Times Now
ମନ୍ତ୍ରୀ ନବ ଦାସଙ୍କର ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ହସ ଏବେ ଗଣମାଧ୍ୟମର ପ୍ରିୟ ବିଷୟ ପାଲଟିଛି। ଲୋକଙ୍କ କଥାକୁ ଉଦ୍ଧାର କରି କିଛି ମିଡିଆ ବାଲାଏଁ କହୁଛନ୍ତି ଯେ ଗୋପାଳ କୁଆଡ଼େ ହତ୍ୟାକାଣ୍ଡ ଘଟାଇବା ପରେ, ହତ୍ୟାର ଦୃଶ୍ୟ ପରିସ୍ଫୁଟନ କଲାବେଳେ ଏବଂ ନାର୍କୋ ଓ ଅନ୍ୟାନ୍ୟ ଅଦାଲତୀ ପରୀକ୍ଷା ପାଇଁ ଗୁଜୁରାଟକୁ ବିମାନରେ ନିଆଯିବା ବେଳେ ମନ ଖୋଲି ହସିଥିଲା।
ଗୋପାଳର ଏହି ତିନି ହସ ଆମ ଲୋକୋକ୍ତିର ‘ବୋକା ତିନି ଥର ହସେ’ କଥାଟି ମନେ ପକେଇ ଦିଏ। ଅଳ୍ପବୁଦ୍ଧିର ମଣିଷ ପ୍ରଥମେ ହସେ କୌଣସି କଥା ଶୁଣିସାରି ଅନ୍ୟମାନେ ହସୁଥିବାର ଦେଖି। କିଛି ସମୟ ଉତ୍ତାରୁ ସ୍ଥିର ମନରେ ଭାବିସାରି ସେ କଥାଟିର ଅର୍ଥ ବୁଝିପାରେ ଓ ଦ୍ବିତୀୟ ଥର ହସେ। ସେ ତୃତୀୟ ଥର ହସେ ନିଜର ବୋକାମି ଉପରେ, ଏଇ ସରଳ କଥାଟି ଆରମ୍ଭରୁ ବୁଝିନପାରିଥିବାରୁ। କିନ୍ତୁ ବୋକାର ହସ କଥା ଉଠାଇ ଏଠି ଗୋପାଳକୁ ବୋକା ନଜରରେ ଦେଖିବାର ଉଦ୍ଦେଶ୍ୟ ଏହି ଲେଖକର ଜମା ନାହିଁ। କେବଳ ସଂଖ୍ୟାଗତ ସାମଞ୍ଜସ୍ୟ ଅଛି ବୋଲି ଉଦାହରଣଟି ଦେଇ ଏତେବଡ଼ ସଙ୍ଗିନ୍ ଦୋଷର ଅଭିଯୁକ୍ତକୁ ନିର୍ବୁଦ୍ଧିଆ ପ୍ରମାଣ କରିବା ଗର୍ହିତ କାମ ହେବ। ତା’ ଛଡ଼ା ମନସ୍ତତ୍ତ୍ୱବିତ୍, ମାନସିକ ଚିକିତ୍ସକ ଓ ଗଣମାଧ୍ୟମର ଅନ୍ୟାନ୍ୟ ବିଶେଷଜ୍ଞମାନେ ଯେଉଁ ହସର ରହସ୍ୟଭେଦ କରିବା ପାଇଁ ଏତେ ସବୁ ସାରଗର୍ଭକ ତତ୍ତ୍ୱ ଆଧାରିତ ବିଶ୍ଳେଷଣ ମାନ ଦେଇଚାଲିଛନ୍ତି ସେହି ସ୍ଥାନରେ ଏହା ‘ବୋକାର ହସ’ ବୋଲି ତରବରିଆ କହି ପକାଇବା ବୋକାମିର ପରିଚୟ ହେବ। ଏ କଥା ମଧ୍ୟ ଅସମ୍ଭବ ନୁହେଁ ଯେ ଗୋପାଳର ହସ ଦିନେ ସାରା ଦୁନିଆକୁ ବୋକା ବନେଇ ଛାଡ଼ିପାରେ।
ହସ ସାଧାରଣତଃ ଆଖିକୁ ସହଜିଆ ଦିଶୁଥିଲେ ବି ଏହା ଅନେକ କ୍ଷେତ୍ରରେ ରହସ୍ୟମୟ। ଜଣେ ହସୁଛି ମାନେ ଯେ ସେ ଗୋଟାପଣେ ଆପଣଙ୍କର ହିତାକାଂକ୍ଷୀ ହୋଇଗଲା ସେ କଥା ଭାବିଲେ କଥା ସରିଲା। ସେ ହୁଏତ ଆପଣ ସରଳ ମନରେ ତାକୁ ବିଶ୍ୱାସ କରିନେଇଥିବା କଥା ଦେଖି ହସୁଛି, କିମ୍ବା ଆପଣଙ୍କ ଭଳି ସରଳ ବିଶ୍ବାସୀକୁ କି ଉପାୟରେ ହନ୍ତସନ୍ତ କରିହେବ ସେ କଥା ଭାବି ହସୁଛି। ସେମିତି ‘ହସିଲା ମାନେ ଫସିଲା’ ବୋଲି ଭାବି ଦେଇ କେତେ କିଶୋର ଓ ଯୁବକ ଯେ ଭଗ୍ନହୃଦୟ ନେଇ ସମୟ କାଟନ୍ତି ତା’ର ଇୟତ୍ତା ନାହିଁ। ଈପ୍ସିତ ପ୍ରେମିକା ମୁହଁର ସବୁ ହସ ପ୍ରେମର ସ୍ୱୀକୃତି ନୁହେଁ, ଏ କଥା ଅଗଣିତ ପ୍ରେମସିକ୍ତ ଯୁବକମାନଙ୍କୁ ବୁଝାଇବ ବା କିଏ?
ମଣିଷର ହସ, ହର୍ଷ ଓ ଉଲ୍ଲାସର ପ୍ରତୀକ, ଜଣକ ପାଖରୁ ଅନ୍ୟ ପାଖକୁ ଦ୍ରୁତ ସଂକ୍ରମିତ ହେବାର ମାଧ୍ୟମ ଓ ଅନ୍ୟ ପ୍ରତି ସ୍ୱାଗତ ଓ ସମ୍ମତି ସୂଚାଇବାର ପରିଭାଷା- ଏୟା ସାଧାରଣତଃ ଧରି ନିଆଯାଏ। ହେଲେ ସବୁ ହସ ଏମିତି ନୁହେଁ। ଏଇ ଧରନ୍ତୁ କଂସ କି ରାବଣର ହସ, ଏମିତିକି ଆମ ସମୟର ଭିକୁ ସେଠ୍ ବା ଗବ୍ବର ସିଂହର ହସ। ଅନ୍ୟ ଜଣକର ବିବଶତାକୁ ବିଦ୍ରୂପ କରି ତା’ ଛାତିରେ ହାତୁଡ଼ି ପିଟିଲା ଭଳି ତାଙ୍କର ଠୋ ଠୋ ଅଟ୍ଟହାସ୍ୟ। ଅନ୍ୟ ମନରେ ଭୀତି ସୃଷ୍ଟି କରିବାରେ ହିଁ ତାଙ୍କର ଆହ୍ଲାଦ। ମଣିଷର ହସ ଏଇ ବିରୋଧାଭାସ ଓ ରହସ୍ୟମୟତାକୁ ଲୁଚାଇ ରଖିପାରେ ବୋଲି ସିନା ମଣିଷ ଚରିତ୍ରର ଅନ୍ୟତମ ଟୀକାକାର ସେକ୍ସପିଅର୍ ଥରେ କହି ପକାଇଲେ, “ବହୁତ ହସୁଥିବା ବ୍ୟକ୍ତି ଜଣକ ବି ହୋଇପାରେ ଜଣେ ପକ୍କା ଖଳନାୟକ।”
ମଣିଷ ତା’ ହସ ମାଧ୍ୟମରେ ଯେତିକି ପ୍ରକାଶ କରେ ତା’ଠୁ ବେଶି ଉହାଡ଼ରେ ରଖେ। ସେଇଥି ପାଇଁ ତ ପୃଥିବୀ ପ୍ରସିଦ୍ଧ ‘ମୋନାଲିସା’ ଚିତ୍ରନାୟିକା ମୁହଁର ହସର ରହସ୍ୟ ଭେଦ କରିବାକୁ ଛ’ ଶହ ବର୍ଷରୁ ଅଧିକ କାଳ ଧରି କଳାପ୍ରେମୀମାନେ ଅଣନିଃଶ୍ୱାସୀ ହୋଇଗଲେଣି। କିଏ କହୁଛି ସେ ହସ ଭିତରେ ମୋନାଲିସାର ଦୁଃଖ ଛପି ରହିଛି, ଆଉ କିଏ କହୁଛି ଦର୍ଶକ ଠିକ୍ ଭାବରେ ଦେଖିପାରିଲେ ଯାଇ ସେ ହସର ମହତ୍ତ୍ୱ ବୁଝିପାରିବ। ସେ ଯାହା ବି ହେଉ, ମୋନାଲିସାର ହସ ଯେ ଏକ ଗୂଢ଼ ଓ ଅସ୍ପଷ୍ଟ ବିଷୟ, ତାହା ସମସ୍ତେ ଗ୍ରହଣ କରିବେ। ସେହିପରି ମିଶର ଦେଶରେ ସ୍ଥାପିତ ସ୍ପିଂକ୍ସ୍ ପ୍ରତିମୂର୍ତ୍ତିର ହସ ମଧ୍ୟ ଦର୍ଶକ ମନରେ ସୃଷ୍ଟି କରେ ଅନେକ ପ୍ରହେଳିକା। ଜଣେ ନାରୀର ମୁହଁ ଓ ସିଂହୀର ଶରୀର ଧାରିଣୀ ଏହି ଅଦ୍ଭୁତ ଜୀବଟି ତା’ର ଈଷତ୍ ହସ ମାଧ୍ୟମରେ କ’ଣ ଇଙ୍ଗିତ କରିବାକୁ ଚାହୁଁଛି ତାହା ଯୁଗ ଯୁଗ ଧରି ମଣିଷ ମନକୁ ବିଭ୍ରାନ୍ତ କରି ରଖିଛି।
ଏହି ସବୁ ରହସ୍ୟମୟ ହସର ଦୃଷ୍ଟାନ୍ତ ସହ ଯୋଡ଼ିବାକୁ ପଡ଼ିବ ଆମେ ନିତିଦିନିଆ ଜୀବନରେ ଦେଖୁଥିବା କୃତ୍ରିମ ହସର ତାଲିକା। ଏଇ ଯେମିତି ବିମାନ ପରିଚାରିକା କିମ୍ବା ବାଣିଜ୍ୟିକ ସଂସ୍ଥାର କର୍ମଚାରୀମାନଙ୍କର ମୁହଁରେ ଲାଖିରହିଥିବା ହସ। କିମ୍ବା ସ୍ୱାସ୍ଥ୍ୟ ରକ୍ଷା ପାଇଁ ଲୋକପ୍ରିୟ ହୋଇଥିବା ହସ କ୍ଲବ୍ର କିସମ କିସମର ହସର ଲହରି।
ହେଲେ ଅଭିଯୁକ୍ତ ଗୋପାଳର ହସ ଏ ସବୁ ହସଠୁ ଅଲଗା, କାରଣ ସେ ହସର ସମ୍ବନ୍ଧ ମୃତ୍ୟୁ ସହିତ। ମିଡିଆ ଓ ସମାଜ ଗୋପାଳର ହସରେ ଆଗ୍ରହୀ ଏଇଥିପାଇଁ ଯେ ସେ ହସର ଉଦ୍ଦେଶ୍ୟ ଉଦ୍ଘାଟିତ ହେଲେ ଜଣା ପଡ଼ିବ ସେ ଥଣ୍ଡା ମୁଣ୍ଡରେ ଅପରାଧଟି ଘଟାଇଛି ନା ତା’ର ଅପରାଧ ମାନସିକ ବିକୃତି ପ୍ରସୂତ। ଯଦି ଥଣ୍ଡା ମନରେ, ତେବେ ତା’ର ଅନନୁତପ୍ତ ହସ ତାକୁ ଏକ ଅକ୍ଷମଣୀୟ ଅପରାଧୀ ବୋଲି ଚିତ୍ରିତ କରିବ। ଆଉ ଯଦି ସେ ହସ ତା’ର ଅସ୍ଥିର ମାନସିକତା କାରଣରୁ ବୋଲି ପ୍ରମାଣିତ ହୁଏ ତେବେ ଘଟଣାଟି ଭିନ୍ନ ଏକ ମୋଡ଼ ନେବ। ସେ ଯେଉଁ ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଥିଲା (ବାଇପୋଲାର ଡିଜର୍ଡର) ତାହାର ଗୋଟିଏ ଜଣାଶୁଣା ଲକ୍ଷଣ ହେଲା ରୋଗୀର ଉନ୍ମତ୍ତ ହସ। ସେଇ ବିକାରରେ ଆକ୍ରାନ୍ତ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଲିଣ୍ଡନ୍ ଜନସନ୍ ଅନେକ ସମୟରେ ଏମିତି ଉନ୍ମାଦପୂର୍ଣ୍ଣ ହସ ହସୁଥିବାର ନଜିର ରହିଛି।
ଏତେ ସବୁ ସମ୍ଭାବନାକୁ ଇଙ୍ଗିତ କରୁଥିବା ଗୋପାଳର ହସ ତେଣୁ ମୋନାଲିସା କିମ୍ବା ସ୍ପିଂକ୍ସ୍ର ହସଠାରୁ କିଛି କମ୍ ରହସ୍ୟମୟ ନୁହେଁ।
ମୋ: ୯୪୩୭୦୮୯୬୫୫
Follow Us