ମହା‌ରାଷ୍ଟ୍ର ବିଭ୍ରାଟ ଓ ଏକ ଅନୈତିକ ସରକାର

Advertisment

ସରଳ ବିଚାର - ସରଳ କୁମାର ଦାସ

ସରଳ ବିଚାର - ସରଳ କୁମାର ଦାସ

ମହା‌ରାଷ୍ଟ୍ର ବିଭ୍ରାଟ ଓ ଏକ ଅନୈତିକ ସରକାର

The Leaflet

ଜୁନ ୨୦୨୨ରେ ଭାରତୀୟ ରାଜନୈତିକ ରଙ୍ଗମଞ୍ଚରେ ଏକ ରୋମାଞ୍ଚକର ନାଟକ ଅଭିନୀତ ହୋଇଥିଲା। ସେଥିରେ ଦେଖିବାକୁ ମିଳିଲା ଯେ ଶିବସେନାର କିଛି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରଥମେ ଗୁଜରାଟର ସୁରାଟ ଓ ତା’ ପରେ ଆଉ କିଛି ବିଦ୍ରୋହୀ ବିଧାୟକଙ୍କ ସହ ମିଶି ଏକ ଚାର୍ଟାର୍ଡ ବିମାନରେ ଆସାମର ରାଜଧାନୀ ଗୁଆହାଟୀ ଏବଂ ତା’ ପରେ ଗୋଆ ହୋଇ ମୁମ୍ୱାଇକୁ ଫେରିଲେ। ସୁତରାଂ, ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଭଳି ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଉପବାଚସ୍ପତିଙ୍କ ନିକଟରେ ଆବେଦନ କଲେ। ଏ ସବୁ ଘଟନାର ଘନଘଟା ଭିତରେ ରାଜ୍ୟପାଳ ମହୋଦୟ ଉଦ୍ଧବ ଠାକରେଙ୍କୁ ଏକ ନିର୍ଦ୍ଧାରିତ ଦିନରେ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବା ପାଇଁ ନିର୍ଦ୍ଦେଶ ଦେଲେ। ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ଫଇସଲା ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇବା ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲେ। କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ସେହି ଆବେଦନ ଖାରଜ ହେଲା। ତା’ ପରେ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ତା’ ପରେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କଲେ। ଏହି ପରିପ୍ରେକ୍ଷୀରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ଓ ଉଦ୍ଧବଙ୍କ ସରକାରର ପୁନଃସ୍ଥାପନା ନେଇ ରିଟ ପିଟିସନ କରାଗଲା, ଯାହାର ବିଚାର କରି ସୁପ୍ରିମ୍‌ କୋର୍ଟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ମେ ୧୧, ୨୦୨୩ରେ ଏକ ଐତିହାସିକ ରାୟ ପ୍ରଦାନ କଲେ। ଏଥିରେ ବିଶେଷ ପରିସ୍ଥିତିରେ ଦଳବଦଳ ଆଇନର ଭିନ୍ନ ତର୍ଜମାର ଆବଶ୍ୟକତାକୁ ରେଖାଙ୍କିତ କରାଯିବା ସହିତ ରାଜ୍ୟପାଳ ଓ ବାଚସ୍ପତିଙ୍କ ନିର୍ଣ୍ଣୟର ବୈଧତା ଉପରେ ପ୍ରଶ୍ନ ଉଠାଇ ଥିବାରୁ ତା’ର ସୁଦୂର ପ୍ରସାରୀ ପ୍ରଭାବ ପଡ଼ିବାର ଆଶା କରାଯାଉଛି।

ମାନ୍ୟବର ଖଣ୍ଡପୀଠଙ୍କ ମତ ହେଲା, ‘ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ବେଳେ ଯାହା ହୋଇଛି ଠିକ୍ ହୋଇନାହିଁ। କିନ୍ତୁ ଏବେ ତାକୁ ଆଉ ଠିକ୍ କରି ହେବ ନାହିଁ।’ ଜୁନ ୨୦୨୨ରେ ଶିବସେନା ବିଧାୟକ ଦଳରେ ବିଭାଜନ ଘଟି ଗୋଟିଏ ଗୋଷ୍ଠୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଥିବା ବେଳେ ଅନ୍ୟ ଗୋଷ୍ଠୀଟି ଏକନାଥ ସିନ୍ଦେଙ୍କ ନେତୃତ୍ୱକୁ ଗ୍ରହଣ କଲା। ସିନ୍ଦେ ଗୋଷ୍ଠୀର ୩୪ ଜଣ ବିଧାୟକ ଜୁନ ୨୧, ୨୦୨୨ରେ ଗୁଆହାଟୀରୁ ପତ୍ର ମାଧ୍ୟମରେ ଉପବାଚସ୍ପତି ନରହରି ଜିରୱାଲଙ୍କ ପ୍ରତି ସେମାନଙ୍କ ଅନାସ୍ଥା ବ୍ୟକ୍ତ କରି ତାଙ୍କୁ ସେହି ପଦରୁ ବହିଷ୍କାର କରିବା ପାଇଁ ଦାବି ଜଣାଇଥିଲେ। ଜୁନ ୨୨ରେ ଉଦ୍ଧବ ଠାକରେଙ୍କ ଦ୍ୱାରା ଆହୂତ ଶିବସେନା ବିଧାୟକ ଦଳ ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟ ସଚେତକ ସୁନୀଲ ପ୍ରଭୁଙ୍କ ଦ୍ୱାରା ହ୍ୱିପ ଜାରି କରାଗଲା, ଯାହାକୁ ସିନ୍ଦେଙ୍କ ସମେତ ୧୬ ଜଣ ବିଧାୟକ ଅମାନ୍ୟ କଲେ। ସୁତରାଂ, ସେମାନଙ୍କ ସଦସ୍ୟତା ରଦ୍ଦ କରିବା ଲାଗି ଉପବାଚସ୍ପତିଙ୍କୁ ଆବେଦନ କରାଯାଇଥିଲା।

ଉପବାଚସ୍ପତି ସେମାନଙ୍କ ବିରୋଧରେ ଜୁନ ୨୫ରେ ନୋଟିସ ଜାରି କରି ଜୁନ ୨୭ ସୁଦ୍ଧା ଜବାବ ତଲବ କରିଥିଲେ, ଯାହା ବିରୋଧରେ ସେମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜବାବ ଦାଖଲ ଲାଗି ଜୁଲାଇ ୧୨ ଯାଏଁ ମହଲତ ପାଇଥିଲେ। ଦଶମ ଅନୁସୂଚି ଅନୁଯାୟୀ ଉପବାଚସ୍ପତି ସଦସ୍ୟତା ରଦ୍ଦ ଅଭିଯୋଗର ନ୍ୟାୟିକ ନିର୍ଣ୍ଣୟ କରିବା ପାଇଁ ଅଧିକୃତ; ଅଥଚ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଝୁଲି ଥିଲେ ସେ ସେହି କ୍ଷମତାର ଉପଯୋଗ କରିପାରିବେ କି ନାହିଁ ସେ ସମ୍ପର୍କରେ ନେବାମ ରେବିୟା (୨୦୧୬) ଓ କିହୋଟୋ ହୋଲୋହାନ (୧୯୯୨) ମାମଲା ଦୁଇଟିରେ ଭିନ୍ନ ଭିନ୍ନ ରାୟ ଥିବାରୁ ସୁପ୍ରିମ୍‌ କୋର୍ଟ ଏହାକୁ ଏକ ବୃହତ୍ତର ସାମ୍ୱିଧାନିକ ଖଣ୍ଡପୀଠଙ୍କ ବିଚାରାର୍ଥେ ସୁପାରିସ କରିଛନ୍ତି।

ଉଦ୍ଧବ ଠାକରେ ଗୋଷ୍ଠୀ ହ୍ୱିପ ଅମାନ୍ୟ ଅଭିଯୋଗରେ ଏକନାଥ ସିନ୍ଦେଙ୍କ ସମେତ ଯେଉଁ ୧୬ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ କରିଛନ୍ତି ତାହା ଏବେ ମଧ୍ୟ ବାଚସ୍ପତିଙ୍କ ନିକଟରେ ନିର୍ଣ୍ଣୟ ଅପେକ୍ଷାରେ ରହିଛି। ବାଚସ୍ପତି ନିଜେ ସଦସ୍ୟତା ରଦ୍ଦର ଅଭିଯୋଗ ସାମନା କରୁଥିବା ବିଧାୟକଙ୍କ ଭୋଟରେ ନିଯୁକ୍ତ ହୋଇଛନ୍ତି। ସୁତରାଂ, ସେମାନଙ୍କ ପ୍ରତି ପକ୍ଷପାତିତା ଆଚରଣ କରିଥିବାରୁ ତାଙ୍କୁ ନ୍ୟାୟିକ ନିର୍ଣ୍ଣୟ ଦାୟିତ୍ୱ ନ୍ୟସ୍ତ କରା ନଯାଇ ସୁପ୍ରିମ୍‌ କୋର୍ଟ ସେହି ଦାୟିତ୍ୱଟିକୁ ନିର୍ବାହ କରୁ ବୋଲି ପିଟିସନରେ ଅନୁରୋଧ କରାଯାଇଥିଲା। ସାଧାରଣ ପରିସ୍ଥିତିରେ ଦଶମ ଅନୁସୂଚି ଅନୁଯାୟୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ମାମଲା ସୁପ୍ରିମ୍‌ କୋର୍ଟଙ୍କ ନିକଟକୁ ଆସି ନ ଥାଏ। ଏହି ମାମଲାରେ କୌଣସି ଅସାଧାରଣତା ନ ଥିବାରୁ ସ୍ୱାଭାବିକ ଭାବେ ତାହା ବାଚସ୍ପତିଙ୍କ ବିଚାର ପରିସରଭୁକ୍ତ ବୋଲି ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇଛନ୍ତି। ଏକ ‘ଯୁକ୍ତିସଂଗତ ସମୟ ସୀମା’ ମଧ୍ୟରେ ବାଚସ୍ପତିଙ୍କୁ ତାଙ୍କ ନିର୍ଣ୍ଣୟ ପ୍ରଦାନ କରିବା ଲାଗି ଅଦାଲତ ଆଦେଶ ଦେଇଛନ୍ତି। ତେବେ ‘ଯୁକ୍ତି ସଂଗତ ସମୟସୀମା’ର ସଂଜ୍ଞା ନିରୂପଣ କରାଯାଇ ପାରି ନ ଥିବାରୁ ବିଭିନ୍ନ ବିଧାନସଭାର ବାଚସ୍ପତି ଏଭଳି ଆବେଦନଗୁଡ଼ିକ ଉପରେ କୌଣସି ନିର୍ଣ୍ଣୟ ନ ନେଇ ବର୍ଷାଧିକ କାଳ ସେ ସବୁକୁ ପକାଇ ରଖୁଥିବାର ନଜିର ମଧ୍ୟ ରହିଛି।

ଜୁଲାଇ ୩, ୨୦୨୨ରେ ବିଜେପିର ରାହୁଳ ନରୱେକର ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ସେ ସିନ୍ଦେ ଗୋଷ୍ଠୀର ୩୪ ଜଣ ବିଧାୟକଙ୍କ ଦ୍ୱାରା ପାରିତ ପ୍ରସ୍ତାବକୁ ଆଧାର କରି ଏକନାଥ ସିନ୍ଦେଙ୍କୁ ଶିବସେନା ବିଧାୟକ ଦଳର ନେତା ଭାବେ ଓ ଭରତ ଗୋଗାୱଲେଙ୍କୁ ମୁଖ୍ୟ ସଚେତକର ମାନ୍ୟତା ପ୍ରଦାନ କଲେ ଓ ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ବିଧାୟକ ଦଳ ନେତା ଅଜୟ ଚୌଧୁରୀ ଓ ମୁଖ୍ୟ ସଚେତକ ସୁନୀଲ ପ୍ରଭୁଙ୍କ ମାନ୍ୟତାକୁ ରଦ୍ଦ କଲେ। ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଏପରି କଲା ବେଳେ ସେମାନେ ତାହା କରିବାକୁ ସେହି ସମୟର ରାଜନୈତିକ ଦଳ ଦ୍ୱାରା ଅଧିକୃତ କି ନୁହେଁ; ସେ କଥା ବାଚସ୍ପତି ଅନୁଧ୍ୟାନ କରିବା ପାଇଁ କୌଣସି ପ୍ରଚେଷ୍ଟା କରି ନ ଥିଲେ। ଅଧିକନ୍ତୁ ଏଭଳି ବିବଦମାନ ସ୍ଥିତିରେ ଦଳର ନିୟମ ଆଧାରରେ ଶିବସେନା ରାଜନୈତିକ ଦଳର ମୁଖ୍ୟ ସଚେତକ କିଏ, ତାହା ଜାଣିବାକୁ ମଧ୍ୟ ନିରପେକ୍ଷ ଭାବେ ଚେଷ୍ଟା କରିନଥିଲେ। ତେଣୁ ଶିବସେନା ବିଧାୟକ ଦଳର ଗୋଟିଏ ଗୋଷ୍ଠୀର ନିଷ୍ପତ୍ତିକୁ ଅଗ୍ରାଧିକାର ଦେଇ ବାଚସ୍ପତି ଗୋଗାୱଲେଙ୍କୁ ମୁଖ୍ୟ ସଚେତକର ମାନ୍ୟତା ପ୍ରଦାନ କରିବା ଅବୈଧ। ବାଚସ୍ପତି କେବଳ ‘ରାଜନୈତିକ ଦଳ’ ଦ୍ୱାରା ଅଧିକୃତ ସଚେତକ ଓ ନେତାଙ୍କୁ ମାନ୍ୟତା ପ୍ରଦାନ କରିପାରିବେ, ‘ବିଧାୟକ ଦଳ’ ଦ୍ୱାରା ଅଧିକୃତ ସଚେତକ ଓ ନେତାଙ୍କୁ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି।

ଉଦ୍ଧବ ଠାକରେଙ୍କୁ ବିଧାନସଭାରେ ଜୁନ ୩୦, ୨୦୨୨ରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ଲାଗି ଆଦେଶ ଦେବା ପ୍ରସଙ୍ଗରେ ରାଜ୍ୟପାଳଙ୍କ ଆଚରଣର ବୈଧତାକୁ ନେଇ ସୁପ୍ରିମ୍‌ କୋର୍ଟ କଡ଼ା ଟିପ୍ପଣୀ ପ୍ରଦାନ କରିଛନ୍ତି। ଏପରି ନିର୍ଣ୍ଣୟ ପଛର କାରଣ ସମ୍ପର୍କରେ ରାଜ୍ୟପାଳଙ୍କ ଦ୍ବାରା ଉଦ୍ଧବ ଠାକରେଙ୍କୁ ଲିଖିତ (ଜୁନ ୨୮, ୨୦୨୨) ପତ୍ରରେ ତାଙ୍କ ଦ୍ୱାରା ହସ୍ତଗତ ହୋଇଥିବା କିଛି ଅନ୍ୟାନ୍ୟ ପତ୍ରର ଅବତାରଣା କରିଥିଲେ। ତନ୍ମଧ୍ୟରୁ ଜୁନ ୨୫ରେ ୩୮ ଜଣ ଶିବସେନା ବିଧାୟକଙ୍କ ଦ୍ୱାରା ଲିଖିତ ଏକ ପତ୍ରରେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ପ୍ରଦତ୍ତ ସୁରକ୍ଷାକୁ ପ୍ରତ୍ୟାହାର କରାଯାଇ ସେମାନଙ୍କ ଉପରେ ଚାପ ପକାଇବାର ଉଦ୍ୟମ କରାଯାଉଥିଲା ଯେ ସେମାନେ ‘ମହା ବିକାଶ ଆଘାଡ଼ି’ ସରକାରକୁ ସମର୍ଥନ କରନ୍ତୁ। ସୁତରାଂ, ସେମାନଙ୍କ ସୁରକ୍ଷାର ବନ୍ଦୋବସ୍ତ ଲାଗି ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ ଜଣାଇଥିଲେ। ହେଲେ ସରକାରଙ୍କ ପ୍ରତି ସେମାନେ ସମର୍ଥନ ପ୍ରତ୍ୟାହାର କରିବା କଥା ପତ୍ରରେ ଉଲ୍ଲେଖ ନ ଥିଲା।

ଜୁନ ୨୧ରେ ଏକନାଥ ସିନ୍ଦେ ଉପବାଚସ୍ପତିଙ୍କୁ ଲେଖିଥିବା ଏକ ପତ୍ରର ଉଲ୍ଲେଖ ରାଜ୍ୟପାଳ କରିଥିଲେ, ଯହିଁରେ ଉଦ୍ଧବ ଠାକରେ ଗୋଷ୍ଠୀ ଦ୍ୱାରା ଶିବସେନା ବିଧାୟକ ଦଳ ନେତା ଭାବେ ଅଜୟ ଚୌଧୁରୀଙ୍କ ନିଯୁକ୍ତିକୁ ଅବୈଧ ବୋଲି କୁହାଯାଇଥିଲା। ଏହା ବିଧାନସଭାର କାର୍ଯ୍ୟକ୍ଷେତ୍ର ପରିସରଭୁକ୍ତ ହୋଇଥିବାରୁ ରାଜ୍ୟପାଳ ସେଥିରେ ମୁଣ୍ଡ ଖେଳାଇବାର ନଥିଲା ବୋଲି ଅଦାଲତ କହିଛନ୍ତି। ସେହିପରି ଠାକରେ ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ରାଜ୍ୟପାଳ ନିର୍ଦ୍ଦେଶ ଦେବା ଲାଗି ବିଜେପି ନେତା ଦେବେନ୍ଦ୍ର ଫଡ଼ନଭିସ ଓ ସାତ ଜଣ ସ୍ୱାଧୀନ ବିଧାୟକ ଦୁଇଟି ଭିନ୍ନ ଭିନ୍ନ ଚିଠିର ଲେଖିଥିଲେ। ହେଲେ କେହି ବି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିନଥିଲେ। ତେଣୁ ଉଦ୍ଧବ ଠାକରେ ବିଧାନସଭା ସଦସ୍ୟଙ୍କ ବିଶ୍ୱାସ ହରାଇ ସାରିଛନ୍ତି ବୋଲି ସେପରି କୌଣସି ଗ୍ରହଣଯୋଗ୍ୟ ସୂଚନା ନ ଥିବାରୁ ସେ ଆସ୍ଥା ଭୋଟର ସମ୍ମୁଖୀନ ହୁଅନ୍ତୁ ବୋଲି ନିର୍ଦ୍ଦେଶ ଦେବା ରାଜ୍ୟପାଳଙ୍କ ପକ୍ଷରେ ଉଚିତ ନଥିଲା; ସୁତରାଂ, ରାଜ୍ୟପାଳଙ୍କ ଆଚରଣ ନିରପେକ୍ଷ ନଥିଲା। ରାଜ୍ୟପାଳ ଏକ ସାମ୍ୱିଧାନିକ ପଦ ଓ ତାଙ୍କ କ୍ଷମତା ସମ୍ୱିଧାନରୁ ହିଁ ଆସିଥାଏ। ତେଣୁ ରାଜ୍ୟପାଳଙ୍କ କ୍ଷମତାର ସୀମା ସମ୍ପର୍କରେ ସେ ସଚେତନ ରହିବା ସହ ଯେଉଁ କ୍ଷମତା ତାଙ୍କୁ ସମ୍ୱିଧାନ ବା ଆଇନ ଦ୍ୱାରା ମିଳିନାହିଁ ତାକୁ ପ୍ରୟୋଗ କରିବାରୁ ନିବୃତ୍ତ ରହିବା ଆବଶ୍ୟକ।

ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଉଦ୍ଧବ ଠାକରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ନ ହୋଇ ଇସ୍ତଫା ଦେଇଥିବାରୁ ଅଦାଲତଙ୍କ ପକ୍ଷରେ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣିବା ସମ୍ଭବପର ନୁହେଁ; ଅର୍ଥାତ୍ ଉଦ୍ଧବ ଠାକରେ ଇସ୍ତଫା ଦେଇ ନ ଥିଲେ ଅଦାଲତ ଏବେ ସିନ୍ଦେଙ୍କୁ ହଟାଇ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାହାଲ କରିବାର ଆଦେଶ ଦେଇପାରିଥାନ୍ତେ। ଅନ୍ୟ ପକ୍ଷରେ ଜୁନ ୨୯, ୨୦୨୨ରେ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସିନ୍ଦେଙ୍କୁ ସରକାର ଗଠନ କରିବା ଲାଗି ରାଜ୍ୟପାଳ ଆମନ୍ତ୍ରଣ ଜଣାଇବା ସମ୍ପୂର୍ଣ୍ଣ ନ୍ୟାୟସଂଗତ, କାରଣ ସରକାର ଗଠନ ପାଇଁ ଏକମାତ୍ର ଦାବିଦାର ସିନ୍ଦେଙ୍କ ମୁଖ୍ୟମନ୍ତ୍ରିତ୍ୱ ପଛରେ ଥିବା ବିଜେପି ଓ କିଛି ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପତ୍ର ତାଙ୍କର ହସ୍ତଗତ ହୋଇସାରିଥିଲା। ତେବେ ରାଜ୍ୟପାଳଙ୍କ ତ୍ରୁଟିଯୁକ୍ତ ନିର୍ଣ୍ଣୟ ଯୋଗୁଁ ଉଦ୍ଧବ ଠାକରେଙ୍କୁ ସରକାର ହରାଇବାକୁ ହେଲା। ବିଶେଷ ପରିସ୍ଥିତିର ଲାଭାର୍ଥୀ ଭାବେ ଏକନାଥ ସିନ୍ଦେ ସରକାର ଗଠନ କରିବାର ସୁଯୋଗ ପାଇଲେ। ହେଲେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପୁନଃସ୍ଥାପନ କରାଯାଇ ପାରୁ ନ ଥିବାରୁ ଏବଂ ସିନ୍ଦେଙ୍କ ହାତରେ ଶାସନ ଭାର ବଳବତ୍ତର ରହିବା ଏକପ୍ରକାର ବାଧ୍ୟବାଧକତା ହୋଇଥିବାରୁ ସିନ୍ଦେ ସରକାର ଅବୈଧ ନ ହେଲେ ବି ଏକ ଅନୈତିକ ସରକାର ବୋଲି ଆଲୋଚିତ ହେଉଛି।

ସିନ୍ଦେ ଗୋଷ୍ଠୀର ସଚେତକଙ୍କ ନିଯୁକ୍ତି ଯେତେବେଳେ ଅବୈଧ ତାଙ୍କ ଦ୍ୱାରା ଜାରି ହୋଇଥିବା ହ୍ୱିପ ମଧ୍ୟ ଅବୈଧ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ସୁତରାଂ, ଶିବସେନା ଦଳର ସଚେତକ ସୁନୀଲ ପ୍ରଭୁଙ୍କ ଦ୍ୱାରା ଜାରି ହୋଇଥିବା ହ୍ୱିପ ହିଁ ଆଧିକାରିକ ହ୍ୱିପ। ତଦନୁଯାୟୀ ସେହି ହ୍ୱିପ ବିରୋଧରେ ଯାଇ ଭୋଟ ଦେଇଥିବା ସିନ୍ଦେ ଗୋଷ୍ଠୀର ସବୁ ବିଧାୟକଙ୍କ ସଦସ୍ୟତା ବାଚସ୍ପତିଙ୍କ ଦ୍ୱାରା ତତ୍କାଳ ରଦ୍ଦ ହେବା କଥା। ସୁତରାଂ, ଉଦ୍ଧବ ଗୋଷ୍ଠୀ ସେ ନେଇ ଦାବି କଲେଣି। ବାଚସ୍ପତିଙ୍କ ନ୍ୟାୟିକ ନିର୍ଣ୍ଣୟରେ ତତ୍ପରତା ପ୍ରକାଶ ପାଇଲେ ତାହା ସରକାରର ସ୍ଥିରତା ନେଇ ଉଠୁଥିବା ଆଶଙ୍କାକୁ ଦୂର କରିପାରନ୍ତା। ମାତ୍ର ବାଚସ୍ପତି ଅସଂଲଗ୍ନ ହେଲେ ବି ମୂଳତଃ ବିଜେପି ଦଳର ହୋଇଥିବାରୁ ତାଙ୍କ ନିର୍ଣ୍ଣୟ ବା ନିର୍ଣ୍ଣୟରେ ଦୀର୍ଘସୂତ୍ରୀ ଆଭିମୁଖ୍ୟ ପ୍ରକାଶ ପାଇବା ସ୍ବାଭାବିକ, ଯାହା ପାଇଁ ମାମଲା ପୁଣି ସୁପ୍ରିମ୍‌ କୋର୍ଟରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ବାଚସ୍ପତି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ନିନ୍ଦିତ ହୋଇ ସାରିଥିବାରୁ ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ବିପରୀତରେ ଯାଇ ସେ କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି ଅନ୍ତତଃ ଆଶା କରାଯାଇପାରେ। ଦଳବଦଳକୁ ନିରୁତ୍ସାହିତ ଓ ଦଣ୍ଡିତ କରିବା ଦଶମ ଅନୁସୂଚିର ମୂଳ ଉଦ୍ଦେଶ୍ୟ ବୋଲି ସୁପ୍ରିମ୍‌ କୋର୍ଟଙ୍କ ଏକାଧିକ ନିର୍ଣ୍ଣୟରେ ସ୍ପଷ୍ଟ ହୋଇସାରିଛି। ତେଣୁ ରାଜ୍ୟପାଳ ବା ବାଚସ୍ପତିଙ୍କ ପରି ସାମ୍ୱିଧାନିକ ପଦରେ ଅଧିଷ୍ଠିତ ବ୍ୟକ୍ତିମାନେ ଏପରି କିଛି ନ କରନ୍ତୁ; ଯଦ୍ଦ୍ୱାରା ଦଳବଦଳ କରୁଥିବା ସ୍ବାର୍ଥାନ୍ବେ‌ଷୀ ଲୋକେ ପୁରସ୍କୃତ ହେବେ।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe