ଦର୍ପଣ: ସାଇକେଲ୍ ଚଢ଼ା ଅଭ୍ୟାସ

Advertisment
ଦର୍ପଣ: ସାଇକେଲ୍ ଚଢ଼ା ଅଭ୍ୟାସ

ପ୍ରାୟ ଏକ ଦଶନ୍ଧି ଧରି ବିଭିନ୍ନ ଦେଶରେ ବାଇସାଇକେଲ୍ ଚଢ଼ା ଅଭ୍ୟାସକୁ ନେଇ ଏକ ଅଧ୍ୟୟନ ତଥ୍ୟ ‘ଟ୍ରାନ୍‌ସପୋର୍ଟ ରିଭ୍ୟୁ’ ନାମକ ପତ୍ରିକାରେ ୨୦୨୧ ମସିହାରେ ପ୍ରକାଶ ପାଇଥିଲା। ଏଥିରୁ ୧୭ଟି ଦେଶ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଜାଣିବାକୁ ମିଳିଛି। ନେଦରଲାଣ୍ଡ୍‌ସରେ ପୃଥିବୀର ସବୁଠାରୁ ଅଧିକ ସାଇକେଲ୍ ବ୍ୟବହାର କରାଯାଇଥାଏ; ସେ ଦେଶର ପ୍ରାୟ ୨୬ ପ୍ରତିଶତ ଯାତାୟାତ ସାଇକେଲ୍ ମାଧ୍ୟମରେ ହୋଇଥାଏ। ସେହିପରି ୧୧.୫ ପ୍ରତିଶତ ଓ ୯.୩ ପ୍ରତିଶତ ସାଇକେଲ୍ ବ୍ୟବହାର ହାର ସହିତ ଜାପାନ ଓ ଜର୍ମାନି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସର୍ବାଧିକ ସାଇକେଲ୍ ବ୍ୟବହାରକାରୀ ଦେଶର ପରିଚୟ ପାଇଥାନ୍ତି। ଏହି ତିନିଟି ଦେଶରେ ଯେତିକି ଭାଗ ଲୋକ କାର୍ଯ୍ୟକ୍ଷେତ୍ରକୁ ସାଇକେଲ୍ ଚଢ଼ି ଯାଇଥାନ୍ତି, ପ୍ରାୟ ସେତିକି ଭାଗ ଲୋକ ମନୋରଂଜନ ଲାଗି ସାଇକେଲ୍ ବ୍ୟବହାର କରିଥାନ୍ତି। କିନ୍ତୁ ଦିଲ୍ଲୀ ଭଳି ଭାରତୀୟ ସହରରେ ଯେତିକି ଲୋକ କାର୍ଯ୍ୟକ୍ଷେତ୍ରକୁ ଯିବା ଲାଗି ସାଇକେଲ୍‌ର ଉପଯୋଗ କରନ୍ତି ତା’ର ମାତ୍ର ଚଉଠ ସଂଖ୍ୟକ ଲୋକ ମନୋରଂଜନ ଲାଗି ସାଇକେଲ୍ ଚଢ଼ନ୍ତି।

ତେବେ ଦିଲ୍ଲୀ ଓ ବାଙ୍ଗାଲୋର ସହରର ସାଇକେଲ୍ ଚଢ଼ାଳିମାନେ ପୃଥିବୀ ଅନ୍ୟାନ୍ୟ ସହରର ଲୋକଙ୍କ ତୁଳନାରେ ସର୍ବାଧିକ ଦୂରତା ଏହି ଶବ୍ଦହୀନ ଦୁଇ ଚକିଆରେ ଅତିକ୍ରମ କରନ୍ତି ବୋଲି ଜଣାପଡ଼ିଛି। ସବୁଠାରୁ କମ୍ ସାଇକେଲ୍ ବ୍ୟବହାର କରାଯାଉଥିବା ଦେଶ ହେଉଛନ୍ତି ବ୍ରାଜିଲ୍ ଓ ଯୁକ୍ତରାଷ୍ଟ୍ର ଆମେରିକା, ଯେଉଁଠାରେ ସାଇକେଲ୍ ବ୍ୟବହାରର ହାର ୧%ରୁ କମ୍। ସାରା ପୃଥିବୀରେ ୬୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକେ ସବୁଠାରୁ କମ୍ ସାଇକେଲ୍ ଚଢ଼ିଥାନ୍ତି, ଯେତେବେଳେ କି ବୃଦ୍ଧାବସ୍ଥାରେ ନିୟମିତ ସାଇକେଲ୍ ଚଢ଼ିବା ସ୍ବାସ୍ଥ୍ୟ ଲାଗି ହିତକର ବୋଲି ସର୍ବଜନ ବିଦିତ।

ଏହି ପରିପ୍ରେକ୍ଷୀରେ ସଦ୍ୟ ଏକ କୌତୂହଳପୂର୍ଣ୍ଣ ସର୍ଭେ ରିପୋର୍ଟ ପହଞ୍ଚିଛି, ଯାହା ଅନୁସାରେ ୫୦ ପ୍ରତିଶତ ପାକିସ୍ତାନୀ କୁଆଡ଼େ ସାଇକେଲ ଚଳାଇ ଜାଣନ୍ତି ନାହିଁ! ବର୍ତ୍ତମାନ ସେଠାରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ ଏଭଳି ସ୍ଥିତି ଲୋକଙ୍କୁ ଅଧିକ ବାଧୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe