପାରେ ହେଲେ ଆତ୍ମସନ୍ତୋଷ ଦିଏ ନାହିଁ। ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ରାଜ୍ୟରେ ଉତ୍କଟ ବେକାରି ସମସ୍ୟାକୁ ଦର୍ଶାଉଛି। ତେଣୁ ବେକାରି ସମସ୍ୟାର ବାସ୍ତବ ମୂଲ୍ୟାୟନ ପାଇଁ ନିୟମିତ ଅନ୍ତରାଳରେ ଅଧ୍ୟୟନ କରାଯିବା ଆବଶ୍ୟକ। ଓଡ଼ିଶାର ବେକାରି ହାରକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଏଠାରେ ୩୫-୬୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ବେକାରି ହାର ଶୂନ୍, ଅର୍ଥାତ୍ ଲାଭଜନକ କର୍ମସଂସ୍ଥାନ ହେଉ କି ନ ହେଉ ଏମାନେ ଯେ କୌଣସି କାର୍ଯ୍ୟ ହେଉ ପଛକେ ତହିଁରେ ନିଯୁକ୍ତ ବା ଆତ୍ମନିଯୁକ୍ତ ବୋଲି ଦର୍ଶାଇଥାନ୍ତି। ଅନ୍ୟ ପକ୍ଷରେ ଏଠାରେ ୧୫ରୁ ୨୯ ବର୍ଷ ବୟସ ବର୍ଗର ଯୁବକଙ୍କ ମଧ୍ୟରେ ବେକାରି ହାର ୭ ପ୍ରତିଶତରୁ ଅଧିକ ରହିବା ଚିନ୍ତାଜନକ। ରାଜ୍ୟରେ କମ୍ ବେକାରି ହାର ସତ୍ତ୍ୱେ ଅଧିକ ଉତ୍ପାଦନକ୍ଷମ ଯୁବବର୍ଗ ବେକାରି ସମସ୍ୟାରେ ଅଧିକ ଆକ୍ରାନ୍ତ ହେବା ଆଦୌ ଶୁଭଙ୍କର ନୁହେଁ। ତେଣୁ ରାଜ୍ୟରେ ଶ୍ରମଶକ୍ତି ଭାଗୀଦାରି ହାର ବୃଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ସହ ଯୁବ ବର୍ଗଙ୍କୁ ଶିକ୍ଷା ଓ ତାଲିମ ମାଧ୍ୟମରେ ନିୟମିତ ଓ ଲାଭଜନକ କାର୍ଯ୍ୟରେ ନିଯୁକ୍ତିଯୋଗ୍ୟ କରାଯିବା ଆବଶ୍ୟକ।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe